୨୨୧ ମଇଁଷି ନିଖୋଜ ମାମଲା: ୧୦ ବର୍ଷ ପରେ ୬ ପୁଲିସ୍‍ କର୍ମୀ ଦୋଷୀ ସାବ୍ୟସ୍ତ

0

ଉନ୍ନାଓ : ୧୦ ବର୍ଷ ତଳର ଏକ ମଇଁଷି ନିଖୋଜ ମାମଲାରେ ଲକ୍ଷ୍ନୌର ଏକ ଅଦାଲତ ୬ ପୁଲିସ୍‍ କର୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲା ୨୦୦୮ ମସିହାର। ସୂଚନା ଅନୁସାରେ ୨୦୦୮ ଅକ୍ଟୋବର ୨୪ରେ ମାଖି ଥାନା ଏସ୍‍ଆଇ ରିୟାଜ ଅହମଦ ଖାନ ବିହାରରୁ ମେରଠ ଅଣାଯାଉଥିବା ୩୩୭ ମଇଁଷି ସହ ୧୩ ଗାଡ଼ିକୁ ଜବତ କରିଥିଲେ। ପରେ ମଇଁଷିଗୁଡ଼ିକ ମଧ୍ୟରୁ ୨୨୧ଟି କେଉଁଆଡେ ପଳାଇଥିବା ବା ନିଖୋଜ ହୋଇଯାଇଥିବା କଥା ସାମ୍ନାକୁ ଆସିଥିଲା। ପରେ ବରିଷ୍ଠ ଅଧିକାରୀ ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। କୁହାଯାଉଛି ଯେ ୨୦୦୮ ଅକ୍ଟୋବର ୨୪ରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ପରେ ଏସ୍‍ଆଇ ଜଣକ ସ୍ଥାନୀୟ ଗ୍ରାମଲୋକଙ୍କୁ ଡ଼ାକି ୧୧୬ ମଇଁଷିଙ୍କୁ ପାଳିବା ପାଇଁ ଦେଇଥିଲେ। ଗଣମାଧ୍ୟମ ରିପୋର୍ଟରେ ୩୩୭ ମଇଁଷି ଜବତ କରାଯାଇଥିବା ପ୍ରକାଶ ପାଇଥିଲା। ମାତ୍ର ପୁଲିସ୍‍ ରିପୋର୍ଟରେ ମାତ୍ର ୧୧୬ଟି ମଇଁଷି ଜବତ କରାଯାଇଥିବା ଉଲ୍ଲେଖ ରହିଥିଲା। ବିଧାନସଭାରେ ଏହି ଚୋରି ମାମଲା ଉଠିବା ପରେ ଉନ୍ନାଓର ତତ୍କାଳୀନ ଏସ୍‍ପି ପିକେ ମିଶ୍ର ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ। ଏଥିପାଇଁ ଏକ ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ହେଲେ ଏହି ଦଳ ନିଖୋଜ ମଇଁଷିଙ୍କୁ ଠାବ୍‍ କରିପାରିନଥିଲେ। ପରେ ୨୦୧୧ରେ ଏହି ମାମଲାକୁ ଦୁର୍ନୀତି ନିରୋଧ ବ୍ୟୁରୋକୁ ହସ୍ତାନ୍ତର କରାଯାଇଥିଲା। ଦୁର୍ନୀତି ନିରୋଧୀ ବ୍ୟୁରୋ ୨୦୧୫ରେ ଏହି ମାମଲାରେ ଅବହେଳା ଓ ଦୁର୍ନୀତି ନେଇ ଏସ୍‍ଆଇ ଅହମଦଙ୍କ ସମେତ ଅନ୍ୟ ୪ ଜଣଙ୍କ ନାମରେ ଅଭିଯୋଗଫର୍ଦ ଦାଖଲ କରିଥିଲା। ଏହି କ୍ରମରେ ଶନିବାର କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ଶୁଣାଣିରେ ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଯିବ।

Leave A Reply