ଶାଳକକୁ ହତ୍ୟା କଲା ଭିଣୋଇ

ଚାନ୍ଦିପୁଟ: ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶାଳକକୁ ନିଜ ଭିଣୋଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ବାଘମାରି ପଞ୍ଚାୟତ ବିଜିପୁର ଗ୍ରାମର ଅଭୟ ବିର(୨୩)। ଅଭୟଙ୍କୁ ତାଙ୍କ ନିଜ ଭିଣୋଇ ମନୋଜ ନାୟକ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ କେରଳର କାଟାରାକାରା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭୟଙ୍କ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଭିଣୋଇ ମନୋଜଙ୍କୁ ଗିରଫ କରି ତଦନ୍ତ କରୁଛି। ଅପରପକ୍ଷରେ ବିଜିପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଭିଣୋଇ ମନୋଜ ହିଁ ହତ୍ୟା କରିଛି ବୋଲି ମୃତ ଅଭୟଙ୍କ ପତ୍ନୀ ଓ ଭାଇ କହିଛନ୍ତି।

ମିଳିଥିବା ସୂଚନା ପ୍ରକାରେ, ଅଭୟଙ୍କ ଭିଣୋଇ ମନୋଜ ନିଜ ପରିବାର ସହ କେରଳର କାଟାରାକାରା ଥାନା ଅନ୍ତର୍ଗତ ଚନ୍ଦ୍ରମୁଖୀ ଅଞ୍ଚଳରେ ରହି ଶ୍ରମିକ ଭାବେ କାମ କରିବା ସହ ଗୋଟିଏ ଘରେ ମିଳିମିଶି ରହୁଥିଲେ। ତେବେ ଶୁକ୍ରବାର କୌଣସି କାରଣକୁ ନେଇ ମନୋଜ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଶାଳକ ଅଭୟ ମନୋଜଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଗଣ୍ଡଗୋଳ ତୀବ୍ରତର ହୋଇ ଭିଣୋଇ ଓ ଶାଳକ ମଧ୍ୟରେ ଝଗଡ଼ା ହୋଇଥିଲା। ରୋଷରେ ଶାଳକ ଅଭୟ ବାଧ୍ୟ ହୋଇ ସେହି ସମୟରେ ଘର ଛାଡ଼ିବା ସହ କୋଇମୋଟୁର ଅଭିମୁଖେ ବାହାରିଥିଲେ, କିନ୍ତୁ ପାଖରେ ଥିବା ଭାଇ ଓ ଅନ୍ୟ ସମ୍ପର୍କୀୟ ରାତି ସାରା ବହୁ ଖୋଜା ଖୋଜି କରି ପାଇନଥିଲେ। ତେବେ ସକାଳୁ ଏକ ଦୋକାନ ସମ୍ମୁଖରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଭୟଙ୍କ ମୃତଦେହ ମିଳିଥିଲା। ତେବେ କାଟାରାକାର ପୁଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିବା ସହ ସେଠାରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ୍ କରି ପାଇଥିଲା ଯେ ନିଜ ଭିଣୋଇ ମନୋଜ ନାୟକ ହିଁ ତାଙ୍କୁ ପଥରରେ ଛେଚି ହତ୍ୟା କରିଛି। ମନୋଜଙ୍କୁ ପୁଲିସ ଗିରଫ କରି ତଦନ୍ତ ଜାରି ରଖିଛି ।

ଅନ୍ୟପକ୍ଷରେ ମୃତ ଅଭୟଙ୍କ ପରିବାର ଲୋକେ ଅତ୍ୟନ୍ତ ଗରିବ ଘରର ହୋଇଥିବା ବେଳେ ପ୍ରଶାସନ ସହଯୋଗରେ ଶବ ଆଣିବାକୁ ମୋହନା ଏବିଡିଓଙ୍କ ନିକଟରେ ଗୁହାରି ଜଣାଇଛନ୍ତି। ତେବେ ଏବିଡିଓ ନିଜ ଗ୍ରାମର ପାଣ୍ଠିରୁ ଶବ ଆଣିବାକୁ ପରାମର୍ଶ ଦେଇଛନ୍ତି। ଯାହା ଫଳରେ ଗ୍ରାମବାସୀମାନେ ନିରାଶ ହୋଇ ସହାୟତା ବାଟକୁ ଚାହିଁ ବସିଛନ୍ତି। ମୃତ ଅଭୟଙ୍କର ଦୁଇଟି ପୁଅ ଅଛନ୍ତି। ପରିବାର କିଭଳି ଚାଲିବ ସେ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କ ପତ୍ନୀ କାତ୍ରିନା ବିର। ପରିବାର ପ୍ରତିପୋଷଣ ଓ ପେଟପାଟଣା ପାଇଁ ଯାଇଥିବା ଅଭୟଙ୍କ ମୃତ ଶରୀର ଗାଁକୁ ଫେରାଇଆଣିବା ପାଇଁ ପ୍ରଶାସନ କେତେ ଶୀଘ୍ର ପଦକ୍ଷେପ ନେଉଛି ଏବଂ ଶବ ଗାଁରେ ପହଞ୍ଚି ପାରୁଛି ତାହାକୁ ଅଞ୍ଚଳବାସୀଙ୍କ ଅପେକ୍ଷା।

Comments are closed.