ବୁର୍ଲାରେ ବିଜୁଳି ଉତ୍ପାଦନ କେନ୍ଦ୍ରରେ ବିଜୁଳି ଉତ୍ପାଦନ ଗତ ଜୁଲାଇ ମାସ ୭ ତାରିଖରୁ ୨୪୦ ମେଗାୱାଟ ବୃଦ୍ଧିପାଇଛି
ଏକ ଦଶକରୁ ଊର୍ଦ୍ଧ୍ଵକାଳ ପରେ ବୁର୍ଲା ଉତ୍ପାଦନ କେନ୍ଦ୍ରରେ ଦୈନିକ ୨୦୦ ମେଗାୱାଟରୁ ଊର୍ଦ୍ଧ୍ଵ ହେଲା ବିଜୁଳି ଉତ୍ପାଦନ
ବୁର୍ଲା: ବୁର୍ଲାର ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଜୁଳି ଉତ୍ପାଦନ ବିଶେଷକରି ହୀରାକୁଦ ଜଳଭଣ୍ଡାରର ଜଳରାଶି ଉପରେ ନିର୍ଭର କରିଥାଏ । ବିଡ଼ମ୍ବନାର ବିଷୟ ହେଲା ସ୍ୱଳ୍ପବୃଷ୍ଟି ଯୋଗୁଁ ହୀରାକୁଦ ବନ୍ଧର ଜଳସ୍ତରେ ସେତେମାତ୍ରାରେ ଅଭିବୃଦ୍ଧି ନଘଟିବା ବିଜୁଳି ଉତ୍ପାଦନରେ ବାଧା ସୃଷ୍ଟି କରିଥାଏ । ସେପଟେ ବର୍ତ୍ତମାନ ବୁର୍ଲା ବିଜୁଳି ଉତ୍ପାଦନ ପାଇଁ ଉପଲବ୍ଧ ସାତୋଟି ୟୁନିଟ ବା ଟରବାଇନ ମାନ ନବୀକରଣ ଯୋଗୁଁ ବିଗତ ଅନେକ ବର୍ଷ ହେବ ବିଜୁଳି ଉତ୍ପାଦନ ତିନିରୁ ଚାରୋଟି ଟରବାଇନରେ ସୀମିତ ରହିଯାଉଥିଲା । ତେବେ ଗତ ଜୁନ ମାସ ଦୁଇଦିନ କାଳ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଆଦୌ ବିଦ୍ୟୁତ ଉତ୍ପାଦନ ହୋଇ ପାରି ନ ଥିଲା ଯାହାକି ଏକ ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା । ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ବିଜୁଳି ଉତ୍ପାଦନ କ୍ଷମତା ସର୍ବାଧିକ ୨୭୫ ମେଗାୱାଟ ଏବଂ ଚିପିଲିମା ବିଜୁଳି ଉତ୍ପାଦନ କେନ୍ଦ୍ରର କ୍ଷମତା ୭୨ ମେଗାୱାଟ ବିଜୁଳି ଉତ୍ପାଦନ କ୍ଷମତା ରହିଛି । ମାତ୍ର ଧିରେ ଧିରେ ବିଜୁଳି ଉତ୍ପାଦନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏକଦଶକ ପରେ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଜୁଳି ଉତ୍ପାଦନ ବୃଦ୍ଧି ପାଇବା ଓଡ଼ିଶାରେ ବିଜୁଳି ଶଙ୍କଟର ସମାଧାନ ହୋଇପାରିବ ବୋଲି ମତପ୍ରକାଶ ପାଉଛି ।
ମାତ୍ର ଚଳିତ ବର୍ଷ ଜୁଲାଇ ମାସ ୭ ତାରିଖରୁ ବୁର୍ଲା ବିଜୁଳି ଉତ୍ପାଦନ କେନ୍ଦ୍ରର ଉତ୍ପାଦନ କ୍ଷମତା ବୃଦ୍ଧି ପାଇବାକୁ ଲାଗିଯାଇଥିଲା ଯାହାକି ୨୪୦ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଯାଇଛି । ଦେଖିବାକୁ ଗଲେ ଗତ ଜୁଲାଇ ମାସ ୫ ତାରିଖରେ ବୁର୍ଲାରେ ୪୨.୨୦୮ ମେଗାୱାଟ ଏବଂ ଚିପିଲିମାରେ ୨୩.୯୫୮ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଥିବା ଦୃଷ୍ଟାନ୍ତ ରହିଛି । ମାତ୍ର ଏହାପରେ ଗତ ଜୁଲାଇ ମାସ ୮ ତାରିଖରେ ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ୧୦୩.୫୦୦ ମେଗାୱାଟ ଏବଂ ୬୨.୭୯୨ ମେଗାୱାଟ ବିଜୁଳି ଉତ୍ପାଦନ ହୋଇଯାଇଥିଲା । ୯ ତାରିଖରେ ବୁର୍ଲାରେ ୧୧୯.୨୦୮ ମେଗାୱାଟ ଏବଂ ୪୯.୩୩୩ ମେଗାୱାଟ, ୧୦ ତାରିଖରେ ୧୧୯.୫୯୩ ଏବଂ ଚିପିଲିମା ୫୨.୯୧୭ ମେଗାୱାଟ, ପରେ ଜୁଲାଇ ୧୮ରେ ୨୧୯.୬୨୫ ମେଗାୱାଟ ଏବଂ ଚିପିଲିମାରେ ୫୪.୨୦୮ ମେଗାୱାଟକୁ ବୃଦ୍ଧି ପାଇଥିଲା । ଚଳିତ ମାସ ଅଗଷ୍ଟ ୧ ତାରିଖରେ ବୁର୍ଲାରେ ୨୧୮.୬୨୫ ମେଗାୱାଟ ଏବଂ ଚିପିଲିମାରେ ୫୮.୫୦୦ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଥିବା ବେଳେ ୧୦ ତାରିଖରେ ୨୧୩.୦୪୨ ମେଗାୱାଟ ଏବଂ ଚିପିଲିମାରେ ୫୯.୭୫୦ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଥିବା ବେଳେ ୨୦ ତାରିଖ ଦିନ ବୁର୍ଲାରେ ୨୨୨.୪୧୬ ମେଗାୱାଟ ଏବଂ ଚିପିଲିମାରେ ୩୭.୭୯୨ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଛି । ଗତ ଏକ ଦଶକରୁ ଊର୍ଦ୍ଧ୍ଵ କାଳ ହେବ ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଜୁଳି ଉତ୍ପାଦନରେ ହ୍ରାସତା ପରିଲକ୍ଷିତ ହୋଇ ଆସୁଥିଲା କାରଣ ରହିଥିଲା ବୁର୍ଲାରେ ରହିଥିବା ସାତୋଟି ଟରବାଇନ ମଧ୍ୟରୁ ପ୍ରାୟ ୪ଟି ଟରବାଇନ ଅଚଳତା ମଧ୍ୟରେ ଘାରି ହେବା ଏବଂ ଏହାକୁ କୋଟି କୋଟି ଟଙ୍କାରେ ନବୀକରଣ କରାଯାଇଥିଲା ।
ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଚାରୋଟି ୟୁନିଟ ପ୍ରଥମ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ୟୁନିଟ ନବିକରଣ କାମ ପ୍ରାୟ ୧୦୦ କୋଟି ଟଙ୍କାର ଅର୍ଥ ଖର୍ଚ୍ଚ କରାଯାଇଥିଲା । ସେହି କୋଟି କୋଟି ଟଙ୍କାର ୟୁନିଟ ମାନଙ୍କର ନବୀକରଣ ପରେ ବର୍ତ୍ତମାନ ବିଜୁଳି ଉତ୍ପାଦନ ମାତ୍ରାରେ ଅଭିବୃଦ୍ଧି ହୋଇଥିବା ଦେଖିବାକୁ ମିଳୁଛି । ଯାହାକି ଶୁଭଙ୍କର ମଧ୍ୟ ଏତାଦୃଶ ଭାବରେ ବର୍ଷାଋତୁ ସମୟରେ ହୀରାକୁଦ ଜଳଭଣ୍ଡାର ପୁର୍ଣ୍ଣଗର୍ଭା ରହିଥିବା ସମୟରେ ବିଜୁଳି ଉତ୍ପାଦନର ମାତ୍ରାରେ ଯେତେ ମାତ୍ରାରେ ଅଭିବୃଦ୍ଧି ହେବ ସେହି ଅନୁପାତରେ ବିଜୁଳି ଶଙ୍କଟ ଓଡ଼ିଶାରେ ଦେଖାଦେବ ନାହିଁ ବୋଲି ମତପ୍ରକାଶ ପାଉଛି । ପୁର୍ଣ୍ଣ ମାତ୍ରାରେ ବର୍ଷାଦିନେ ବିଜୁଳି ଉତ୍ପାଦନ କ୍ଷେତ୍ରରେ ଦୈନିକ ସମୁଦାୟ ୩୦ ହଜାର କ୍ୟୁସେକ ଜଳ ହୀରାକୁଦ କଳଭଣ୍ଡାରର ଉପଯୋଗରେ ଆସିବ ଯାହାକି ଦୁଇଟି ସ୍ଲୁଇସ ଫାଟକ ମାଧ୍ୟମରେ ନିର୍ଗତ ହେଉଥିବା ଜଳରାଶି ସହିତ ସମାନ ।
ବିଗତ ଦିନର ଇତିହାସର ଫର୍ଦ୍ଦକୁ ଓଲଟାଇ ଦେଖିଲେ ସୂଚନା ଥାଉକି ଗତ ୨୦୨୦ ମସିହାରେ ସେତେବେଳେ ବର୍ଷାଋତୁରେ ଜଳଭଣ୍ଡାର ପୁର୍ଣ୍ଣଗର୍ଭା ରହିଥିବା ଜୁନ ମାସ ୩ ତାରିଖରେ ୬୯.୨୦୮ ମେଗାୱାଟ, ୪ ତାରିଖରେ ୭୬.୯୧୭ ମେଗାୱାଟ, ୫ ତାରିଖରେ ୭୫.୫୪୨, ୬ ତାରିଖରେ ୭୮.୩୭୫ ମେଗାୱାଟ, ୭ ତାରିଖରେ ୭୮.୭୦୮ ମେଗାୱାଟ, ୮ ତାରିଖରେ ୬୯.୮୭୫ ମେଗାୱାଟ, ୯ ତାରିଖରେ ୭୯.୫୦୦ ମେଗାୱାଟ, ୧୦ ତାରିଖରେ ୭୫.୬୨୫ ମେଗାୱାଟ, ୧୧ ତାରିଖରେ ୮୫.୧୨୫ ମେଗାୱାଟ, ୧୨ ତାରିଖରେ ୬୯.୨୫୦ ମେଗାୱାଟ, ୧୩ ତାରିଖରେ ୮୫.୮୭୫ ମେଗାୱାଟ, ୧୪ ତାରିଖରେ ୮୮.୦୮୩ ମେଗାୱାଟ, ୧୫ ତାରିଖରେ ୮୪.୪୧୭ ମେଗାୱାଟ ରହିଥିବା ଦୃଷ୍ଟାନ୍ତ ରହିଛି । ଏଭଳି ଭାବରେ ସୂଚନା ଥାଉକି, ଗତ ୨୦୨୦ ମସିହା ନଭେମ୍ବର ମାସ ୬ ତାରିଖରେ ବୁର୍ଲା ୟୁନିଟର ୯୬.୨୦୮ ଏବଂ ଚିପିଲିମା ୟୁନିଟର ୫୭.୩୩ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଥିବା ଦେଖିବାକୁ ମିଳିଛି । ଗତ ୨୦୨୦ ମସିହା ନଭେମ୍ବର ମାସ ୫ ତାରିଖ ଦିନ ବୁର୍ଲା ୟୁନିଟର ୧୦୮.୩୭୫ ମେଗାୱାଟ ଏବଂ ଚିପିଲିମା ୟୁନିଟର ୫୭.୪୫୮ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଥିବାର ଦୃଷ୍ଟାନ୍ତ ରହିଥିଲା ।
ସେହି ସମୟରେ ବୁର୍ଲା ୟୁନିଟର ମାତ୍ର ତିନୋଟି ୟୁନିଟ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ନମ୍ବର ୟୁନିଟ ହିଁ କାର୍ଯ୍ୟକ୍ଷମ ରହିଥିଲା । ଚାରୋଟି ୟୁନିଟ ପ୍ରଥମ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ୟୁନିଟ କର୍ଯ୍ୟକ୍ଷମ ହୋଇ ପାରୁ ନଥିବା ବେଳେ ଦୁଇଟି ନବୀକରଣ ଏବଂ ଦୁଇଟିକୁ ରକ୍ଷଣବେକ୍ଷଣ କରାଯାଉଥିବା ଜଣାପଡ଼ିଛି । ଏପରିକି ୨୦୨୧ ମସିହାରେ ମଧ୍ୟ ବିଜୁଳି ଉତ୍ପାଦନ କ୍ଷେତ୍ରରେ ଏହି ୟୁନିଟ ନବିକରଣ କାମ ସମାପ୍ତ ନହେବା ଫଳରେ ବିଜୁଳି ଉତ୍ପାଦନରେ ଅନେକ ହ୍ରାସତା ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦ ଫୁଟରୁ ଊର୍ଦ୍ଧ୍ଵ ରହିଥିବା ବେଳେ ବିଜୁଳି ଉତ୍ପାଦନ ମଧ୍ୟ ଉଚିତ ଭାବରେ କରାଯିବା ଫଳରେ ଆଗାମୀ ଦିନରେ ବିଜୁଳି ଶଙ୍କଟ ଓଡ଼ିଶାରେ ଦେଖାଯିବା ସମ୍ଭାବନା ମଧ୍ୟ ସୃଷ୍ଟି ହେବ ନାହି ବୋଲି ମତପ୍ରକାଶ ପାଉଛି ।
Comments are closed.