‘ଚ ଫର୍‌ ଚୋର୍‌’ ପଢୁଛନ୍ତି ଝାଡ଼ଖଣ୍ଡ ଶିଶୁ

0

ନୂଆଦିଲ୍ଲୀ : ଝାଡ଼ଖଣ୍ଡର କୁଟି ଗ୍ରାମସ୍ଥିତ ଏକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଯେଭଳି ଶିକ୍ଷା ଦିଆଯାଉଛି, ତାହା ଦେଶର ଆଭ୍ୟନ୍ତରୀଣ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଗ୍ରାମସ୍ଥିତ ଏକ ବିଦ୍ୟାଳୟର ଜନୈକ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ବର୍ଣ୍ଣମାଳା ଏବଂ ସେଥିରୁ ସୃଷ୍ଟ ଶବ୍ଦ ବିଷୟରେ ପାଠ ପଢାଇବା ବେଳେ ‘ଏ ଫର ଆଦିବାସୀ’, ବି ଫର ବିଦେଶୀ, ‘ସି ଫର ଛୋଟନାଗପୁର’, ‘ଡି ଫର ଧରିତ୍ରୀ’, ‘ଏଫ ଫର ଫିତା’ ଆଦି ପଢାଉଛନ୍ତି ।

ସେହିପରି ହିନ୍ଦୀ ବର୍ଣ୍ଣମାଳାରେ ‘ଚ ଫର ଚୋର’ ବୋଲି କହୁଛନ୍ତି। ଖାଲି ଏତିକି ନୁହେଁ, ଏହି ଶବ୍ଦ ବ୍ୟବହାର କରି ବାକ୍ୟ ଗଠନ କରିବା ନିମନ୍ତେ ଶିକ୍ଷକ ଜଣକ ଆପତ୍ତିଜନକ ବାକ୍ୟ କହୁଥିବାର ଭିଡିଓ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଥିରେ ଚ ଫର୍‌ ଚୋର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହରୁ ଚୋରମାନଙ୍କ ପ୍ରଧାନମନ୍ତ୍ରୀ ବୋଲି ସମ୍ପୃକ୍ତ ଶିକ୍ଷକ କହୁଥିବା ଦେଖିବାକୁ ମିଳିଛି। ସେହିପରି ‘ଘ ଫର ଘଣ୍ଟି’ ଘଣ୍ଟି ବଜାଉଥିବା ବୋକା ବ୍ରାହ୍ମଣ ବୋଲି ଶିକ୍ଷକ ପାଠ ପଢାଉଛନ୍ତି । ଅଜ୍ଞ, କୋମଳମତି ଶିଶୁମାନେ ଶିକ୍ଷକ କହିଥିବା ବାକ୍ୟକୁ ଦୋହରାଉଛନ୍ତି।

ଶ୍ରେଣୀଗୃହ, କଳାପଟା, ଟେବୁଲ ଚଉକି ଓ ଖାତା ବହିକୁ ନେଇ ଏଭଳି ଶିକ୍ଷା ଦାନ କରାଯାଉ ନାହିଁ; ବରଂ ମୁକ୍ତ ଆକାଶ ତଳେ ଏକ କଳାପଟା ରଖି ପିଲାଙ୍କୁ ଏପରି ପାଠ ପଢାଉଛନ୍ତି ସମ୍ପୃକ୍ତ ଶିକ୍ଷକ। ଏ ବିଷୟରେ ଗଣମାଧ୍ୟମ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା। ମାତ୍ର ଘଟଣା ସମ୍ପର୍କରେ ସେମାନଙ୍କ ନିକଟରେ କୌଣସି ସୂଚନା ନ ଥିବା ଅଧିକାରୀମାନେ ପ୍ରକାଶ କରିଥିଲେ। ରାଜ୍ୟରେ ନିମ୍ନମାନର ଶିକ୍ଷା ବ୍ୟବସ୍ଥା ନେଇ ସମ୍ପୃକ୍ତ ଅଧିକାରୀ ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଝାଡଖଣ୍ଡ ସମେତ ଉତ୍ତରପ୍ରଦେଶ ଓ ବିହାରର କେତେକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ତ୍ରୁଟିପୂର୍ଣ୍ଣ ଶିକ୍ଷାଦାନ କରାଯାଉଥିବା ପୂର୍ବରୁ ମଧ୍ୟ ଲୋକଲୋଚନକୁ ଆସିଛି।

Leave A Reply