ଦଶପଲ୍ଲାରେ ହେବ ବାଳ ଅପରାଧୀଙ୍କ ପାଇଁ ନିରାପଦ ସ୍ଥଳୀ

ଭୁବନେଶ୍ବର : ଜେଲ୍‌ ସଂସ୍କାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ କାରାଗାର ପ୍ରଶାସନ ମଧ୍ୟ କସରତ ଆରମ୍ଭ କରିଦେଇଛି। କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରାଳୟର ନିୟମାବଳୀ ଅନୁସାରେ ରାଜ୍ୟରେ ମଡେଲ୍‌ ଡିଟେନସନ୍‌ ସେଣ୍ଟର ସ୍ଥାପନ ପାଇଁ ଯୋଜନା ହୋଇଛି। ଏନେଇ ଜେଲ୍‌ ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଶନିବାର ରାଜ୍ୟର ପ୍ରତ୍ୟେକ ଜେଲ୍‌କୁ ଯାଇ ଅନୁଧ୍ୟାନ କରୁଛନ୍ତି। ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ଆଇନ ଅନୁସାରେ ଅଟକ ବାଳ ଅପରାଧୀଙ୍କୁ ଏକ ସୁରକ୍ଷିତ ସ୍ଥଳି କରାଯିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ଦଶପଲ୍ଲା ଜେଲ୍‌କୁ ଏଥିପାଇଁ ବଛା ଯାଇଥିବା ଜେଲ ବିଭାଗର ଅତିରିକ୍ତ ମହାନିର୍ଦେଶକ ମହେନ୍ଦ୍ର ପ୍ରତାପ ସୂଚନା ଦେଇଛନ୍ତି। ଦଶପଲ୍ଲା ଜେଲ୍‌ରୁ ଆଖପାଖ ଜେଲ୍‌କୁ କଏଦୀମାନଙ୍କୁ ନିକଟସ୍ଥ ନୟାଗଡ଼ ଏବଂ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରାଯାଉଛି।
ଦଶପଲ୍ଲା ଜେଲ୍‌କୁ ନିରାପଦ ସ୍ଥଳି ଭାବେ ଘୋଷଣା କରାଯିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ସମସ୍ତ କଏଦୀଙ୍କୁ ସ୍ଥାନାନ୍ତର କରାଯିବା ପରେ ଏହାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ହସ୍ତାନ୍ତର କରାଯିବ। ରାଜ୍ୟର ବିଭିନ୍ନ ଜିଲାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଅନେକ ସ୍ବାଧାର ଗୃହ ପରିଚାଳତ ହେଉଛି। ସେହିପରି ଏହି ଦଶପଲ୍ଲା ଜେଲ୍‌ ବା ପ୍ରସ୍ତାବିତ ନିରାପଦ ସ୍ଥଳକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ହେବ। ଏହି ସ୍ଥାନରେ କୌଣସି ଜେଲ୍‌ର ୱାର୍ଡର ରହିବେ ନାହିଁ କି କେହି ଖାକି ପୋଷାକରେ ଡ୍ୟୁଟି କରିବେ ନାହିଁ। ବାଳ ଅପରାଧୀଙ୍କୁ ଏଠାରେ ରଖାଯିବା ସହିତ ସେମାନଙ୍କ ପାଇଁ ଅନେକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଅତିରିକ୍ତ ମହାନିର୍ଦେଶକ ମହେନ୍ଦ୍ର ପ୍ରତାପ କହିଛନ୍ତି।
ଦୋଷୀସାବ୍ୟସ୍ତଙ୍କ ପାଇଁ ଆଦର୍ଶଙ୍କ ଜେଲ୍‌ ଯେଉଁ କଏଦୀମାନେ ଦୋଷୀ ସାବ୍ୟସ୍ତ ହୋଇ ରାଜ୍ୟର ବିଭିନ୍ନ ଜେଲ୍‌ରେ ଦଣ୍ଡ ଭୋଗୁଛନ୍ତି ସେମାନଙ୍କୁ ନିର୍ଦିଷ୍ଟ ଭାବେ ଏକ ଜେଲ୍‌ରେ ରଖାଯିବାକୁ ଜେଲ୍‌ ପ୍ରଶାସନ ଚିନ୍ତା କରୁଛି। ଏନେଇ ରାଜ୍ୟ ସରକାରଙ୍କୁ କାରାଗାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟର ଦୁର୍ଦାନ୍ତ ଅପରାଧୀ, ମାଓବାଦୀ ଓ ଗ୍ୟାଙ୍ଗଷ୍ଟରଙ୍କୁ ରଖିବା ଲାଗି ଜେଲ୍‌ ବିଭାଗ ପକ୍ଷରୁ ଏକ ହାଇ ସିକ୍ୟୁରିଟି ଜେଲ୍‌ ନିର୍ମାଣ ଲାଗି ଉଦ୍ୟମ ଆରମ୍ଭ କରାଯାଇଥିଲା। ଆଠଗଡ଼ ନିକଟରେ ୨୦ ଏକର ଜମିରେ ନିର୍ମାଣାଧୀନ ଥିବା ଏହି ଜେଲ୍‌କୁ ଏବେ ଆଦର୍ଶ ଜେଲ୍‌ ଭାବେ ପ୍ରତିଷ୍ଠା କରାଯିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ତେଣୁ ଏନେଇ କାରାଗାର ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଶନିବାର ଆଠଗଡ଼ସ୍ଥିତ ଏହି ନିର୍ମାଣାଧୀନ ଜେଲ୍‌କୁ ଅନୁଧ୍ୟାନ କରିବାକୁ ଯାଇଥିବା କାରାଗାର ବିଭାଗର ଅତିରିକ୍ତ ମହାନିର୍ଦେଶକ ମହେନ୍ଦ୍ର ପ୍ରତାପ କହିଛନ୍ତି। ତେବେ ଜେଲ୍‌ ପ୍ରଶାସନ ସଂସ୍କାର ମୂଳକ କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦେଉଥିବାରୁ ହାଇ ସିକ୍ୟୁରିଟି ଜେଲ୍‌କୁ ଏବେ ଆଦର୍ଶ କାରାଗାର କରାଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହି ଆଦର୍ଶ କାରାଗାରରେ କେବଳ ଦୋଷୀସାବ୍ୟସ୍ତ କଏଦୀ ରହିବେ। ଆଦର୍ଶ କାରାଗାରରେ କଏଦୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି ବୋଲି ସେ କହିଛନ୍ତି।

kalyan agarbati

Comments are closed.