ଧଳାଜହର ଜବତ, ୨ ବ୍ୟବସାୟୀ ଗିରଫ
ଜଳେଶ୍ୱର : ବାଲେଶ୍ବର ଜିଲା ଅନ୍ତର୍ଗତ ଜଳେଶ୍ୱର ଥାନା ପୁଲିସ ୨୬୦ ଗ୍ରାମ ଧଳାଜହର ଜବତ କରିବା ସହିତ ୨ ବ୍ୟବସାୟୀଙ୍କୁ ଗିରଫ କରିଛି। ୨ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଛି।
ଗୁଇନ୍ଦା ସୂତ୍ରରୁ ଖବର ପାଇ ଶନିବାର ଜଳେଶ୍ୱର ଆଇଆଇସି ସହଯୋଗୀଙ୍କୁ ନେଇ ରାଜପଥର ରାଜପୁର ଠାରେ ଜାଲ ବିଛାଇଥିଲେ। ସେଠାରେ ମୋଟର ସାଇକଲରେ ଯାଉଥିବା ୨ ଯୁବକଙ୍କୁ ଅଟକାଇ ସେମାନଙ୍କ ଠାରୁ ୨୬୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲେ। ଏଥିସହିତ ତାଙ୍କ ଠାରୁ ନଗଦ ୩୧୨୫୦ ଟଙ୍କା ଓ ୨ଟି ମୋବାଇଲ ଜବତ କରାଯାଇଛି। ଜବତ ବ୍ରାଉନସୁଗର୍ର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଏସ୍ପି ସାଗରିକା ନାଥ ଜଳେଶ୍ୱର ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ୨ ଯୁବକଙ୍କ ବୟସ ୩୧ରୁ ୩୨ ବର୍ଷ ମଧ୍ୟରେ ହେବ। ସେମାନଙ୍କ ମଧ୍ୟରୁ ଜଣକ ଘର ରାଜପୁର ଗାଁରେ ହୋଇଥିବାବେଳେ ଅନ୍ୟ ଜଣଙ୍କ ଘର ସହଦେବ ଖୁଣ୍ଟା ଥାନାର ଅରଡ଼ବଜାର ଅଞ୍ଚଳରେ। ବିଗତ ୫ ମାସ ଧରି ଅରଡ଼ବଜାରର ଏହି ଯୁବକ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିଲା। ଜାତୀୟ ସ୍ତରର ଜଣେ ବ୍ରାଉନସୁଗର୍ ବ୍ୟବସାୟୀଙ୍କ ସହ ଅରଡ଼ବଜାର ଅଞ୍ଚଳର ଯୁବକ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲା। ସେ ମଧ୍ୟ ବାଲେଶ୍ୱରରୁ ଧଳା ଜହର ଆଣି ଜଳେଶ୍ୱର ଅଞ୍ଚଳରେ ବିକ୍ରି କରିଆସୁଥିଲା। ଅନ୍ତର୍ଜାତୀୟ ସ୍ତରରେ ଚୋରା କାରବାର କରୁଥିବା ଯୁବକ ଜଣକ ଘର ମଧ୍ୟ ବାଲେଶ୍ୱର ସହରରେ। ସେ କେବଳ ଧଳା ଜହର ନୁହେଁ କେତେକ ବ୍ୟାଙ୍କ ଡକାୟତି ସହିତ ସମ୍ପୃକ୍ତ ବୋଲି ଏସ୍ପି ସୂଚନା ଦେଇଛନ୍ତି। ଆଗାମୀ ଦିନରେ ବହୁ ଅପରାଧର ରହସ୍ୟ ଉେନ୍ମାଚନ ହେବାକୁ ଯାଉଥିବା ସେ କହିଛନ୍ତି। ଏସ୍ପିଙ୍କ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ଏସଡିପିଓ ଦିଲ୍ଲୀପ କୁମାର ସାହୁ, ଆଇଆଇସି ରୋଜାଲିନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.