www.samajalive.in
Sunday, December 14, 2025
23.1 C
Bhubaneswar

ସାମିଲ ହେବେ ୩, ବାଦ୍‌ ପଡ଼ିବେ ଜଣେ

ସମ୍ବଲପୁର  : ବିଜେପୁର ନିର୍ବାଚନ ପରେ ଦଳର ନେତା ଓ କର୍ମୀଙ୍କୁ ପୁରସ୍କୃତ କରିବାକୁ ନବୀନ କୁଣ୍ଠିତ ହୋଇ ନାହାନ୍ତି। ସେହିପରି ଦଳରେ ଥିବା ଆଭ୍ୟନ୍ତରୀଣ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଦ୍ୱିତୀୟ ବର୍ଗର କିଛି କନିଷ୍ଠନେତାଙ୍କୁ ଥଇଥାନ ନିମନ୍ତେ ପଦକ୍ଷେପ ନେଇଛନ୍ତି। ଏବେ ସମସ୍ତଙ୍କୁ ଚକିତ କରିଦେବା ପରି ଆଉ ଏକ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବାକୁ ଯାଉଛନ୍ତି। ଖୁବ୍‌ ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ଛୋଟ ପରିବର୍ତ୍ତନ ହେବ। ପ୍ରସ୍ତୁତ ନକ୍ସା ଅନୁସାରେ ଜଣେ ମନ୍ତ୍ରୀଙ୍କୁ ବାଦ ଦିଆଯିବା ସହ ୩ଟି ନୂଆ ଚେହେରା ସରକାରରେ ସାମିଲ ହେବେ।
ଗତ ମେ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରିଥିଲେ। ୧୦ ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ସୂର୍ଯ୍ୟନାରାୟଣ ପାତ୍ର, ମହେଶ୍ୱର ମହାନ୍ତି, ପ୍ରତାପ ଜେନା, ଚନ୍ଦ୍ରସାରଥୀ ବେହେରା, ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା, ସୁଶାନ୍ତ ସିଂହ, ଅନନ୍ତ ଦାସ, ନୃସିଂହ ଚରଣ ସାହୁ, ନିରଞ୍ଜନ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ଏହି ତାଲିକାରେ ବିଜୟ ନାୟକଙ୍କ ନାମ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କୁ ଏଥିରୁ ବାଦ ଦିଆଯାଇଥିଲା। ତେଣୁ ୨୧ ଜଣିଆ ମନ୍ତ୍ରିମଣ୍ଡଳରୁ ଗୋଟିଏ ପଦ ଖାଲି ପଡ଼ିଥିଲା। ଇତି ମଧ୍ୟରେ ମନ୍ତ୍ରୀ ଦାମୋଦର ରାଉତଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯିବା ପରେ ଦୁଇଟି ପଦ ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀ ତାଙ୍କ ହାତରେ ଥିବା ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ପୂର୍ତ୍ତ ଓ ଜଳସମ୍ପଦ ବିଭାଗ ତ୍ୟାଗ କରି ଅନ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ମୋଟାମୋଟି ଦେଖିଲେ ଜଣେ ଜଣେ ମନ୍ତ୍ରୀଙ୍କ ହାତରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି।
ଶଶିଭୂଷଣଙ୍କ ନିକଟରେ ଅବକାରୀ ଓ ଅର୍ଥ, ପ୍ରଦୀପ ମହାରଥୀଙ୍କ ନିକଟରେ ପଞ୍ଚାୟତିରାଜ ଓ କୃଷି, ପ୍ରତାପ ଜେନାଙ୍କ ନିକଟରେ ସ୍ୱାସ୍ଥ୍ୟ ଓ ଲୋକସମ୍ପର୍କ, ପ୍ରଫୁଲ୍ଲ ମଲ୍ଲିକଙ୍କ ନିକଟରେ ଇସ୍ପାତ ଓ ଖଣି ସହ ପୂର୍ତ୍ତ ବିଭାଗ, ନିରଞ୍ଜନ ପୂଜାରୀଙ୍କ ନିକଟରେ ଶିଳ୍ପ ସହ ଜଳସମ୍ପଦ, ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିକଟରେ ସମବାୟ ସହ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ରହିଥିବାବେଳେ ସୁଶାନ୍ତ ସିଂହ ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗ ସହ ଶ୍ରମ ଓ ନିଯୁକ୍ତି ବିଭାଗର ମନ୍ତ୍ରୀ ରହିଛି। ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ
ତୁଲାଇବା କ୍ଷେତ୍ରରେ କିଛି ମନ୍ତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୧ ଜିଲାରୁ ୨୦ ଜଣ ମନ୍ତ୍ରି ରହିଥିବାବେଳେ ୧୯ଟି ଜିଲାରେ କେହି ମନ୍ତ୍ରୀ ନାହାନ୍ତି। ୪ର୍ଥ ପାଳି ସରକାରରେ ୯ଟି ଜିଲା ଆରମ୍ଭରୁ ମନ୍ତ୍ରୀ ପଦ ପାଇ ନାହାନ୍ତି। ଝାରସୁଗୁଡ଼ା, ଦେବଗଡ଼, କୋରାପୁଟ ଆଦି ଜିଲାରେ ଦଳର କେହି ବିଧାୟକ ନିର୍ବାଚିତ ହୋଇ ନ ଥିବା ଯୋଗୁଁ ଏହି ଜିଲାଗୁଡ଼ିକ ସ୍ୱାଭାବିକ ବାଦ ପଡ଼ିଥିଲା। ମାତ୍ର ସୁନ୍ଦରଗଡ଼ରେ ୨, ସମ୍ବଲପୁରରେ ୩, ମାଲକାନଗିରିରେ ୨ ବିଧାୟକ ଥିବା ସତ୍ତ୍ୱେ ଏହି ଜିଲାଗୁଡ଼ିକୁ ୨୦୧୪ରୁ ପ୍ରତିନିଧିତ୍ୱ ମିଳିନାହିଁ। ସେହିପରି ବିଭିନ୍ନ ପର୍ଯ୍ୟାୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ରାୟଗଡ଼ା, ବଲାଙ୍ଗୀର, ଯାଜପୁର, କଳାହାଣ୍ଡି, ନୟାଗଡ଼, ମୟୂରଭଞ୍ଜ, ବୌଦ୍ଧ ଓ କେନ୍ଦ୍ରାପଡ଼ା ଜିଲା ବାଦ ପଡ଼ିଛି। ଅନ୍ୟପକ୍ଷରେ ଗଞ୍ଜାମ ଜିଲାରେ ୪, ପୁରୀ, କଟକ, ଭଦ୍ରକ, ଖୋର୍ଦ୍ଧା, ବରଗଡ଼, ଢ଼େଙ୍କାନାଳ ଆଦି ଜିଲାରୁ ୨ ଜଣ ଲେଖାଏଁ ମନ୍ତ୍ରୀ ଥିବାବେଳେ ସୋନପୁର, ନବରଙ୍ଗପୁର, କେନ୍ଦୁଝର, ବାଲେଶ୍ୱର ଜିଲାରୁ ଜଣେ ଲେଖାଏଁ ମନ୍ତ୍ରୀ ରହିଛନ୍ତି। ତେଣୁ ଆଉ ତିନିଟି ଜିଲାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ଦିଆଯିବାର ସମ୍ଭାବନା ରହିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories