www.samajalive.in
Friday, December 5, 2025
26.1 C
Bhubaneswar

୨୪ରେ ଆସିବେ ୭ଜଣିଆ କେନ୍ଦ୍ରୀୟ ଦଳ: ବାତ୍ୟା ‘ଦାନା’ କ୍ଷୟକ୍ଷତି ଅନୁଧ୍ୟାନ କରିବେ

ଭୁବନେଶ୍ବର : ଅକ୍ଟୋବର ମାସ ଶେଷ ଭାଗରେ ଓଡ଼ିଶାରେ ସଂଗଠିତ ବାତ୍ୟା ‘ଦାନା’ ଓ ଓ ପରବର୍ତ୍ତୀ ବନ୍ୟା ଜନିତ କ୍ଷୟକ୍ଷତିର ଆକଳନ ପାଇଁ ୨୪ ତାରିଖରେ ୭ଜଣିଆ କେନ୍ଦ୍ରୀୟ ଦଳ ଓଡ଼ିଶା ଗସ୍ତରେ ଆସିବେ। ଏହି ଆନ୍ତଃ ମନ୍ତ୍ରଣାଳୟ ଦଳ ୨୭ପର୍ଯ୍ୟନ୍ତ ଓଡ଼ିଶାରେ ରହି ପ୍ରଭାବିତ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲା ଗସ୍ତ କରିବା ପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପି.କେ ରାଏଙ୍କ ନେତୃତ୍ୱରେ ଆସିବାକୁ ଥିବା ଏହି ଦଳ ୨୫ରେ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ। ତିନି ଜିଲାକୁ ୩ ଭାଗରେ ବିଭକ୍ତ ହୋଇ ଗସ୍ତରେ ଯିବେ। ରାଜସ୍ବ ବିଭାଗର ଅଧିକାରୀ ସେମାନଙ୍କ ସହିତ ରହିବେ। ସମ୍ପୃକ୍ତ ଜିଲାପାଳଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଯାଇଛି। ୨୬ରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହାପରେ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ଦଳର ଗସ୍ତବେଳେ ଜିଲାପାଳମାନେ ରହିବାକୁ ନିର୍ଦେଶ ଦିଆଯାଇଛି। କେନ୍ଦ୍ରୀୟ ଦଳର ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ବାତ୍ୟା ସହାୟତା ରାଜ୍ୟକୁ ଦେବେ ବୋଲି ସେ ସୂଚନା ଦେଇଛନ୍ତି। ପ୍ରତ୍ୟେକ ବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଭିତ୍ତିଭୂମି କ୍ଷୟକ୍ଷତିର ସ୍ଥାୟୀ ସମାଧାନ ପାଇଁ ସ୍ବତନ୍ତ୍ର ଅର୍ଥ ମଗାଯିବ। ଏନେଇ ବିଶେଷଜ୍ଞମାନଙ୍କ ସହ ବିଚାରବିମର୍ଶ ଚାଲିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ସୂଚନାଯୋଗ୍ୟ, ଅକ୍ଟୋବର ୨୪ତାରିଖ ବିଳମ୍ବିତ ରାତିରେ ବାତ୍ୟା ଦାନା ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏଥିସହିତ ୧୪ଟି ଜିଲା ମଧ୍ୟ ପ୍ରଭାବିତ ହୋଇଥିଲା। ବାତ୍ୟା ପ୍ରଭାବ ଯୋଗୁଁ ପ୍ରବଳ ବର୍ଷାରେ ବିଭିନ୍ନ ନଦୀରେ ବନ୍ୟା ଆସି ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ୧୪ଟି ଜିଲାରେ ପ୍ରାୟ ୬୧୬.୨୦କୋଟି ଟଙ୍କା କ୍ଷତି ହୋଇଥିବା ରାଜ୍ୟ ସରକାରଙ୍କ ପ୍ରାଥମିକ ଆକଳନରୁ ଜଣାପଡ଼ିଥିଲା। ଏହି ରିପୋର୍ଟ ଆଧାରରେ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ ପାଣ୍ଠିରୁ କ୍ଷତିଗ୍ରସ୍ତ ଜିଲାଗୁଡିକୁ ୪୨୩କୋଟି ଟଙ୍କା ସହାୟତା ପ୍ରଦାନ କରିଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories