ଦୈନିକ ବଜାରରେ ଏନଏସି ଅଧ୍ୟକ୍ଷଙ୍କ ଚଢାଉ, ଚାଷୀଙ୍କୁ ମିଳିଲା ନ୍ୟାୟ
ବଜାର ବଟି ନାମରେ ଚାଷୀଙ୍କୁ କରୁଥିଲେ ଲୁଟ୍
ବୌଦ୍ଧ: ବୌଦ୍ଧ ଦୈନିକ ବଜାରରେ ଏନଏସି ପକ୍ଷରୁ ବଟି ଆଦାୟରେ ଚାଷୀଙ୍କୁ ଜୁଲୁମ କରାଯାଉଥିବାରୁ ଚାଷୀମାନେ ଆଉ ବଜାର ଆସିବାକୁ ରାଜି ହେଉନଥିବା ଅଭିଯୋଗ ପାଇବାପରେ ସୋମବାର ହଠାତ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର କର୍ମଚାରୀମାନଙ୍କ ସହିତ ବଜାରରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଚାଷୀ ଓ ପନିପରିବା ବ୍ୟବସାୟୀଙ୍କୁ ଅଧ୍ୟକ୍ଷ ଶ୍ରୀମିଶ୍ର ସିଧାସଳଖ ପଚାରିବାପରେ ସେମାନଙ୍କଠାରୁ ମନଇଛା ବଟି ଆଦାୟ କରାଯାଉଥିବା ଅଭିଯୋଗ ପାଇଥିଲେ । ଅନେକ ଚାଷୀ ସେମାନଙ୍କ ନିକଟରୁ ଆଦାୟ କରାଯାଇଥିବା ବଟିର ରସିଦ ଦେଖାଇବାପରେ ଅଭିଯୋଗର ପ୍ରମାଣ ମିଳିଥିଲା । ଚାଷୀମାନଙ୍କ ଅଭିଯୋଗର ସତ୍ୟତା ଥିବା ଅନୁଭବ କରିବାପରେ ଅଧ୍ୟକ୍ଷ ଶ୍ରୀମିଶ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର ତୁରନ୍ତ ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି ।
ବଟି ଠିକା ନେଇଥିବା ଠିକାଦାରକୁ ଚାଷୀଙ୍କ ନିକଟରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ବଟି ଆଦାୟ କରୁଥିବା ଯୋଗୁଁ କାହିଁକି ତାଙ୍କର ଚୁକ୍ତିକୁ ବାତିଲ କରାଯିବନାହିଁ ବୋଲି କାରଣଦର୍ଶାଅ ନୋଟିସ ଜାରି କରିବାକୁ ନିର୍ବାହୀ ଅଧିକାରୀଙ୍କୁ ଅଧ୍ୟକ୍ଷ ଶ୍ରୀମିଶ୍ର ନିର୍ଦ୍ଦେଶ ଦେବାସହିତ ତୁରନ୍ତ ଦୈନିକ ବଜାରଠାରେ ଚାଷୀ ଓ ଖାଉଟିମାନଙ୍କ ସୂଚନା ପାଇଁ ବଜାର ବଟିର ପ୍ରକୃତ ନିର୍ଦ୍ଧାରିତ ଦର ଫଳକ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏନଏସି ଅଧ୍ୟକ୍ଷଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଜିଲାର ଚାଷୀମାନଙ୍କୁ ଆଉ ବଜାର ବଟିର ଜୁଲୁମ ସହିବାକୁ ପଡିବନାହିଁ, ତେଣୁ ଚାଷୀ ଓ ସାଧାରଣ ଖାଉଟିମାନେ ଏହାର ପ୍ରଶଂସା କରିଛନ୍ତି । ପ୍ରକାଶଥାଉକି ରାଜା ରାଜୁଡା ଅମଳରୁ ବୌଦ୍ଧ ଦୈନିକ ବଜାରକୁ ଦୂର ଦୂରାନ୍ତରୁ ଚାଷୀମାନେ ଆସି ସେମାନଙ୍କ ପନିପରିବା ବିକ୍ରୟ କରିଆସୁଥିଲେ । ଏପରିକି କନ୍ଧମାଳ ଓ ବରଗଡ ଅଞ୍ଚଳରୁ ବଡ ବଡ ପନିପରିବା ବ୍ୟବସାୟୀମାନେ ଗାଡି ଭର୍ତ୍ତି ପନିପରିବା ଆଣି ବୌଦ୍ଧ ବଜାରରେ ବିକ୍ରୟ କରୁଥିଲେ ।
ଏହାବ୍ୟତୀତ ବୌଦ୍ଧ ଜିଲାର ବିଭିନ୍ନ ଗ୍ରାମରୁ ଏବଂ ମହାନଦୀର ଅପରପାର୍ଶ୍ୱରେ ପନିପରିବା ଚାଷୀମାନେ ପ୍ରତିଦିନ ବୌଦ୍ଧ ଦୈନିକ ବଜାରକୁ ଆସି ସେମାନଙ୍କ ପନିପରିବା ବିକ୍ରୟ କରି ଉଚିତ୍ ମୂଲ୍ୟ ପାଇବା ସହିତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣି ଘରକୁ ଫେରୁଥିଲେ । ବୌଦ୍ଧର ଶନିବାର ସାପ୍ତାହିକ ହାଟର ଅନେକ ବିଶେଷତ୍ୱ ରହିଥିଲା । ସମସ୍ତ ପ୍ରକାର ସାମଗ୍ରୀ ସହିତ ବହୁ ସଂଖ୍ୟାରେ ଚାଷୀ ଓ ବ୍ୟବସାୟୀ ଶନିବାର ହାଟକୁ ଅପେକ୍ଷା କରି ରହୁଥିଲେ । ଅନେକ ଖାଉଟି ଶନିବାର ହାଟ ଦିନକୁ ଅପେକ୍ଷା କରି ସପ୍ତାହଜାକର ସାମଗ୍ରୀ ସେହିଦିନ କ୍ରୟ କରୁଥିଲେ । କିନ୍ତୁ କିଛିବର୍ଷ ହେଲା ବୌଦ୍ଧ ଦୈନିକ ବଜାରରେ ବଟି ଜୁଲୁମ ଅଭିଯୋଗ ସହିତ ପ୍ରକୃତ ଚାଷୀମାନେ ବଜାର ପ୍ରତି ବିମୁଖ ହେବାରେ ଲାଗିଛନ୍ତି । ଶନିବାର ସାପ୍ତାହିକ ହାଟ ନାମକୁ ମାତ୍ର ଚାଲିଥିବା ବେଳେ ଦୈନକ ବଜାରରେ ଦଲାଲ ମାନଙ୍କ ରାଜୁତି ଚାଲିଛି । ପନିପରିବା ନେଇ ସ୍ୱଳ୍ପ ସଂଖ୍ୟାରେ ଚାଷୀ ବଜାର ଆସୁଥିଲେ ମଧ୍ୟ ବ୍ୟବସାୟୀଙ୍କ ନିକଟରେ ସବୁ ଦେଇ ଚାଲିଯାଉଥିବା ଦେଖିବାକୁ ମିଳୁଅଛି । ପୂର୍ବରୁ ପ୍ରତିଦିନ ପନିପରିବା ଗାଡି ବାହାରୁ ଆସୁଥିବାବେଳେ ଏବେ କାଁ ଭାଁ ବ୍ୟବସାୟୀ ବାହାରୁ ଆସୁଛନ୍ତି । ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି ସାଧାରଣ ଖାଉଟି ।
ନିୟନ୍ତ୍ରିତ ବଜାର କମିଟି ସହିତ ଏନଏସି ପକ୍ଷରୁ ଦର ନିୟନ୍ତ୍ରଣ ବ୍ୟବସ୍ଥା ରହିଛି କିନ୍ତୁ ପ୍ରତିଦିନ ଦଲାଲମାନଙ୍କ ପାଟିରୁ ଯାହା ବାହାରିଲା ତାହା ସେଦିନର ବଜାର ଦର ହିସାବରେ ଗଣାଯାଉଅଛି । ଏନଏସି ବକ୍ଷରୁ ବଟି ଦର ନିର୍ଦ୍ଧାରଣ କରାଯାଇଥିବାବେଳେ ଚାଷୀମାନଙ୍କ ଠାରୁ ଜୋର ଜବରଦସ୍ତ ଚାରିଗୁଣ ବଟି ଆଦାୟ କରାଯାଉଥିବା ଅଭିଯୋଗ ହେଉଅଛି । ଦୈନିକ ବଜାରରେ ସ୍ଥାୟୀ ଭାବରେ ପନିପରିବା ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ବହୁ ସ୍ଥାନ ମାଡିବସିବା ସହିତ କୁଇଣ୍ଟାଲ କୁଇଣ୍ଟାଲ ପନିପରିବା ଜମା କରି ବିକ୍ରୟ କରୁଥିଲେ ମଧ୍ୟ ସେମାନଙ୍କ ଠାରୁ ଦୈନିକ ୧୦ ଟଙ୍କା ବଜାର ବଟି ଆଦାୟ କରାଯାଉଅଛି । ଅପରପକ୍ଷେ ନିଜେ ଶ୍ରମ କରି ପନିପରିବା ଚାଷ କରିବା ପରେ ବାଜରକୁ ବିକ୍ରୟ ପାଇଁ ଆସୁଥିବା ଚାଷୀମାନଙ୍କଠାରୁ ଜୋର ଜବରଦସ୍ତ ବ୍ୟାଗପିଛା, ବସ୍ତାପିଛା ହିସାବ କରି ୪୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବଟି ଆଦାୟ କରାଯାଉଅଛି ।
ଗାଡି ନେଇ ପନିପରିବା ବ୍ୟବସାୟୀ ଆସିଲେତ ୫୦୦ ଟଙ୍କା କେବଳ ମାର୍କେଟ ବଟି ସହିତ ପନିପରିବା ବ୍ୟବସାୟୀଙ୍କୁ ସଂଘ ଚାନ୍ଦା ମଧ୍ୟ ଦେବାକୁ ପଡୁଅଛି । ଫଳରେ ବୌଦ୍ଧ ଦୈନିକ ବଜାର ପ୍ରତି ଚାଷୀ ତଥା ବାହାର ଜିଲାରୁ ଆସୁଥିବା ବ୍ୟବସାୟୀମାନେ ବିମୁଖ ହେବା ସହିତ ଛୋଟ ଛୋଟ ହାଟଗୁଡିକୁ ଅଧିକ ସଂଖ୍ୟାରେ ଯାଉଥିବା ଦେଖିବାକୁ ମିଳୁଅଛି । ତେଣୁ ଏନଏସି ଅଧ୍ୟକ୍ଷଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଯୋଗୁଁ ପୁଣିଥରେ ଚାଷୀମାନେ ବୌଦ୍ଧ ଦୈନିକ ବଜାର ପ୍ରତି ଆସ୍ଥା ପ୍ରକଟ କରିବା ସହିତ ଅଧିକ ସଂଖ୍ୟାରେ ଚାଷୀ ପନିପରିବା ନେଇ ଆସିବେ ବୋଲି ଆଶାପ୍ରକାଶ ପାଇଛି । ଏହା ଦ୍ୱାରା ଖାଉଟିମାନେ ସତେଜ ପନିପରିବା ସହିତ ଠିକ୍ ଦରରେ ମଧ୍ୟ ପାଇପାରିବେ ବୋଲି ମତବ୍ୟକ୍ତ କରିବା ସହିତ ଅଧ୍ୟକ୍ଷଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।
Comments are closed.