www.samajalive.in
Sunday, December 14, 2025
19.1 C
Bhubaneswar

ନେଦରଲ୍ୟାଣ୍ଡର ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ବୋଇତ ବନ୍ଦାଣ ଉତ୍ସବ ପାଳନ

ଆମଷ୍ଟରଡ଼ମ, – ନେଦରଲ୍ୟାଣ୍ଡରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନେ ମହାସମାରୋହରେ ପଞ୍ଚମ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଏବଂ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିବା ଜଣାଯାଇଛି। ଓଡ଼ିଆ ସୋସିଓ କଲଚରାଲ ଆସୋସିଏସନ୍ ନେଦରଲ୍ୟାଣ୍ଡ ( ଓସକାନ) ଦ୍ଵାରା ବହୁ ଆଡ଼ମ୍ବରରେ ଆୟୋଜିତ ଏହି ମହୋତ୍ସବରେ ନେଦରଲ୍ୟାଣ୍ଡର ବିଭିନ୍ନ ଇଲାକାରେ ରହୁଥିବା ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ ସେମାନଙ୍କର ପରିବାର ଓ ବନ୍ଧୁ ପରିଜନଙ୍କ ସହିତ ସାମିଲ ହୋଇଥିବା ଦେଖାଯାଇଥିଲା। ଏହି ଉପଲକ୍ଷେ ଉତ୍ସବ ସ୍ଥଳ ନେଦରଲ୍ୟାଣ୍ଡର ଆଲମେରେ ନଗରର ଦେ ରୁଇମତେ ସଭାଗୃହକୁ ସମ୍ବଲପୁରୀ ବସ୍ତ୍ର ଓ ଓଢ଼ଣୀ, ରଙ୍ଗବେରଙ୍ଗର ପିପିଲି ଚାନ୍ଦୁଆ ଯୁକ୍ତ ଆଲୋକ ଏବଂ ବିଭିନ୍ନ କିସମର କାଗଜ ଡଙ୍ଗାରେ ବେଶ ସୁନ୍ଦର ଓ ଆକର୍ଷଣୀୟ ଢଙ୍ଗରେ ସଜ୍ଜାଯାଇଥିଲା। ସମଗ୍ର ପରିବେଶ ଉତ୍ସବ ମୁଖର ହୋଇ ଉଠିବା ସାଙ୍ଗକୁ ଏକ କ୍ଷୁଦ୍ର ଓଡ଼ିଶାର ଅନନ୍ୟ ଓ ନିଆରା ରୂପ ଧାରଣ କରିଥିବା ଭଳି ଲାଗୁଥିଲା। ବିନା କୋଭିଡ୍ କଟକଣା ମଧ୍ୟରେ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଉଥିବାରୁ ଉପସ୍ଥିତ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଏବଂ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ୨୦୧୭ ମସିହାରେ ମାତ୍ର ୧୫ ଜଣ ଓଡ଼ିଆଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଉତ୍ସବ ଏବେ ସମଗ୍ର ୟୁରୋପରେ ହଇଚଇ ସୃଷ୍ଟି କରି ଏକ ବିଶାଳ କାର୍ଯ୍ୟକ୍ରମର ସ୍ୱରୂପ ଧାରଣ କରିଥିବା ଲକ୍ଷ୍ୟ କରାଯାଉଛି।

ମୁଖ୍ୟ ଅତିଥି କ୍ୱାଲିଟି ଫର ଲାଇଫର ପ୍ରତିଷ୍ଠାତା ଲେଳିତା ବିନ୍ଦ୍ରାବନ ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଉଦ୍ଘାଟନ କରିଥିଲେ। କ୍ୱାଲିଟି ଫର୍ ଲାଇଫ ଏବେ ଓଡ଼ିଶାର ପୁରୀ ଜିଲ୍ଲାରେ ସାମାଜିକ ଉନ୍ନୟନ ପ୍ରକଳ୍ପ ମାନଙ୍କ ପାଇଁ କାର୍ଯ୍ୟରତ ରହିଛି।ଶ୍ରୀମତୀ ବିନ୍ଦ୍ରାବନ ତାଙ୍କର ସମ୍ବୋଧନରେ ନେଦରଲ୍ୟାଣ୍ଡ ଭଳି ବିଦେଶୀ ଭୂମିରେ ଓସକାନ, ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ପ୍ରଚାର ଓ ପ୍ରସାର କରିବା ପାଇଁ ଅହରହ ପ୍ରୟାସ କରୁଥିବାରୁ ଏହାର ଭୂରିଭୂରି ପ୍ରଶଂସା କରିଥିଲେ। ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ତାଙ୍କର ଶୁଭେଛା ବାର୍ତ୍ତାରେ ବ୍ରାଣ୍ଡ ଓଡ଼ିଶାର ମହତ୍ତ୍ଵ ଓ ମହନୀୟତାକୁ ସମଗ୍ର ୟୁରୋପରେ ଲୋକପ୍ରିୟ କରିବା ପାଇଁ ଓସକାନ ଚେଷ୍ଟିତ ଥିବାରୁ ଏହାର ନେତୃବୃନ୍ଦଙ୍କୁ ସାଧୁବାଦ ଜଣାଇଥିଲେ।

- Advertisement -

ଏହି ଅବସରରେ ନେଦରଲ୍ୟାଣ୍ଡର କେନାଲ ଘାଟରେ “ଆ, କା, ମା, ଵୈ… ଉଚ୍ଚାରଣ କରାଯିବା ସହିତ ଉପସ୍ଥିତ ମହିଳା ମାନଙ୍କ ଦ୍ଵାରା ବୋଇତ ବନ୍ଦାପନା କାର୍ଯ୍ୟ ସମ୍ପନ୍ନ କରଯାଇଥିଲା। ଏହା ପରେ ଭସାଣିର ଶୁଭାରମ୍ଭ ହୋଇଥିଲା। ସମଗ୍ର ଗଗନ, ପବନ ହରିବୋଲ, ହୁଳୁହୁଳି ଧ୍ୱନୀ ଏବଂ ଶଙ୍ଖନାଦରେ ପ୍ରକମ୍ପିତ ହେବା ସାଙ୍ଗକୁ ସୁଶୋଭିତ ବୋଇତ ଗୁଡ଼ିକର ଜଳଯାତ୍ରାର ଦୃଶ୍ୟ ଅତ୍ୟନ୍ତ ମର୍ମସ୍ପର୍ଶୀ ଥିଲା।

ଉତ୍ସବର ବିଶେଷ ଆକର୍ଷଣ ଭାବେ ଓସକାନର ସଦସ୍ୟ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଦର୍ଶକ ମାନଙ୍କ ଦ୍ଵାରା ବହୁ ଆଦୃତ ବିବିଧ ମନୋଲୋଭା ପ୍ରସ୍ତୁତି ଗୁଡ଼ିକ ମଧ୍ୟରେ ହୃଦୟସ୍ପର୍ଶୀ ଜଗନ୍ନାଥ ଭଜନ ଓ ଓଡ଼ିଆ ଆଧୁନିକ ସଙ୍ଗୀତ ପରିବେଷଣ, ଭାଗବତ ଟୁଙ୍ଗୀ ନାଟିକାର ମଞ୍ଚସ୍ଥ,ବୋଇତ ନିର୍ମାଣ, ସର୍ବୋତ୍କୃଷ୍ଟ ପୋଷାକ ପିନ୍ଧା, ପିଲାମାନଙ୍କ ମଧ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ଉପରେ ଚିତ୍ରାଙ୍କନ ପ୍ରତିଯୋଗୀତା ମାନ ଆୟୋଜନ ଏବଂ ସ୍ଵାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ଯଥା ଆଳୁଚପ,ସୁଜି କାକରା ପିଠା, ଝାଲ ମୁଢ଼ି,ଆଳୁ ପୋଟଳ ରସା ଓ ଛେନା ତରକାରୀ ଆଦି ପରସା ଯିବା ଅନ୍ତର୍ଭୁକ୍ତ ଥିଲା।

ସମଗ୍ର ଆୟୋଜନକୁ ବ୍ୟାପକ ଭାବେ ସଫଳ କରାଇବାରେ ଓସକାନର ଦକ୍ଷ ସଂଗଠକ କୋର୍ ଟିମ୍ ଯଥା ସଭାପତି ଶାଶ୍ଵତ ପାଢ଼ୀ, ସୁଶୀଲ ଦାସ ମହାପାତ୍ର, ଅଂଶୁମାନ ମିଶ୍ର, ପରିତୋଷ ମହାପାତ୍ର, ନୀଳମାଧବ ମିଶ୍ର, ସୋମନାଥ ଲେଙ୍କା, ଲୋପାମୁଦ୍ରା ନାୟକ, ଦୀପକ ପରିଡ଼ା, ଦେବଦତ୍ତ ଦାସ, ଅରବିନ୍ଦ ଘଢାଇ, ଲିଓଶ୍ରୀ ମହାପାତ୍ର ଏବଂ ଶୁଭେନ୍ଦୁ ଆଚାର୍ଯ୍ୟ ପ୍ରମୁଖଙ୍କର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା।

କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ -୨୦୨୨ କୁ ଆୟୋଜନ କରିବାରେ ଓଡ଼ିଶାର ଆଓନେକଷ୍ଟ ଏବଂ ନେଦରଲ୍ୟାଣ୍ଡର ନୋବେଲ ହାଇପୋଥେକେନ୍, ଜନସେନସ୍ମିଥ ମ୍ୟାକେଲାରସ ଓ ଟେକସେଟିୟୁରସ ପ୍ରମୁଖ ସଂସ୍ଥା ଗୁଡିକ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories