କାଜାନ: ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା କାଳରେ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ସୀମା ବିବାଦକୁ ସମାଧାନ ପାଇଁ ହୋଇଥିବା ଆପୋଷ ବୁଝାମଣା ଉଭୟ ସ୍ବାଗତ କରିଥିଲେ। ଜିନ୍ପିଙ୍ଗଙ୍କୁ ମୋଦୀ କହିଥିଲେ ଯେ ସୀମାରେ ଶାନ୍ତି ଓ ସ୍ଥିରତାକୁ ସର୍ବଦା ପ୍ରାଥମିକତା ଦିଆଯିବା ଦରକାର। ଦୀର୍ଘ ୫ବର୍ଷ ପରେ ଆମେ ପରସ୍ପର ସହିତ କଥାବାର୍ତ୍ତା କରୁଛେ। ଭାରତ ଓ ଚୀନ ମଧ୍ୟରେ ଉତ୍ତମ ସମ୍ପର୍କ କେବଳ ଆମର ଲୋକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ। ଆମ ଦୁହିଁଙ୍କ ମଧ୍ୟରେ ସୁସମ୍ପର୍କ ବିଶ୍ବ ଶାନ୍ତି, ସ୍ଥିରତା ଓ ବିକାଶ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ପରସ୍ପର ମଧ୍ୟରେ ବିଶ୍ବାସ, ପରସ୍ପର ପ୍ରତି ସମ୍ମାନ ଓ ପରସ୍ପରର ଉଦବେଗପ୍ରତି ସମ୍ବେଦନଶୀଳତା ଦ୍ବାରା ସମ୍ପର୍କରେ ନିବିଡତା ଆସିପାରିବ। ମୋଦୀ କହିଥିଲେ ଯେ ଆମେ ନିଶ୍ଚିତ ରୂପେ ଖୋଲା ମନରେ କଥାବାର୍ତ୍ତା କରିବା ଦରକାର ଓ ଏହି କଥାବାର୍ତ୍ତା ଗଠନମୂଳକ ହେବା ଦରକାର। କଥାବାର୍ତ୍ତା ସମୟରେ ଜିନପିଙ୍ଗ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ଆମେ ଆମର ମତଭେଦକୁ କଥାବାର୍ତ୍ତା ଦ୍ବାରା ଆପୋଷ ସମାଧାନ କରିବା। ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଅଧିକ ଯୋଗାଯୋଗ କରିବା ପୂର୍ବକ ମତଭେଦକୁ ଠିକ୍ ରୂପେ ପରିଚାଳନା କରିବେ। ଦୁଇ ଦେଶ ଯେପରି ନିଜ ନିଜର ବିକାଶମୂଳକ ଆକାଂକ୍ଷାକୁ ପୂରଣ କରିପାରିବେ ସେ ଦିଗରେ ଚୀନ ପଦକ୍ଷେପ ନେବ। ଜିନପିଙ୍ଗ କହିଥିଲେ ଯେ ଦୁଇଦେଶ ଆନ୍ତର୍ଜାତିକ ଦାୟିତ୍ବ ନିର୍ବାହ ଲାଗି କାନ୍ଧକୁ କାନ୍ଧ ମିଳାଇବା ଦରକାର। ୨୦୧୯ ଅକ୍ଟୋବରରେ ତାମିଲନାଡୁର ମହାବଳିପୂରମ୍ରେ ଶେଷ ଥର ପାଇଁ ମୋଦୀ ଓ ଜିନ୍ପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ୨୦୨୦ ଜୁନ୍ରେ ଲଦାଖର ଗଲୱାନ ଉପତ୍ୟକାରେ ଦୁଇଦେଶର ସେନା ସଂଘର୍ଷ ପରେ ଉଭୟଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇ ନଥିଲା। ଏପରିକି ୨୦୨୨ରେ ଇଣ୍ଡୋନେସିଆର ବାଲିରେ ଆୟୋଜିତ ଜି-୨୦ ଓ ୨୦୨୩ ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଦୁଇ ନେତା ଏକାଠି ହୋଇଥିଲେ ମଧ୍ୟ କୌଣସି ପ୍ରକାର ଦ୍ବିପାକ୍ଷିକ କଥାବାର୍ତ୍ତା କରି ନଥିଲେ। ଗଲୱାନ ସଂଘର୍ଷକୁ ନେଇ ଲାଗି ରହିଥିବା ସୀମା ବିବାଦ ଉପରେ ଗତ ୨୧ରେ ଦୁଇ ଦେଶ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା। ବୁଝାମଣା ଅନୁଯାୟୀ ଦୁଇ ଦେଶ ସୀମାରେ ପାଟ୍ରୋଲିଂ କରିବେ। ସୀମା ବିବାଦର ଆପୋଷ ସମାଧାନ ପରେ ମୋଦୀ ଓ ଜିନ୍ପିଙ୍ଗଙ୍କ ମଧ୍ୟରେ ଆଜି କଥାବାର୍ତ୍ତା ହୋଇଛି। ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ମୋଦୀ ମଙ୍ଗଳବାର ରୁଷ୍ ଗସ୍ତ କରିଥିବାବେଳେ ଏହି ସମ୍ମିଳନୀ ବେଶ ଫଳପ୍ରଦ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ସମ୍ମିଳନୀ ଅବସରରେ ମୋଦୀ ରୁଷ୍ ରାଷ୍ଟ୍ରପତି ଓ ଇରାନ ରାଷ୍ଟ୍ରପତିଙ୍କ ସହିତ ମଧ୍ୟ ଦ୍ବିପାକ୍ଷିକ କଥାବାର୍ତ୍ତା କରିଥିଲେ। ବୁଧବାର ରାତିରେ ମୋଦୀ ସ୍ବଦେଶ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି।
Popular Categories



