ବ୍ରାଜିଲ-ଆମେରିକା ମୁକାବିଲା ୧-୧ରେ ଡ୍ର
ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ୍ ଗ୍ରୁପ୍ ‘ଏ’ରେ ଶୁକ୍ରବାର ଆମେରିକା ଓ ବ୍ରାଜିଲ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚ ୧-୧ ଗୋଲ୍ରେ ଶେଷହୋଇଛି। ଆମେରିକା ଭଲ ଖେଳିଥିଲେ ମଧ୍ୟ ବ୍ରାଜିଲ ଗୋଲରକ୍ଷକ ଲେଇଲାନେଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲା। ଲେଇଲାନେ ଏକାଧିକ ନିଶ୍ଚିତ ଗୋଲ୍କୁ ରୋକି ବ୍ରାଜିଲକୁ ପରାଜୟରୁ ରକ୍ଷା କରିଥିଲେ। ଏଥିସହିତ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି।
ପ୍ରଥମ ମ୍ୟାଚରେ ମରୋକ୍କୋକୁ ପରାସ୍ତ କରିଥିବା ବ୍ରାଜିଲ ଚିରାଚରିତ ଢଙ୍ଗରେ ଖେଳ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ଘରୋଇ ଭାରତ ବିପକ୍ଷରେ ବୃହତ୍ ବିଜୟ ହାସଲ କରିଥିବା ଆମେରିକା ପ୍ରତିପକ୍ଷ ବ୍ରାଜିଲ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ୧୩ ମିନିଟ୍ରେ ବ୍ରାଜିଲ ବିପକ୍ଷ ଆମେରିକା ଗୋଲପୋଷ୍ଟକୁ ଆକ୍ରମଣ କରିଥିଲା। ଆମେରିକା ଗୋଲରକ୍ଷକ ସୁନ୍ଦର ଭାବେ ଡାଇଭ୍ମାରି ବଲ୍କୁ ବାହାର କରି ଦେଇଥିଲେ। ୧୪ ମିନିଟ୍ରେ ଆମେରିକା ସମାନ ଢଙ୍ଗରେ ବ୍ରାଜିଲ ଆକ୍ରମଣ କରିଥିଲେ ମଧ୍ୟ ଗୋଲ କରିବାରେ ବିଫଳ ହୋଇଥିଲା। ଆମେରିକା ଘନଘନ ଆକ୍ରମଣ କରିଥିଲେ ମଧ୍ୟ ସମସ୍ତ ଉଦ୍ୟମକୁ ବ୍ରାଜିଲ ଗୋଲରକ୍ଷକ ପଣ୍ଡ କରି ଦେଇଥିଲେ। ୨୬ ମିନିଟ୍ରେ ଆମେରିକା ଗୋଲ ଦେବାର ସୁବର୍ଣ୍ଣ ସୁଯୋଗ ପାଇଥିଲେ ମଧ୍ୟ ଏହାକୁ ହାତଛଡ଼ା କରିଥିଲା। ଆମେରିକା ଖେଳାଳି ରିଲି ଜ୍ୟାକସନ ସଟ୍ ମାରିଥିଲେ ମଧ୍ୟ ବଲ୍ ବାର୍ରେ ବାଜିଥିଲା। ପରେ ଆକ୍ରମଣ କରି ଚାଲିଥିଲା ଆମେରିକା। ୩୩ ମି୍ନିଟ୍ରେ ନିକୋଲେସ କିଓରପିସ ଆମେରିକା ପାଇଁ ଗୋଲ୍ ଦେବାରେ ସଫଳ ହୋଇଥିଲେ। ଆମେରିକାର ଅଗ୍ରଣୀକୁ ବ୍ରାଜିଲ ବେଶି ସମୟ ରହିବାକୁ ଦେଇନଥିଲା। ୩୭ ମିନିଟେର ବ୍ରାଜିଲର କାରୋଲ ପେନାଲ୍ଟି ଏରିଆ ବାହାରୁ ଏକ ଚମତ୍କାର ସଟ୍ ମାରି ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ। ପ୍ରଥମାର୍ଦ୍ଧ ୧-୧ ଗୋଲ୍ରେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଆମେରିକା ଜୋରଦାର ଆକ୍ରମଣ କରିଥିଲା। କ୍ରମାଗତ ଭାବେ ଗୋଲ ଦେବା ନେଇ ୨ଟି ସୁଯୋଗ ପାଇଥିଲେ ମଧ୍ୟ ବ୍ରାଜିଲ ଗୋଲରକ୍ଷକ ଲେଇଲାନେ ଚମତ୍କାର ଭାବେ ରୋକି ଦଳକୁ ଗୋଲରୁ ରକ୍ଷା କରିଥିଲେ। ବ୍ରାଜିଲ ଗୋଲରକ୍ଷକ ଲେଇଲାନେ ପ୍ଲେୟର ଅଫ ଦି ମ୍ୟାଚ ହୋଇଥିଲେ। ବ୍ରାଜିଲ ଓ ଆମେରିକା ୨ଟି ଲେଖାଏଁ ମ୍ୟାଚ ଖେଳି ଗୋଟିଏ ଲେଖାଏଁ ବିଜୟ ଓ ଡ୍ର ସହ ୩ ପଏଣ୍ଟ ଲେଖାଏଁ ପାଇଛନ୍ତି। ବ୍ରାଜିଲ ଶେଷ ଲିଗ୍ ମ୍ୟାଚ ସୋମବାର କଳିଙ୍ଗ ଷ୍ଟାଡିୟମ୍ରେ ଭାରତ ବିପକ୍ଷରେ ଖେଳିବ। ଆମେରିକା ଶେଷ ମ୍ୟାଚ ମରୋକ୍କୋ ବିପକ୍ଷରେ ଖେଳିବ।
Comments are closed.