ନୂଆଦିଲ୍ଲୀ: ଗୋଟିଏ ପଟେ ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରୟାନ-୨କୁ ମହାକାଶକୁ ଉତକ୍ଷେପଣ କରିବା ପାଇଁ ଜୋରସୋର ଉଦ୍ୟମ ଚଳାଇଛନ୍ତି। ଦେଶର ନାଁ ଉଚ୍ଚା କରିବା ପାଇଁ ସେମାନେ ଦିନରାତି ଏକାଠି କରି କାମ କରୁଛନ୍ତି। କିନ୍ତୁ ଅନ୍ୟପଟେ କେନ୍ଦ୍ର ସରକାର ସେମାନଙ୍କ ଦରମା କାଟିବାରେ ଲାଗିଛନ୍ତି। ଗତ ଜୁନ ୧୨ରେ କେନ୍ଦ୍ର ସରକାର ଜାରି କରିଥିବା ଏକ ଆଦେଶରେ କହିଛନ୍ତି ଯେ, ଇସ୍ରୋ ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କୁ ୧୯୯୬ରୁ ଦୁଇଟି ଅତିରିକ୍ତ ବେତନ ବୃଦ୍ଧି ହିସାବରେ ଦିଆଯାଉଥିବା ପ୍ରୋତ୍ସାହନ ଅନୁଦାନ ରାଶିକୁ ବନ୍ଦ କରାଯାଉଛି। ୨୦୧୯ ଜୁଲାଇ ୧ରୁ ଏହି ପ୍ରୋତ୍ସାହନ ରାଶି ବନ୍ଦ କରାଯିବ ବୋଲି ଆଦେଶନାମାରେ କୁହାଯାଇଛି।
ସରକାରଙ୍କ ଏହି ଆଦେଶ ପରେ ଡି, ଇ, ଏଫ ଏବଂ ଜି ଶ୍ରେଣୀର ବୈଜ୍ଞାନିକମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବ ନାହିଁ। ଇସ୍ରୋରେ ପାଖାପାଖି ୧୬ ହଜାର ବୈଜ୍ଞାନିକ ଏବଂ ଇଞ୍ଜିନିୟର କାର୍ଯ୍ୟ କରୁଛନ୍ତି। କିନ୍ତୁ ସରକାରଙ୍କ ନୂଆ ଆଦେଶ ଯୋଗୁ ୮୫ରୁ ୯୦ ପ୍ରତିଶତ ବୈଜ୍ଞାନିକ ଏବଂ ଇଞ୍ଜନିୟରଙ୍କ ଦରମା ୮ରୁ ୧୦ ହଜାର ଟଙ୍କା ହ୍ରାସ ପାଇବ। କାରଣ ଅଧିକାଂଶ ବୈଜ୍ଞାନିକ ଏହି ଶ୍ରେଣୀରେ ଆସୁଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ବୈଜ୍ଞାନିକମାନଙ୍କୁ ପ୍ରୋତ୍ସାହିତ କରିବା, ଇସ୍ରୋ ପ୍ରତି ସେମାନଙ୍କ ଆଗ୍ରହ ବଢ଼ାଇବା ଏବଂ ସଂସ୍ଥାନ ଛାଡ଼ି ନ ଯିବା ଲାଗି ୧୯୯୬ରୁ କେନ୍ଦ୍ର ସରକାର ଏହି ପ୍ରୋତ୍ସାହନ ରାଶି ଦେବା ଆରମ୍ଭ କରିଥିଲେ। କିନ୍ତୁ ଷଷ୍ଠ ବେତନ କମିଶନଙ୍କ ସୁପାରିସ ଅଧୀନରେ ଅର୍ଥ ମନ୍ତ୍ରଣାଳୟ ଏବଂ ଖର୍ଚ୍ଚ ବିଭାଗ ପ୍ରୋତ୍ସାହନ ରାଶି ବନ୍ଦ କରିବାକୁ ମହାକାଶ ବିଭାଗକୁ ପରାମର୍ଶ ଦେଇଛନ୍ତି। ଏହା ବଦଳରେ କେବଳ ପର୍ଫମାନ୍ସ ରିଲେଟେଡ ଇନସେଣ୍ଟିଭ ସ୍କିମ୍ ଲାଗୁ କରାଯାଇଛି।



