ହରଭଙ୍ଗା : ଆସନ୍ତା ୨୦ରେ ହରଭଙ୍ଗା ବ୍ଲକରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବ। ବ୍ଲକର ୯୪ହଜାର୮୬୭ ଭୋଟର ୯୪ ଜଣ ସରପଞ୍ଚ ପ୍ରାର୍ଥୀ, ୭୬ଜଣ ସମିତି ସଭ୍ୟ ପ୍ରାର୍ଥୀ, ୪୩୨ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ସହିତ ୧୧ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେଥିରୁ ବ୍ଲକର ୨୨ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୩ଶହ ୱାର୍ଡ ସଭ୍ୟ ସହିତ ୩ଟି ଜିଲ୍ଲାପରିଷଦ ସଭ୍ୟଙ୍କୁ ଭୋଟର ଚୟନ କରିବେ । ଭୋଟ୍ ସମୟ ପାଖେଇ ଆସୁଥିବା ବେଳେ ନିଜ ସର୍ମଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସବୁଠି ରାଜନୈତିକ ପ୍ରତିଦ୍ୱନ୍ଦିତା ଜୋରଧରିଛି। କିଏ କେଉଁଠୁ ଜିତିବ ତାକୁ ନେଇ ପ୍ରମୁଖ ରାଜନୈତିକ ଦଳଗୁଡିକ ଅଙ୍କ କଷୁଛନ୍ତି। ତେବେ ଭୋଟ୍ ପୂର୍ବରୁ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ଉପରେ ଏବେଠୁ ପ୍ରଭାବଶାଳୀଙ୍କ ନଜର କେନ୍ଦ୍ରୀଭୂତ ହୋଇଛି । ଏଥର ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୨୨ ପଞ୍ଚାୟତରୁ ୧୧ଟି ପଞ୍ଚାୟତରେ ସମିତି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ୧୧ ଆସନ ଉପରେ ବିଜେଡି ଏବଂ ବିଜେପିର କଡା ନଜର ରହିଛି। ଏଥର ବ୍ଲକ ଅଧ୍ୟକ୍ଷ ଆସନ ହାତେଇବା ପାଇଁ ବିଜେପି ଆପ୍ରାଣ ଚେଷ୍ଟା ଚଳେଇଛି। ମାତ୍ର ବିଜେଡିର ଢିଲାପଣ ବିଜେପିକୁ ଏହି ଆସନ ହାତେଇବା ପାଇଁ ଏକ ବଡ ସୁଯୋଗ ସୃଷ୍ଟି କରିଛିି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋରଧରିଛି। ସୂଚନା ଥାଉ କି ବୌଦ୍ଧ ନିର୍ବାଚନ ମଣ୍ଡଳୀର ହରଭଙ୍ଗା ବ୍ଲକ ରାଜନୈତିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ। ଏହି ବ୍ଲକର ଭୋଟର ସବୁ ନିର୍ବାଚନ ସମୟରେ ବୌଦ୍ଧ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ଏହି ବ୍ଲକ ଅନେକ ଗୁରତ୍ୱ ରଖୁଥିବାରୁ ସବୁବେଳେ ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା ଚାଲିଥାଏ। ମୋଟାମୋଟି ଭାବେ କହିବାକୁ ଗଲେ ଅଧ୍ୟକ୍ଷ ଆସନ ବିଧାୟକ ପ୍ରାର୍ଥୀଙ୍କ ରାଜନୈତିକ କ୍ୟାରିୟର ପାଇଁ ଭାଗ୍ୟରେଖା ଟାଣିଥାଏ। ତେଣୁ ଏଠାରେ ସବୁ ପଞ୍ଚାୟତ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ରାଜନୈତିକ ଦଳ ମଧ୍ୟରେ ଛକାପଞା ଲାଗିରହିଥାଏ । ୧୯୯୭ ରୁ ୨୦୧୨ ପର୍ଯ୍ୟନ୍ତ ଦୀର୍ଘ କୋଡିଏ ବର୍ଷ କଂଗ୍ରେସ ଏହି ଆସନ ନିଜ ଅକ୍ତିଆରରେ ରଖିଥିଲା। ହେଲେ ୨୦୧୪ ଶେଷ ବେଳକୁ ଏହି ଆସନ କଂଗ୍ରେସ ହାତରୁ ବିଜେଡି ପାଖକୁ ଚାଲି ଯାଇଥିଲା। ଗତ ୨୦୧୭ରେ ମଧ୍ୟ ଏହି ଆସନ ବିଜେଡି ଅକ୍ତିଆର କରିଥିଲା। ଚଳିତଥର ମଧ୍ୟ ଶାସକ ବିଜେଡି ଏହି ଆସନ ହାତେଇବା ପାଇଁ ଚେଷ୍ଟା ଚଳାଇଛି।ମାତ୍ର ବିଜେଡିର ଢିଲାପଣ ଯୋଗୁଁ ଏଥର ଏହି ଆସନ ବିଜେପି ହାତକୁ ଚାଲିଯିବା ସମ୍ଭାବନା ରହିଥିବା କୁହାଯାଉଛି। ହେଲେ ନିର୍ବାଚନ ଦୌଡରେ କିଏ ଏହି ଆସନ ବାଜିମାତ୍ କରୁଛି ତାକୁ ନେଇ ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ଏବେଠାରୁ ଅଙ୍କକଷା ଜୋରଧରିଛି ।
Popular Categories



