ବୁର୍ଲା ଭିସୁଟରେ ରାଗିଙ୍ଗ ପ୍ରସଙ୍ଗ: ୨ ଛାତ୍ରଙ୍କୁ ୨ ବର୍ଷ ଓ ୧୦ ଛାତ୍ରଙ୍କୁ ବର୍ଷେ ବିଶ୍ୱବିଦ୍ୟାଳୟରୁ ବହିଷ୍କାର

ବୁର୍ଲା: ବୁର୍ଲା ଭିସୁଟରେ ଜଣେ ତୃତୀୟ ବର୍ଷର ପ୍ରଡ଼କ୍ସନ ଇଞ୍ଜିନିୟରିଙ୍ଗ ଛାତ୍ରଙ୍କୁ ରାଗିଙ୍ଗ କରାଯିବା ପରି ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଥିଲା। ଖବର ପାଇବା ମାତ୍ରେ ପିଡ଼ିତ ଛାତ୍ରଙ୍କ ପିତାମାତା ବୁର୍ଲା ଭିସୁଟରେ ପହଞ୍ଚି ଛାତ୍ରକଲ୍ୟାଣ ଡ଼ିନଙ୍କୁ ଭେଟି ଆଲୋଚନା ତଥା କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ। ପୁଲହ ଛାତ୍ରାବାସରେ ଗତ ୨୨ ତାରିଖ ବିଳମ୍ବିତ ରାତି ୧୧ଟା ୩୦ ମିନିଟ ସମୟରେ ଉକ୍ତ ପିଡ଼ିତ ତୃତୀୟ ବର୍ଷ ଛାତ୍ର ମୋବାଇଲ ନ ଦେବାରୁ ୧୮ ଜଣ ଚତୁର୍ଥ ବର୍ଷର ବରିଷ୍ଠ ଛାତ୍ର ଉକ୍ତ ଛାତ୍ରଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଫଳରେ ଉକ୍ତ ଛାତ୍ରଙ୍କ ମୁହଁ, ଆଖିତଳ, କାନମୁଣ୍ଡା, ବେକ, ହାତ, ମୁଣ୍ଡପଛ ପାଖ, ପିଠି ପଛ, ଛାତି ତଥା ଶରୀରର ଅନ୍ୟାନ୍ୟ ସ୍ତାନରେ କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।

ଏହାପରେ ଶୃଙ୍ଖଳା କମିଟି ବୈଠକ ଗତ ୨୪ ତାରିଖରେ ଅନୁଷ୍ଠିତ ହୋଇ ଏହି ରାଗିଙ୍ଗ ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୨ ଜଣ ବରିଷ୍ଠ ର‍୍ୟାଗିଙ୍ଗ ଅଭିଯୁକ୍ତ ଛାତ୍ରଙ୍କୁ ଗତ ଶୁକ୍ରବାର ବା ୨୪ ତାରିଖ ସଂନ୍ଧ୍ୟା ୬ଟା୩୦ ସୁଦ୍ଧା ଛାତ୍ରାବାସ ଛାଡିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଯଦିବା ଏହି ନିର୍ଦ୍ଦେଶକୁ ଅବମାନନା କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଭିସୁଟ କ୍ୟାମ୍ପସ ମଧ୍ୟକୁ ତାଙ୍କର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବିନା ଅନୁମତିରେ ପ୍ରବେଶ ଉପରେ ମଧ୍ୟ ବାରଣ କରାଯାଇଥିଲା।

ପୁଣି ଆଜି ୨୯ ତାରିଖ ଦିନ ସେହି ୧୨ ଜଣ ର‍୍ୟାଗିଙ୍ଗ ଅଭିଯୁକ୍ତ ଛାତ୍ରଙ୍କ ମଧ୍ୟରୁ ୨ ଜଣ ଛାତ୍ରଙ୍କୁ ଦୁଇବର୍ଷ ଏବଂ ୧୦ ଜଣ ଛାତ୍ରଙ୍କୁ ବର୍ଷେପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରିଦିଆ ଯାଇଛି। ଛାତ୍ରକଲ୍ୟାଣ ଡ଼ିନ ପ୍ରଫେସର ଶୁଭ୍ରାଂଶୁ ଶେଖର ଦାସଙ୍କ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉକ୍ତ ଛାତ୍ରମାନେ ହେଲେ ପ୍ରଡ଼କ୍ସନ ଇଞ୍ଜିନିୟରିଙ୍ଗ ଶୁଭଜିତ ଆଇଚ୍‍ ଏବଂ ସିଭିଲ ଇଞ୍ଜିନିୟରିଙ୍ଗ ସୌରଭ କୁମାର ନାଏକଙ୍କୁ ଦୁଇବର୍ଷ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଥିବା ବେଳେ ୧୦ ଜଣ ଛାତ୍ରଙ୍କୁ ୧ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଛି।

୧୦ ଜଣ ଛାତ୍ରଙ୍କ ମଧ୍ୟରେ ସିଭିଲ ଇଞ୍ଜିନିୟରିଙ୍ଗ ବିଭାଗର ଅବିନାଶ ଦାସ, ସିଭିଲ ଇଞ୍ଜିନିୟରିଙ୍ଗ ଅମ୍ରିତ ମହାନ୍ତି, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗ ବିଭାଗର ଶୁଭମ ଶେଖର ଆଚାର୍ଯ୍ୟ, ପ୍ରଡ଼କ୍ସନ ଇଞ୍ଜିନିୟରିଙ୍ଗ ବିଭାଗର ନିହାର ରଞ୍ଜନ ସାହୁ, ସିଭିଲ ଇଞ୍ଜିନିୟରିଙ୍ଗ ଅବିନାଶ ମହାନ୍ତି, ସିଭିଲ ଇଞ୍ଜିନିୟରିଙ୍ଗ ହୃଷିକେଶ ସେଠୀ, ସିଭିଲ ଇଞ୍ଜିନିୟରିଙ୍ଗ ଅକାଶ ମହାନ୍ତି, ସିଭିଲ ଇଞ୍ଜିନିୟରିଙ୍ଗ ନିଶାନ୍ତ କୁମାର ରଏ, ଇଲେକଟ୍ରୋନିଷ୍କ ଏଣ୍ଡ ଟେଲିକମ୍ୟୁନିକେସନ ବିଭାଗର ହ୍ରିତେଶ କୁମାର ଭୋଈ ଏବଂ ସିଭିଲ ଇଞ୍ଜିନିୟରିଙ୍ଗ ପ୍ରକାଶ ଘଡ଼ାଇଙ୍କୁ ଏକବର୍ଷ ପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରିଦିଆ ଯାଇଛି। ତେବେ ଶୃଙ୍ଖଳା କମିଟି ବୈଠକରେ ଛାତ୍ରକଲ୍ୟାଣ ଡ଼ିନ ପ୍ରଫେସର ଏସ ଏସ ଦାସଙ୍କ ଅଧ୍ୟକ୍ଷତାରେ କୁଳସଚିବ ଉପମା କାଲୋ ଅନ୍ୟାନ୍ୟ ଡ଼ିନ ଅଧ୍ୟାପକ ତଥା ଛାତ୍ରାବାସ ୱାର୍ଡେ଼ନ ଉପସ୍ତିତ ରହିଥିଲେ।

Comments are closed.