ଅନୁଗୋଳ: କଟକ ଶିଶୁ ଭବନରେ କାର୍ଯ୍ୟରତ ଡାକ୍ତରଙ୍କଠାରୁ ଡାକ୍ତରୀ ଯନ୍ତ୍ରାଂଶ ଦେବା ବାହାନାରେ ଟଙ୍କା ନେଇ ଫେରାର ହୋଇଯାଇଥିବା ଜଣେ ବିଦେଶୀ ନାଗରିକଙ୍କୁ ଅନୁଗୋଳ ପୁଲିସ ବୁଧବାର ସନ୍ଧ୍ୟାରେ ରେଳ ଷ୍ଟେସନ ଅଞ୍ଚଳରୁ ଧରିବା ସହ ତାଙ୍କଠାରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। ବିଦେଶୀ ନାଗରିକ ଜଣକ ଘାନା ଦେଶ ନିବାସୀ ନିକୋଲାସ୍ କଜ୍ବୀ (୪୫) ବୋଲି ଜଣାପଡ଼ିଛି। କଟକ ଶିଶୁ ଭବନରେ କାର୍ଯ୍ୟରତ ଡାକ୍ତର ମଙ୍ଗୁଳୁ ଚରଣ ମୁର୍ମୁଙ୍କ ସହ ଟେଲିଫୋନ୍ରେ ଯୋଗେ ନିକୋଲାସ୍ଙ୍କର ଯୋଗାଯୋଗ ହୋଇଥିଲା। ମୁମ୍ବଇ ଅଞ୍ଚଳର ଏକ ଫୋନ୍ରୁ ଡାକ୍ତର ମୁର୍ମୁଙ୍କ ନିକୋଲାସ୍ କଥା ହେଉଥିଲେ। ଡାକ୍ତରଖାନାରେ ବ୍ୟବହୃତ ଅତ୍ୟାଧୁନିକ ଯନ୍ତ୍ରାଂଶ ପାଇଁ ୨୫ ଲକ୍ଷ ଟଙ୍କାରେ ବୁଝାମଣା ହେବା ପରେ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଦେଇ କଟକ ଆସି ନେଇଯିବାକୁ କହିଥିଲେ। ନିକୋଲାସ୍ କଟକ ପହଞ୍ଚିବା ପରେ ତାଙ୍କୁ କଟକର ବମ୍ବେ ହୋଟେଲରେ
ରଖାଇଥିଲେ। ସେଠାରୁ ଟଙ୍କା ଆଣିବା ପାଇଁ ନିକୋଲାସ୍ ଓ ଡାକ୍ତର ମୁର୍ମୁ ଉଭୟ ବୌଦ୍ଧକୁ ଯାଇଥିଲେ। ବୌଦରେ ଡାକ୍ତର ମୁର୍ମୁଙ୍କର ଶାଳକ ଆନ୍ଧ୍ର ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବାରୁ ଉଭୟେ ବୌଦ୍ଧ ଯାଇଥିଲେ। ବୌଦ୍ଧରେ ହୋଟେଲ ବ୍ଲୁ ମୁନ୍ରେ ଡାକ୍ତର ମୁର୍ମୁ ନିକୋଲାସ୍ଙ୍କୁ ରଖାଇଥିଲେ। ୩୧ ତାରିଖରେ ୧୩ ଲକ୍ଷ ୫୦ ହଜାର ଟଙ୍କାର ଡାକ୍ତର ମୁର୍ମୁ ନିକୋଲାସ୍କୁ ଦେଇଥିଲେ। ରାତିରେ ହୋଟେଲରେ ରହିବା ପରେ ୧ ତାରିଖ ସକାଳୁ ନିକୋଲାସ୍ ଫେରାର ହୋଇଯାଇଥିଲେ। ନିକୋଲାସ୍ ଫେରାର ହେବା ପରେ ଆଖାପାଖ ଅଞ୍ଚଳରେ ଖୋଜଖବର ନେବା ପରେ ଆଜି ଅନୁଗୋଳ ରେଳ ଷ୍ଟେସନ ଅଞ୍ଚଳରେ ବୁଲୁଥିବାର ଖବର ପାଇଲେ। ଖବର ପାଇ ଡାକ୍ତର ମୁର୍ମୁ ଅନୁଗୋଳ ରେଳ ଷ୍ଟେସନରେ ପହଞ୍ଚି ପୁଲିସ ସହାୟତାରେ ନିକୋଲାସ୍ଙ୍କୁ ଧରିଥିଲେ। ପୁଲିସ ପକ୍ଷରୁ ଯାଞ୍ଚ ସମୟରେ ନିକୋଲାସ୍ଙ୍କ ପାଖରୁ ନଗଦ ୧୮ ଲକ୍ଷ ୫୦ ହଜାର ଟଙ୍କା ସହ ତାଙ୍କ ପାସ୍ପୋର୍ଟ ଜବତ କରାଯାଇଛି। ଡାକ୍ତରା ମୁର୍ମୁ ଅନୁଗୋଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଏକ ମୋକଦମା ରୁଜୁ କରାଯାଇ କଟକ ଲାଲାବାଗ୍ ଥାନାକୁ ସ୍ଥାନାନ୍ତର କରାଯାଇଛି। ନିକୋଲାସ୍କୁ ଆସନ୍ତାକାଲି ସ୍ଥାନୀୟ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି। ତେବେ ଘଟଣା ଲାଲବାଗ୍ ଥାନା ଅଞ୍ଚଳର ହୋଇଥିବାରୁ ଏସ୍ଡିଜେଏମ୍ କୋର୍ଟରେ ରିମାଣ୍ଡ ଆବେଦନ କରି ଲାଲବାଗ୍ ଥାନା ପୁଲିସ ନିକୋଲାସ୍କୁ ଅଧିକ ଜେରା ପାଇଁ କଟକ ନେଇପାରେ।
ଡାକ୍ତରଙ୍କୁ ଠକି ଫେରାର ହୋଇଯାଇଥିବା ଘାନାର ନାଗରିକ ଗିରଫ
Popular Categories



