ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ଦୁର୍ଘଟଣା ଘଟଣା: ବିଧାୟକଙ୍କ ସମେତ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ : ଗଣବଳାତ୍କାର ଅଭିଯୋଗ ଆଣିଥିବା ପୀଡ଼ିତାଙ୍କୁ ଟ୍ରକ ଚଢାଉ ହତ୍ୟା ଉଦ୍ୟମ ଘଟଣାରେ ସୋମବାର ଜେଲରେ ଥିବା ଉନ୍ନାଓ ବିଧାୟକ କୁଲଦୀପ ସେନଗାରଙ୍କ ସମେତ ୧୦ ଜଣଙ୍କ ବିରୋଧରେ ଗୁରୁବକ୍ସଗଂଜ ଥାନାରେ ମାମଲା ରୁଜୁ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ କୁଳଦୀପଙ୍କ ଭାଇ ମନୋଜ ସିଂହ, ବିନୋଦ ମିଶ୍ରା, ହରପାଲ ସିଂହ, ନବୀନ ସିଂହ, କୋମଳ ସିଂହ, ଅରୁଣ ସିଂହ, ଜ୍ଞାନେନ୍ଦ୍ର ସିଂହ, ରିଂକୁ ସିଂହ, ଅବଧେଶ ସିଂହଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହାସହ ୧୫ରୁ ୨୦ ଜଣ ଅଜଣା ଲୋକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

prayash

ଲକ୍ଷ୍ନୌ ବିଧି ବିଜ୍ଞାନ ବିଶେଷଜ୍ଞ ଏବଂ ଜିଲାର ଫରେନ୍ସିକ ଦଳ ଘଟଣାର ତଦନ୍ତ କରୁଛନ୍ତି। ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରେ ଟ୍ରକ ଛାଡ଼ି ଚାଲିଯାଇଥିଲା। ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚିବା ପରେ ଟ୍ରକ ନମ୍ବର ପ୍ଳେଟ୍‍ରେ କାଳି ବୋଳାଯାଇଥିବା ଦେଖିବାକୁ ପାଇଥିଲା। କାଳି ପୋଛିବା ପରେ ଟ୍ରକ ନମ୍ବର ୭୧ଏଟି୮୩୦୦ ଥିବା ଦେଖିବାକୁ ମିଳିଛି। ପୀଡ଼ିତାଙ୍କ ପରିବାର ରବିବାର ରାୟବରେଲିର ନିଜ ସମ୍ପର୍କୀୟାଙ୍କୁ ଭେଟିବାକୁ ଯାଉଥିଲାବେଳେ ଦୁର୍ଘଟଣାର ଶିକାର ହୋଇଥିଲା।

ପ୍ରକାଶ ଯେ ୨୦୧୭ ଜୁନରେ ପୀଡ଼ିତା ନିଜର ଜଣେ ସମ୍ପର୍କୀୟଙ୍କ ସହ ବିଧାୟକ କୁଳଦୀପ ସେନଗାରଙ୍କ ନିକଟକୁ ଚାକିରି ପାଇଁ ଯାଇଥିଲାବେଳେ ବଳାତ୍କାରର ଶିକାର ହୋଇଥିଲେ। ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରିବା ପରେ ତାର ପରିବାର ଲୋକଙ୍କୁ ଧମକ ଚମକ ଦିଆଯାଇଥିଲା। ଏହାର କିଛି ଦିନ ପରେ ପୁଲିସ୍‍ ପୀଡ଼ିତାର ବାପାଙ୍କୁ ଗିରଫ କରିନେଇଥିଲେ। ପରେ ପୁଲିସ ହାଜତରେ ପୀଡ଼ିତାର ବାପାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‍ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ୨୦୧୮ ଅପ୍ରେଲ ମାସରେ ପୀଡ଼ିତା ଏବଂ ତାର ପରିବାର ଲୋକେ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାପରେ ଏହି ଘଟଣା ଦେଶବ୍ୟାପି ଚର୍ଚ୍ଚାର ବିଷୟ ହୋଇଥିଲା। ବିରାଧୀ ଦଳଗୁଡ଼ିକୁ ଏହାକୁ ପ୍ରସଙ୍ଗ କରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଫଳରେ ସରକାର ବାଧ୍ୟ ହୋଇ ସିବିଆଇକୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ। ସିବିଆଇ ସେନଗାରଙ୍କୁ ବହୁ ସମୟ ଜେରା କରିବା ପରେ ୨୦୧୮ ଅପ୍ରେଲ ୧୪ରେ ଗିରଫ କରିଥିଲା। ସେବେଠାରୁ ସେନଗାର ଜେଲରେ ଅଛନ୍ତି ।

kalyan agarbati

Comments are closed.