ବନ୍ଦ ଓଟିଏମ୍ ସମସ୍ୟା ସମାଧାନ ହେବାର ପଥ ପରିଷ୍କାର ହେବାରେ ଲାଗିଛି
ଚୌଦ୍ୱାର: ଅଦାଲତରେ ବିଚାରାଧୀନ ଥିବା ବନ୍ଦ ଓଟିଏମ୍ ସମସ୍ୟା ସମାଧାନ ହେବାର ପଥ ପରିଷ୍କାର ହେବାରେ ଲାଗିଛି । ମିଲ୍ର ଶ୍ରମିକ ଓ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟର ସଠିକ୍ ହିସାବ କରି ଅଦାଲତଙ୍କୁ ଜଣାଇବା ଓ ୧୫୦ କୋଟି ଟଙ୍କା ଅଦାଲତରେ ଜମା କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଫଳରେ ଦୀର୍ଘଦିନ ଧରି ଦୁର୍ଦ୍ଦଶା ଭିତରେ କାଳ କାଟୁଥିବା ଶ୍ରମିକ ଓ କର୍ମଚାରୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି। ହେଲେ ଶ୍ରମିକମାନଙ୍କୁ କେଉଁ ବାବଦ ତଥା କେତେ ଟଙ୍କା ପ୍ରଦାନ କରାଯିବ ସେ ନେଇ କୌଣସି ସ୍ପଷ୍ଟ ଘୋଷଣା ହୋଇ ନଥିବାରୁ ମିଲର ଶ୍ରମିକ ମାନେ ନାନା ଆଶଂକା ଭିତରେ ରହିଛନ୍ତି। ଓଟିଏମ୍ ଉନ୍ନୟନ ସଂଗଠନ ତରଫରୁ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସରକାରଙ୍କ ଠାରୁ ସ୍ପଷ୍ଟିକରଣ ଦାବି କରାଯାଇଛି। ସଂଗଠନର ସଭାପତି ଜଗନ୍ନାଥ ବେଉରାଙ୍କ ଆବାହକତ୍ୱରେ ଆହୁତ ଏହି ସମ୍ମିଳନୀରେ ଦାବି କରାଯାଇଛି ଯେ ଶ୍ରମିକ ଓ କର୍ମଚାରୀମାନଙ୍କୁ ସରକାର ପ୍ରଦାନ କରିବାକୁ ଯାଉଥିବା ବକେୟା ଅର୍ଥର ପୁଙ୍ଖାନୁପୁଙ୍ଖ ବିବରଣୀ ସର୍ବସାଧାରରେ ଘୋଷଣା କରାଯାଉ, ଓଟିଏମ୍ କଲୋନୀ ତଥା ନିକଟସ୍ଥ ବସ୍ତି ମାନଙ୍କରେରେ ରହୁଥିବା ଶ୍ରମିକ ଓ କର୍ମଚାରୀମାନଙ୍କ ଥଇଥାନ କରାଯାଉ, ଯେଉଁ ନୂତନ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି ତାହା ସରକରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହେଉ ଏବଂ ନୂତନ ଶିଳ୍ପରେ ଓଟିଏମର ଶ୍ରମିକ ଓ କର୍ମଚାରୀ ମାନଙ୍କୁ ପରିବାର ଲୋକଙ୍କ ନିଯୁକ୍ତି ବ୍ୟବସ୍ଥା କରାଯାଉ। ସମ୍ପାଦକ ବିଭୁତି ଭୂଷଣ ଦାସ , କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ତ୍ରିପାଠୀ,ରାଜକିଶୋର ସାମନ୍ତ, ରାଜ କିଶୋର ପ୍ରଧାନ,ଛବିନ୍ଦ୍ର ମହାନ୍ତି,ଜିତେନ୍ଦ୍ର କୁମାର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Comments are closed.