ମହିଳା ଋଣ ଟଙ୍କା ପରିଷୋଧ କରି ନପାରିବାରୁ ଶିଶୁକୁ ଅଟକ ରଖିଲେ ଘରୋଇ ଫାଇନାନ୍ସ କମ୍ପାନୀ

ପରେ ମାନବାଧିକାର ଜିଲା ସଭାପତି ଯାଇ ଶିଶୁକୁ ମୁକୁଳାଇଲେ

ବୁର୍ଲା: ବୁର୍ଲା ସହର ସ୍ଥିତ ଗଣେଶନଗରରେ ଏସକେଏସ ନାମକ ଏକ ଘରୋଇ ଫାଇନାନ୍ସ କମ୍ପାନୀ ଗ୍ରୁପଲୋନ ନେଇଥିବା ଜଣେ ମହିଳା ସାପ୍ତାହିକ କିସ୍ତି ଟଙ୍କା ଫେରସ୍ତ କରି ନପାରିବା ଫଳରେ ଉକ୍ତ ମହିଳାଙ୍କ ଶିଶୁକୁ ଅଟକ ରଖିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ମହିଳାଙ୍କୁ ପୂର୍ବରୁ ଏକ ସପ୍ତାହର କିସ୍ତି ଦେଇ ନପାରିବା ଫଳରେ ଘରୁଟାଣି ମାଡ଼ ମାରିଥିବା ଅଭିଯୋଗ ଆଣିିଛନ୍ତି ପୀଡ଼ିତା ମହିଳା। କିଛି ସମାଜସେବୀ ସେ ସପ୍ତାହର ଋଣ ପୈଠ କରି ଶିଶୁକୁ ମୁକୁଳାଇ ମହିଳାଙ୍କ ଘରକୁ ପହଞ୍ଚାଇଥିବା ଜଣାପଡ଼ିଛି।

prayash

ସୂଚନା ମୁତାବକ, ବୁର୍ଲା ଥାନା ଅନ୍ତର୍ଗତ ଢ଼ିପାପଡ଼ା ବାସୀନ୍ଦା ପ୍ରଦୀପ ନାୟକଙ୍କ ସ୍ତ୍ରୀ କ୍ଷୀରେଶ୍ୱରୀ ନାୟକ ଏହି କମ୍ପାନୀର ଗ୍ରୁପଋଣ ନେଇଥିଲେ। ଆଜି ଢ଼ିପାପଡ଼ା କଲୋନୀକୁ ସାପ୍ତାହିକ ଋଣ ଟଙ୍କା ଅସୁଲ କରିବା ପାଇଁ ଜଣେ କମ୍ପାନୀର ମହିଳା କର୍ମଚାରୀ ସେଠାରେ ପହଞ୍ଚିଥିଲେ। କମ୍ପାନୀର ମହିଳା କର୍ମଚାରୀ ନିଲା ସାହୁ ତାଙ୍କୁ କିସ୍ତି ଟଙ୍କା ଦେବାକୁ କହିଥିଲେ। ତାଙ୍କ ପାଖରେ ଟଙ୍କା ନଥିବା କହି କ୍ଷୀରେଶ୍ୱରୀ ସେଠାରୁ ଅନ୍ୟସ୍ଥାନକୁ ଯାଇଥିଲେ ଟଙ୍କା ଆଣିବା ପାଇଁ। ମାତ୍ର ଆସି ଦେଖିଲା ବେଳକୁ ତାଙ୍କର ଶିଶୁ ଗୁଲୁ ଘରେ ନାହିଁ। ସେ ଜାଣିବାକୁ ପାଇଲେ ଉକ୍ତ କମ୍ପାନୀର ନିଲା ସାହୁ ତାଙ୍କ ଶିଶୁକୁ ନେଇ ଯାଇଛନ୍ତି ବୋଲି। ପୁଣି ପୂର୍ବରୁ ମଧ୍ୟ କ୍ଷୀରେଶ୍ୱରୀ ଗୋଟିଏ ସପ୍ତାହ ଋଣ ଟଙ୍କା ପୈଠ କରି ନପାରିବାରୁ ତାଙ୍କୁ ଘରୁ ଟାଣି ଚାପୁଡ଼ା ମାରିଥିବା ଅଭିଯୋଗ କରିଛନ୍ତି କ୍ଷୀରେଶ୍ୱରୀ। ଏହାକୁ ନେଇ ପିଡ଼ବ୍ଲ୍ୟୁଡ଼ି କଲୋନୀର ବାସୀନ୍ଦା ତଥା ଅନ୍ତର୍ଜାତୀୟ ମାନବାଧିକାର ଜିଲ୍ଲା ସଭାପତି ଦିନବନ୍ଧୁ ବିଶ୍ୱାଳ ଏବଂ ସମାଜସେବୀ ଅଜିତ ମହାନନ୍ଦଙ୍କୁ ଅବଗତ କରିବା ପରେ ଉଭୟ ଗଣେଶନଗରରେ ପହଞ୍ଚିଥିଲେ। ମାତ୍ର ସେଠାରେ ଉପସ୍ଥିତ ଉକ୍ତ ଫାଇନାନ୍ସ କମ୍ପାନୀର ନିଲା ସାହୁ ନାମକ ମହିଳା ଗାଳିଗୁଲଜ କରିବା ସହିତ ଯେପରି ଭାବରେ ମଧ୍ୟ ସେମାନେ କିସ୍ତି ଅସୁଲ କରିବେ ରାତିଅଧରେ ମଧ୍ୟ ଏହି କିସ୍ତି ଅସୁଲ କରିବେ ବୋଲି କହିଥିଲେ। ଟଙ୍କା ନଦେଲେ ଶିଶୁକୁ ଛାଡ଼ିବେ ନାହିଁ ବୋଲି କହିଥିଲେ। ଏହା ସହିତ ଉକ୍ତ ଶିଶୁକୁ ଗଣେଶନଗର ମଧ୍ୟରେ ରହିଥିବା ଏକ ମଣ୍ଡପ ମଧ୍ୟରେ ବସାଇ ରଖିଥିଲେ। ଏହାପରେ ଦିନବନ୍ଧୁ ଗ୍ରୁପଋଣ କିସ୍ତି ବାବଦରେ କ୍ଷୀରେଶ୍ୱରୀଙ୍କ ୭୦୦ ଟଙ୍କା ପୈଠ କରିବା ପରେ ଯାଇ ବହୁକଷ୍ଟରେ ଶିଶୁକୁ ଛାଡ଼ିଥିବା ଦିନବନ୍ଧୁ କହିଛନ୍ତି। ଏହାକୁ ନେଇ କମ୍ପାନୀର ୟୁନିଟ ମେନେଜର ଅଭିମନ୍ୟୁ ସାଏଙ୍କୁ ଯୋଗାଯୋଗ କରି ଅଭିଯୋଗ କରିଥିବା ସୂଚନା ଦେଇଥିବା ବେଳେ କମ୍ପାନୀ ତରଫରୁ ଏଭଳି ଭାବରେ ଟଙ୍କା ଅସୁଲି ପାଇଁ କାହାରି ଛୁଆକୁ ଅଟକ ରଖାଯିବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନଥିବା ସ୍ପଷ୍ଟିକରଣ ଦେଇଥିଲେ। ଏଥି ସହିତ ଯଦିବା ଏଭଳି କିଛି ଘଟଣା ଘଟିଛି ଏହା ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପାଇଁ ସୂଚନା ଦେଇଥିଲେ। କିସ୍ତି ଟଙ୍କା ଦେଇ ନପାରିବା ଫଳରେ ମହିଳାଙ୍କୁ ମାଡ଼ ମରାଯିବା ଏବଂ ପୁଣି ଶିଶୁକୁ ଅଟକ ରଖିବା ଅଧିକାର ତାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି। ଏଭଳି ଏକ ଘଟଣାକୁ ନେଇ ପୀଡ଼ିତା କ୍ଷୀରେଶ୍ୱରୀଙ୍କ ପରିବାର ଗୁରୁତର ଅଭିଯୋଗ ଆଣିଛନ୍ତି। ସେପଟେ ଏହାକୁ ନେଇ ଏକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବୀ ଉପସ୍ଥାପିତ ହୋଇଛି।

kalyan agarbati

Comments are closed.