ପୂର୍ଣ୍ଣ ପେନ୍ସନ୍ ପାଇଁ ଦାବୀ କଲେ ଓଡ଼ିଶା ରାଜ୍ୟ ଚକବନ୍ଦୀ ଓ ବନ୍ଦୋବସ୍ତ ସ୍ୱଳ୍ପ ପେନସନ୍ଭୋଗୀ କର୍ମଚାରୀ ସଂଘ
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଚକବନ୍ଦୀ ଓ ବନ୍ଦୋବସ୍ତ ସ୍ୱଳ୍ପ ପେନ୍ସନ୍ଭୋଗୀ କର୍ମଚାରୀ ପୂର୍ଣ୍ଣ ପେନ୍ସନ୍ ନିମନ୍ତେ ବାରମ୍ବାର ସରକାରଙ୍କୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ତେଣୁ ଚକବନ୍ଦୀରେ କାର୍ଯ୍ୟକରିଥିବା ସମସ୍ତଙ୍କୁ ପୂର୍ଣ୍ଣ ପେନସନ ଦେବାକୁ ସରକାର ଯଥାଶୀଘ୍ର ନିଷ୍ପତ୍ତି ନିଅନ୍ତୁ । ଅନ୍ୟଥା ଆଗାମୀ ଦିନରେ ହଜାର ହଜାର ଅବସରପ୍ରାପ୍ତ କର୍ମଚାରୀ ନବୀନ ନିବାସ ସମ୍ମୁଖରେ ଧାରଣା ଦେବେ ବୋଲି ଓଡ଼ିଶା ରାଜ୍ୟ ଚକବନ୍ଦୀ ଓ ବନ୍ଦୋବସ୍ତ ସ୍ୱଳ୍ପ ପେନସନ୍ଭୋଗୀ କର୍ମଚାରୀ ସଂଘ ପକ୍ଷରୁ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଚେତାବନୀ ଦିଆଯାଇଛି। ଏହି ଅବସରରେ ସଭାପତି ରାମଚନ୍ଦ୍ର ରଣା କହିଥିଲେ ଯେ ରାଜ୍ୟରେ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ୧୯୭୨-୭୩ ମସିହାରେ ଚକବନ୍ଦୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଯୋଗ୍ୟତା ଭିତ୍ତିରେ ପରୀକ୍ଷା କରାଯାଇ, ବୈଷୟିକ କର୍ମଚାରୀ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ କିରାଣୀମାନଙ୍କୁ ୩୦ ଏଚ୍ଆର ଜବ୍ କଣ୍ଟ୍ରାକ୍ଟ ଭାବେ ନିଯୁକ୍ତ ଦିଆଯାଇ ଚକବନ୍ଦୀ କାର୍ଯ୍ୟ କରାଯାଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୭୮ ମସିହାରେ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ଭାବେ ଘୋଷଣା କଲେ । ମାତ୍ର ତାହା କାର୍ଯ୍ୟକାରୀ ହେଲା ନାହିଁ । ତେଣୁ ସୁପ୍ରିମକୋର୍ଟଙ୍କ ସିଭିଲ୍ ଏପିଏଲ ନଂ.୪୦୭/୯୩, ତା.୨୪.୦୪.୧୯୯୭ରେ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରିଶେଷରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସ୍ଥାୟୀ କଲେ । ମାତ୍ର ପରିତାପର ବିଷୟ ଏହିକି ଯେ ସେମାନଙ୍କୁ ପୂର୍ଣ୍ଣ ଚାକିରୀ ଗଣନା କରାନଯାଇ ସର୍ବନିମ୍ନ ପେନସନ୍ ଟ.୩୫୦୦/-ଙ୍କା ଧାର୍ଯ୍ୟ କରାଗଲା। ତେଣୁ କର୍ମଚାରୀମାନେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫୪ ଜଣଙ୍କୁ ପୂର୍ଣ୍ଣ ପେନସନ ଦେବା ସ୍ଥଳେ ଅନ୍ୟ କର୍ମଚାରୀମାନଙ୍କୁ କୋର୍ଟଙ୍କ ଆଦେଶ ସତ୍ତ୍ୱେ ତାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ବର୍ତ୍ତମାନ ଡ଼ିଭିଜନ ବେଞ୍ଚରେ କେସ୍ ନଂ.୧୯୭୭/୨୦୦୯, ଡ଼ବ୍ଲୁପିସି ୩୪୪୩/୨୦୧୯ ଓ ଡ଼ବ୍ଲୁପିସି ୨୧୬୧୧/୨୦୧୧ରେ ନିର୍ଦ୍ଦେଶ ଅଛି ଯେ ଆଇନ ସଂଶୋଧନ କରି ସମସ୍ତ କର୍ମଚାରୀଙ୍କୁ ପୂର୍ଣ୍ଣ ପେନସନ୍ ପ୍ରଦାନ କରାଯାଉ। ଏହି ପରିପ୍ରେକ୍ଷୀରେ ସଂପାଦକ ହରମୋହନ ରାଉତ କହିଥିଲେ ଯେ ଜମିଜମା ନିର୍ଦ୍ଧାରଣ ପରି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ କର୍ମଚାରୀମାନେ ଆଜି ଦୈନ ଭାବେ ଜୀବନଯାପନ କରୁଛନ୍ତି । ସେମାନେ ପ୍ରସ୍ତୁତ କରିଥିବା ନକ୍ସା ଏବଂ ପଟ୍ଟା ଇତ୍ୟାଦି ସ୍ଥାୟୀ କିନ୍ତୁ ସେମାନଙ୍କ ଚାକିରୀ ଅସ୍ଥାୟୀ । ପୁରୀଠାରେ ସଂଘ ତରଫରୁ ହୋଇଥିବା ସମ୍ମିଳନୀରେ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ପୂର୍ଣ୍ଣ ପେନସନ ଦେବାକୁ ଘୋଷଣା କରିଥିଲେ ମଧ୍ୟ ଉକ୍ତ ଫାଇଲ ନାଲି ଫିତା ତଳେ ଚାପିହୋଇ ରହିଯାଇଛି । ବର୍ତ୍ତମାନ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ମକଦ୍ଦମା ଉଚ୍ଚ ନ୍ୟାୟାଳୟରେ ଆଦେଶ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ତେଣୁ ସରକାର ଯଥାଶୀଘ୍ର ଆମ୍ଭମାନଙ୍କର ଦାବିକୁ ଗ୍ରହଣ କରିବା ସହ ଆନ୍ତରିକତା ସହ ଆମ ସମସ୍ୟାର ସମାଧାନ କଲେ ଆମେ ସରକାରଙ୍କ ନିକଟରେ ଉପକୃତ ହେବୁ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଦୁର୍ଯ୍ୟୋଧନ ଦାସ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, କ୍ଷେତ୍ରମୋହନ ପରିଡ଼ା, ପିତାମ୍ବର ହୋତା, ପ୍ରଫୁଲ୍ଲ ବେହେରାଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.