ସମ୍ବଲପୁର : ସମ୍ବଲପୁରରେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଦିନକୁ ଦିନ ଅପରାଧୀମାନଙ୍କ ମଧ୍ୟରେ ଆଇନ ପ୍ରତି ତିଳେ ହେଲେ ଭୟ ରହୁ ନ ଥିବାର ପରିଲକ୍ଷିତ ହେଉଛି। ଫଳରେ ନିୟମିତ ଭାବରେ ହତ୍ୟାକାଣ୍ଡ, ଗୋଷ୍ଠୀ ସଂଘର୍ଷ, ଛୁରା ମାଡ, ଚୋରି, ଗାଡି ପୋଡି, ମାଡପିଟ, ଜୁଆ, ସଟ୍ଟା ଆଦି ବିଭିନ୍ନ ପ୍ରକାରର ଅପରାଧିକ ଗତିବିଧି ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଉଥିବା ଦେଖା ଯାଉଛି। ଦୀପାବଳି ପାଇଁ ସହର ସାରା ପ୍ରାୟ ୫ ପ୍ଲାଟୁନ ପୁଲିସ ମୃତୟନ ହୋଇଥିବା ବେଳେ ରହସ୍ୟଜନକ ଭାବରେ ଟାଉନ ଥାନା ଅର୍ନ୍ତଗତ ରାମଜୀଗୁଡି ପଡା ଠାରେ ଶନିବାର-ରବିବାର ମଧ୍ୟ ରାତ୍ରିରେ ଏକ ବୋଲେରୋ ଗାଡିକୁ ପୋଡି ଦେବା ସହିତ ଏକ ମାରୁତି କାର ଓ ଅଟୋକୁ କିଛି ଦୁବୃତ୍ତ ଭଙ୍ଗାରୁଜା କରିଛନ୍ତି। ଅଞ୍ଚଳବାସୀଙ୍କ ସୂଚନାନୁଯାୟୀ, ମଧ୍ୟ ରାତ୍ରିରେ କିଛି ବ୍ୟକ୍ତି ଅଞ୍ଚଳରେ ବ୍ୟାପକ ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ। ତେବେ ପ୍ରାୟ ୨ଟାରେ ଅଚାନକ ବିଦ୍ୟୁତ ଚାଲିଯିବାରୁ ଲୋକେ ଘରୁ ବାହାରିବାରୁ ଅଞ୍ଚଳର ସରକାରୀ ସ୍କୁଲ ସମ୍ମୁଖରେ ପାର୍କିଂ କରାଯାଇଥିବା ବୋଲେରୋ ଗାଡିଟି ହୁତହୁତ ହୋଇ ଜଳୁଥିବାର ଦେଖିଥିଲେ। ଏହା ସହିତ ଗାଡି ଉପର ଦେଇ ଯାଇଥିବା ୧୧ କେଭିର ଉଚ୍ଚକ୍ଷମତା ସମ୍ପନ୍ନ ବିଜୁଳି ଲାଇନ ତାର ମଧ୍ୟ ଜଳୁଥିବାର ଲୋକେ ଦେଖିଥିଲେ। ଏଣୁ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଅଗ୍ନିଶମ ଦଳ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭିବା ପରେ ପୋଡି ଯାଇଥିବା ବୋଲେରୋ ନିକଟରେ ପାର୍କଂ ହୋଇଥିବା ଏକ କାର ଓ ଅଟୋକୁ ଭଙ୍ଗାରୁଜା କରାଯାଇଥିବାର ଲୋକେ ଦେଖିଥିଲେ।

ପୁଲିସକୁ ଖବର ଦିଆଯିବାରୁ ଘଟଣାସ୍ଥଳକୁ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ପୋଡି ଯାଇଥିବା ବୋଲୋରୋ ମାଲିକ ବଡବଜାର ଅଞ୍ଚଳର ନିବାସୀ ଅଶୋକ ନାୟକ ହୋଇଥିବା ବେଳେ ତାଙ୍କର ଗାଡିର ଡ୍ରାଇଭର ସବୁ ଦିନ ଭଳି ଗାଡିକୁ ସେ ରହୁଥିବା ରାମଜିଗୁଡି ପଡା ଠାରେ ପାର୍କିଂ କରିଥାଏ। ଏ ନେଇ ବୋଲେରି ମାଲିକଙ୍କ ତରଫରୁ ଏକ ଲିଖିତ ଅଭିଯୋଗ ଟାଉନ ଥାନାରେ ଦିଆଯିବାରୁ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଟାଉନଥାନା ଅଧିକାରୀ କହିଛନ୍ତି। ଅନ୍ୟ ପଟରେ ଆଖାପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜରେ ବୋଲୋରୋ ପୋଡି ଓ ଅନ୍ୟ ଗାଡି ଗୁଡିକର ଭଙ୍ଗାରୁଜା ଘଟଣା ରେକର୍ଡ ହୋଇଥିବା ବେଳେ ପୁଲିସ ତାକୁ ଅକ୍ତିୟାରକୁ ନେଇ ଯାଞ୍ଚ କରୁଛି। କିନ୍ତୁ ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରି ନ ଥିବାର ଥାନାଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଟାଉନ ଥାନା

ର ଅନେକ ମାମଲା ଗୁଡିକରେ କାର୍ଯ୍ୟାନୁଷ୍ଠାନର ଅଭାବ ଯୋଗୁଁ ଅପରାଧି ମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି। ବିଗତ ଦିନରେ ଏସପିଙ୍କ କାର୍ଯ୍ୟାାଳୟ ନିକଟରୁ ସ୍ପଷ୍ଟ ଦିବାଲୋକରେ ୩ ଲକ୍ଷ ୨୯ ହଜାର ଟଙ୍କା ଲୁଟ, ଗୋଲବଜାର ମଧ୍ୟରୁ ସ୍କୁଟି ଚୋରି, ଆଦି ଅନେକ ଘଟଣାରେ ପୁଲିସ ପାଖରେ ଏଚଡି କ୍ୱାଲିଟିର ସିସିଟିଭି ଫୁଟେଜ ରହିଥିବା ବେଳେ କିନ୍ତୁ ପୁଲିସର ଦକ୍ଷତା ଅଭାବ ଯୋଗୁଁ ଏ ପର୍ଯ୍ୟନ୍ତ କୌଣସି ମାମଲାରେ ପୁଲିସକୁ ସଫଳତା ମିଳିପାରି ନାହିଁ। ସେହିଭଳି ବିଗତ ଦିନରେ ବାଲିବନ୍ଧା ଠାରେ ସ୍ପଷ୍ଟଦିବାଲୋକରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଖୋଲାଖୋଲି ଭାବରେ ପିସ୍ତଲ ଦେଖାଇ ଭୟଭୀତ କରାଇବା ଘଟଣା ହେଉ କି ବାଲିବନ୍ଧା ଅଞ୍ଚଳରେ ଏକ ବାଇକ ଓ ମୋପେଡ ପୋଡି ଘଟଣା ହେଉ ସବୁ ମାମଲାରେ ଏବେ ପର୍ଯ୍ୟନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ନଜରକୁ ଆସି ନାହିଁ। ପୁଲିସ ଯେଉଁଭଳି ଭାବରେ କାର୍ଯ୍ୟ କରୁଛି, ଆଗାମୀ ଦିନରେ ସମ୍ବଲପୁର ସହର ମଧ୍ୟରେ ଆଇନ ବ୍ୟବସ୍ଥା ଆହୁରୀ ନିମ୍ନଗାମୀ ହେବ ବୋଲି ସବୁ ମହଲରେ ମତପ୍ରକାଶ ପାଉଛି।



