ନୂଆଦିଲ୍ଲୀ: ଭାରତରେ କୃଷକ ଆନ୍ଦୋଳନକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଇଥିବା ମନ୍ତବ୍ୟକୁ ଭାରତ ନାପସନ୍ଦ କରିଛି। ଭାରତ ପକ୍ଷରୁ କାନାଡ଼ାକୁ ଚେତାବନୀ ସ୍ବରୂପ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡା ଉଚ୍ଚାୟୁକ୍ତଙ୍କୁ ରିପୋର୍ଟ ତଲବ କରାଯାଇଛି। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ କାନାଡା ନେତାଙ୍କ ମନ୍ତବ୍ୟ ଆମ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବରଦାସ୍ତ କରି ନ ପାରିବା ଭଳି ହସ୍ତକ୍ଷେପ।

ବିଦେଶ ମନ୍ତ୍ରଣାଳୟ କାନାଡା ଉଚ୍ଚାୟୁକ୍ତଙ୍କୁ କହିଛି ଯେ, ଭାରତୀୟ କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗରେ କାନାଡା ପ୍ରଧାନମନ୍ତ୍ରୀ, କିଛି କ୍ୟାବିନେଟ୍ମନ୍ତ୍ରୀ ଏବଂ ସାଂସଦଙ୍କ ଟିପ୍ପଣୀ ଆମ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ସଦୃଶ। ଏହାକୁ ଆଦୌ ଗ୍ରହଣ କରାଯିବ ନାହିଁ। ଯଦି ଏପରି ଟିପ୍ପଣୀ ଜାରି ରୁହେ, ତେବେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଉପରେ ଗମ୍ଭୀର ରୂପେ ନକାରାତ୍ମକ ପ୍ରଭାବ ପଡ଼ିବ।
ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, କାନାଡା ନେତାମାନଙ୍କ ଏଭଳି ମନ୍ତବ୍ୟ କାନାଡ଼ାରେ ଆମ ଉଚ୍ଚାୟୋଗ ଏବଂ ବାଣିଜ୍ୟ ଦୂତାବାସ ସାମ୍ନାରେ ଚରମପନ୍ଥୀଙ୍କ ସଭାକୁ ପ୍ରୋତ୍ସାହିତ କରିଛି, ଯାହାଦ୍ବାରା ସେଠାରେ ସୁରକ୍ଷା ପ୍ରସଙ୍ଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାନାଡ଼ା ସରକାର ଭାରତୀୟ ଦୂତାବାସର କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ଆମେ ଆଶା ରଖିଛୁ।
ସୂଚନାଯୋଗ୍ୟ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ମନ୍ତବ୍ୟ ଦେଇଥିଲେ। ସେ ଭାରତୀୟ କୃଷକମାନଙ୍କୁ ସମର୍ଥନ କରି ଦେଶରେ ସ୍ଥିତି ଚିନ୍ତାଜନକ ବୋଲି କହିଥିଲେ। ଅନ୍ୟପଟେ ଭାରତରେ କୃଷକ ଆନ୍ଦୋଳନ ୯ମ ଦିନରେ ପହଞ୍ଚିଛି। ଗତ ଗୁରୁବାର କୃଷକ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ହେଁ ତାହା ଅମୀମାଂଶିତ ରହିଥିଲା। ଶନିବାର ୫ମ ଥର ଲାଗି କୃଷକ ପ୍ରତିନିଧିଙ୍କ ସହିତ ସରକାର ଆଲୋଚନା କରିବେ।



