ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଦୁଇଟି ପତ୍ରର ପୁନଃ ପରୀକ୍ଷା ହେବ

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାର ଗଣିତ ପତ୍ର (କୋଡ ୦୪୧) ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଅର୍ଥନୀତି ପତ୍ର (କୋଡ ୦୩୯୦)ର ପୁନଃ ପରୀକ୍ଷା ହେବ । ସିବିଏସଇ ବିଭାଗୀୟ ୱେବସାଇଟରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ସପ୍ତାହକ ମଧ୍ୟରେ ପରୀକ୍ଷାର ନୂଆ ତାରିଖ ୱେବସାଇଟରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି। ମାର୍ଚ୍ଚ ୫ରୁ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି । ୨୮ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଦଶମ ଶ୍ରେଣୀ ପରୀକ୍ଷା ପାଇଁ ୧୬,୩୮,୪୨୮ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୧୧,୮୬,୩୦୬ ଛାତ୍ରଛାତ୍ରୀ ପଞ୍ଜିକରଣ କରାଇଛନ୍ତି ।

ପ୍ରକାଶ ଯେ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପତ୍ର ପରୀକ୍ଷା ମାର୍ଚ୍ଚ ୨୬ରେ ଶେଷ ହୋଇଥିବାବେଳେ ବୁଧବାର ଦଶମ ଶ୍ରେଣୀର ଗଣିତ ପରୀକ୍ଷା ଶେଷ ହୋଇଥିଲ । ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ପରୀକ୍ଷାର କିଛି ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ରର ନକଲ ସାମାଜିକ ଗଣମାଧ୍ୟମରେ ଘୁରିବୁଲିଥିଲା । ସେହିପରି ଦଶମ ଶ୍ରେଣୀ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ମଙ୍ଗଳବାର ରାତିରେ ଲିକ୍‌ ହୋଇ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା। ଏହାପରେ ସିବିଏସ୍‌ଇ ପକ୍ଷରୁ ପ୍ରଶ୍ନପତ୍ର ଲିକ୍‌ ଖବରକୁ ଖଣ୍ଡନ କରାଯାଇଥିଲା । ଛାତ୍ରଛାତ୍ରୀ ଓ ଅଭିଭାବକ ଭୟଭୀତ ନହେବାକୁ ସିବିଏସ୍‌ଇ ପକ୍ଷରୁ କୁହାଯାଇଥିଲା । ତେବେ ସିବିଏସ୍‌ଇ ପରୀକ୍ଷାକୁ ନିରପେକ୍ଷ ଓ ତ୍ରୁଟିମୁକ୍ତ କରିବା ପାଇଁ ଏହି ଦୁଇ ପତ୍ରର ପୁନଃ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ପୁଲିସ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଆରମ୍ଭ କରିଛି ।

Leave A Reply