ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ଯିବେ ସୋନାଲିଙ୍କ ପରିବାର

ହାନ୍‍ସି : ଅଭିନେତ୍ରୀ ସୋନାଲି ଫୋଗଟ୍‍ଙ୍କ ହତ୍ୟା ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯିବାକୁ ଦାବି କରିଛନ୍ତି ତାଙ୍କ ପରିବାର ଲୋକେ। ଇତିମଧ୍ୟରେ ସୋନାଲିଙ୍କ ପରିବାର ସଦସ୍ୟ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‍ ଖଟ୍ଟରଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିଥିଲେ। ସିବିଆଇ ତରନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ବେଳେ ଘଟଣାର ତଦନ୍ତ କରୁଥିବା ଗୋଆ ପୁଲିସର କାର୍ଯ୍ୟଧାରାରେ ସୋନାଲିଙ୍କ ପରିବାରବର୍ଗ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ସୋନାଲିଙ୍କ ଭଣଜା ତଥା ଆଇନଜୀବୀ ବିକାଶ ସିଂହ କହିଛନ୍ତି ସୋନାଲି ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରି ପରିବାର ତରଫରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କୁ ପତ୍ର ଲେଖା ଯାଇଛି। ଏ ସଂପର୍କରେ ପ୍ରଧାନ ବିଚାରପତି କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ପରିବାରର ନଜର ରହିଛି। ଯଦି ଆବଶ୍ୟକ ହୁଏ ତେବେ ସିବିଆଇ ତଦନ୍ତ ଦାବିରେ ପରିବାର ତରଫରୁ ଗୋଆ ହାଇକୋର୍ଟରେ ମାମଲା ରୁଜୁ କରାଯିବ। ସୂଚନାଥାଉକି ସୋନାଲିଙ୍କର ଗୋଆରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ସୋନାଲିଙ୍କୁ ହତ୍ୟାକରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ମାମଲାର ତଦନ୍ତ କରି ପୁଲିସ ସୋନାଲିଙ୍କ ଦୁଇ ସହଯୋଗୀଙ୍କ ସହ ଅନ୍ୟ କେତେକଙ୍କୁ ଗିରଫ କରିଛି। ତେବେ ମାମଲାର ତଦନ୍ତ କରୁଥିବା ଗୋଆ ପୁଲିସର ତଦନ୍ତକୁ ନେଇ ସୋନାଲିଙ୍କ ପରିବାର ଲୋକେ ଆପତ୍ତି ଉଠାଇ ଆସୁଛନ୍ତି।

kalyan agarbati

Comments are closed.