www.samajalive.in
Monday, December 15, 2025
26.1 C
Bhubaneswar

ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରକୁ ୭ ପ୍ରସ୍ତାବ

ଚେନ୍ନଇ : ନିର୍ବାଚନମଣ୍ଡଳୀ ଲୋକସଭା ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି, ସେହି ପ୍ରସଙ୍ଗରେ ଶନିବାର ଡିଏମକେ ନେତୃତ୍ବାଧୀନ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେନ୍ନଇଠାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଯୋଗଦେଇଥିବା ଅଣ-ବିଜେପି ଶାସିତ ରାଜ୍ୟର ଅଧିକାଂଶ ରାଜନେତା ଏହି ପ୍ରସ୍ତାବକୁ ବିରୋଧ କରି ନିଜସ୍ବ ମନ୍ତବ୍ୟ ଦେଇଥିବାବେଳେ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସାତଟି ପ୍ରସ୍ତାବ ଦିଆଯାଇଛି। ଗଣତନ୍ତ୍ରର ବିଷୟବସ୍ତୁ ଓ ଚରିତ୍ରକୁ ଅଧିକ ମଜଭୁତ କରିବା ଲକ୍ଷ୍ୟରେ ସରକାର ସ୍ବଚ୍ଛତା ଅବଲମ୍ବନ କରିବା ସହ ସମସ୍ତ ପକ୍ଷ ଙ୍କ ମତାମତକୁ ସମ୍ମାନ ଜଣାଇବାକୁ ପ୍ରସ୍ତାବ ଦିଆଯାଇଛି। ସମ୍ବିଧାନର ୪୨, ୮୪ ଏବଂ ୮୭ତମ ସଂଶୋଧନ ଆଇନରେ ଜାତୀୟସ୍ତରରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ଲକ୍ଷ୍ୟ ଏ ପର୍ଯ୍ୟନ୍ତ ପୂରଣ ହୋଇପାରିନଥିବାବେଳେ ସୀମା ପୁନଃ ନିର୍ଦ୍ଧାରଣ ପ୍ରସ୍ତାବକୁ ଆଉ ୨୫ ବର୍ଷ ସ୍ଥଗିତ ରଖିବାକୁ କମିଟି ପରାମର୍ଶ ଦେଇଛି। ଯେଉଁ ରାଜ୍ୟଗୁଡିକ ଜନସଂଖ୍ୟା ନିୟନ୍ତ୍ରଣ ଯୋଜନାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିଛନ୍ତି, ସେହି ରାଜ୍ୟଗୁଡିକ ଯେପରି ସୀମା ପୁନଃ ନିର୍ଦ୍ଧାରଣ ପ୍ରସ୍ତାବରେ କ୍ଷତିର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ କେନ୍ଦ୍ର ସରକାର ସମ୍ବିଧାନରେ ଆବଶ୍ୟକ ସଂଶୋଧନ ଆଣିବାକୁ ମଧ୍ୟ କମିଟି ପ୍ରସ୍ତାବ ଦେଇଛି। ବୈଠକରେ ଯୋଗଦେଇଥିବା ରାଜ୍ୟଗୁଡିକର ସାଂସଦଙ୍କୁ ନେଇ ଏକ କୋର୍‌ କମିଟି ଗଠନ କରାଯିବ ଏବଂ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ସରକାରଙ୍କ ରଣନୀତିକୁ ବିରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସଂସଦର ବଜେଟ ଅଧିବେଶନ ଚାଲିଥିବାବେଳେ କୋର୍‌ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏହି ମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତିି ନିଆଯାଇଛି। ବୈଠକରେ ଯୋଗଦେଇଥିବା ବିଭିନ୍ନ ରାଜ୍ୟର ରାଜନୈତିକ ଦଳଗୁଡିକ ସେମାନଙ୍କ ବିଧାନସଭାରେ ଏ ସଂକ୍ରାନ୍ତ ପ୍ରସ୍ତାବ ଅାଗତ କରିବା ସହ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ ବୋଲି ଜଣାପଡିଛି। ଅତୀତରେ ହୋଇଥିବା ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ସମ୍ପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଯିବା ସହ ପ୍ରସ୍ତାବିତ ଯୋଜନାର କୁପରିଣାମ ସମ୍ପର୍କରେ ମଧ୍ୟ ସଚେତନ କରାଯିବ ବୋଲି କୁହାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି ଯେ ଯଦି ଜନସଂଖ୍ୟାକୁ ଆଧାର କରି ସୀମା ପୁନଃ ନିର୍ଦ୍ଧାରଣ କରାଯାଏ, ତେବେ କେରଳ ସମେତ ସମସ୍ତ ଦାକ୍ଷିଣାତ୍ୟ ରାଜ୍ୟଗୁଡିକ କ୍ଷତିଗ୍ରସ୍ତ ହେବେ। ଏହି ପ୍ରସ୍ତାବ ବର୍ତ୍ତମାନ ଆମ ମୁଣ୍ଡ ଉପରେ ଡେମୋକ୍ଲିସଙ୍କ ଖଣ୍ଡା ଭଳି ଝୁଲୁଛି। ବୈଠକରେ ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଅଧ୍ୟକ୍ଷତା କରିଥିବାବେଳେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାର, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍‌, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଓଡିଶା କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ସମେତ ୱାଇଏସଆର କଂଗ୍ରେସ, ଭାରତ ରାଷ୍ଟ୍ର ସମିତି ଓ ଆପ୍‌ ନେତା ଯୋଗଦେଇଥିଲେ। ଯୁଗ୍ମ କ୍ରିୟାନୁଷ୍ଠାନ କମିଟିର ପରବର୍ତ୍ତୀ ବୈଠକ ହାଇଦରାବାଦରେ ଅନୁଷ୍ଠିତ ହେବ ବୋଲି ଆବାହକ ଷ୍ଟାଲିନ ସୂଚନା ଦେଇଛନ୍ତି।

Hot this week

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

Related Articles

Popular Categories