ଜଳସେଚନ ବିଭାଗର ଅଣଦେଖା : ଭାଙ୍ଗିଲା ମାଛଗାଁ କେନାଲ ବନ୍ଧ

ଜଳାର୍ଣ୍ଣବ ତଳି ବିଲ, ଚିନ୍ତାରେ ଚାଷୀ, ତାଡି ଦେଲା ଜାତୀୟ ରାଜପଥର ୫୦ ମିଟର ଢ଼ଳେଇ ରାସ୍ତା

ବିରିଡ଼ି : ବିରିଡ଼ି ବ୍ଲକ ଅନ୍ତର୍ଗତ ଉତ୍ତରଶାସନ ପଞ୍ଚାୟତ ଅଧୀନ ଦଳେଇ ଘାଇ ବଜାର ନିକଟ ମାଛଗାଁ କେନାଲ ବନ୍ଧ ଭାଙ୍ଗିଛି। ଫଳରେ ଜାତୀୟ ରାଜପଥ ୫୫ର ପ୍ରାୟ ୫୦ ମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଢ଼ଳେଇ ସ୍ଲାବ ତାଡି ଫୋପାଡି ଦେଇଥିବା ବେଳେ ରାଜପଥ ଉପରେ ୨ ଶହ ମିଟର ପର୍ଯ୍ୟନ୍ତ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା । ଶନିବାର ବିଳମ୍ବିତ ରାତ୍ରୀରେ ବନ୍ଧ ଭାଙ୍ଗିଥିବା ବେଳେ ସକାଳୁ ସ୍ଥାନୀୟ ବାସିନ୍ଦା ଦେଖି ଏକତ୍ର ହୋଇ ସଙ୍ଗେ ସଙ୍ଗେ ଦୂରରେ ଥିବା ପୋଲିସ ଟ୍ରାଫିକ ନିୟନ୍ତ୍ରଣ ଷ୍ଟାଣ୍ଡ ରାଜପଥର ଦୁଇ ପାର୍ଶ୍ଵରେ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ୨ ଘଣ୍ଟା ପର୍ଯ୍ୟନ୍ତ ଏହି ଜାତୀୟ ରାଜପଥ ଉପରେ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଗାଡ଼ି ଚାଲକ ଓ ବସ୍ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା । ୩୦ ଫୁଟ ଚଉଡ଼ାରେ କେନାଲ ବନ୍ଧ ଭାଙ୍ଗି ଜାତୀୟ ରାଜପଥ ଉପରେ ପାଣି ଯାଇ ପାଖ ଗହିର ଜମିରେ ପଶିଥିଲା ଫଳରେ ଶହ ଶହ ଏକର ଧାନ ତଳି ପଡ଼ିଥିବା ଜମି ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଜମିରେ ବନ୍ୟା ଭଳି ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା। ଯାହା ଫଳରେ ବହୁ ଚାଷୀଙ୍କ ତଳି ବିଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ତଳି ସବୁ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି ।

ବିରିଡ଼ି ତହସିଲଦାର ସହଦେବ ସାହୁ, ବିରିଡ଼ି ଥାନା ଅଧିକାରୀ ରାଜୀବ କୁମାର ବେହେରା ଓ ପୁଲିସ ଟିମ୍ ଘାଇ ସ୍ଥାନରେ ପହଞ୍ଚି ଅନୁଧ୍ୟାନ କରିବା ସହ ଧୀରେ ଧୀରେ ଗାଡି ମଟର ଚଳାଚଳସ୍ବଭାବିକ କରାଇଥିଲେ। ପରେ ଜଗତସିଂହପୁର ଜଳସେଚନ ବିଭାଗ ଅଧିକ୍ଷଣ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବିରିଡ଼ି ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ଆନନ୍ଦ କୁମାର ବେହେରା ଘାଇ ହୋଇଥିବା ସ୍ଥାନରେ ପହଞ୍ଚି ଅନୁଧ୍ୟାନ କରିବା ସହ ତୁରନ୍ତ ବାଲି ବସ୍ତା ସଂଗ୍ରହ କରି ଘାଇ ହୋଇଥିବା ସ୍ଥାନରେ ପକାଇ ପାଣି ବନ୍ଦ କରାଇଥିଲେ। ଖବର ପାଇ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜେପି ନେତା ରାଜକିଶୋର ବେହେରା, ବିରିଡ଼ି ବ୍ଲକ ପୂରଣ ମଣ୍ଡଳ ବିଜେପି ସଭାପତି ତରୁଣ କୁମାର ଦାସ, ହାଜିପୁର ମଣ୍ଡଳ ବିଜେପି ସଭାପତି ସୁଦର୍ଶନ ପଣ୍ଡା ପ୍ରମୁଖ ଘାଇ ହୋଇଥିବା ସ୍ଥାନରେ ପହଞ୍ଚି ଅନୁଧ୍ୟାନ କରିବା ସହ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ସହିତ କଇଜଙ୍ଗା ଠାରୁ ଜଗତସିଂହପୁର ଜିଲ୍ଲା ପର୍ଯ୍ୟନ୍ତ ମାଛଗାଁ କେନାଲ ବନ୍ଧ ଭିତର ପାର୍ଶ୍ଵ ଢ଼ଳେଇ କରାଯିବା ଆବଶ୍ୟକ ବୋଲି ମତ ପୋଷଣ କରିଥିଲେ।

prayash

ପରେ ବିଧାୟକ ବିଜୟ ଶଙ୍କର ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଘାଇ ସ୍ଥାନରେ ପହଞ୍ଚି ଅନୁଧ୍ୟାନ କରିବା ସହ ଜଳ ସେଚନ ବିଭାଗର ଦୂରଦୃଷ୍ଟି ଅଭାବ ଯୋଗୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା । ତୁରନ୍ତ ଧାନ ତଳି ନଷ୍ଟ ହୋଇଥିବା ଚାଷୀଙ୍କୁ ସହାୟତା ପ୍ରଦାନ ଓ ମଜଭୁତ ଭାବେ ଘାଇ ମରାମତି ଓ ଜାତୀୟ ରାଜପଥ ମରାମତି କାର୍ଯ୍ୟ କରାଯିବ ବୋଲି କହିବା ସହିତ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଜାତୀୟ ରାଜପଥ ବିଭାଗ ଅଧିକାରୀ ଓ ବିରିଡ଼ି ତହସିଲଦାରଙ୍କୁ ତତ୍କାଳ ମରାମତି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

Comments are closed.