ବୌଦ୍ଧ: ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ସୁଧାର ଗୃହ, ନାରାୟଣପୁର ଠାରେ ଆର୍ନ୍ତଜାତୀୟ ବିଶ୍ୱ ମାନସିକ ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ସଚେତନତା କାର୍ଯ୍ୟକ୍ରମଟି ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଚରଣଜିତ ଓରାମଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା । ଏଥିରେ ସୁଧାର ଗୃହରେ ରହୁଥିବା ମାନସିକ ବିକାରଗ୍ରସ୍ତ ସହ ଅନ୍ୟ ଗରିବ ଓ ଅସହାୟ ମହିଳାମାନେ ଭାଗ ନେଇଥିଲେ ।
ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ମାନସିକ ରୋଗର ଲକ୍ଷଣ, ପ୍ରତିକାର ଏବଂ ଚିକିତ୍ସା ଉପରେ ବୁଝାଇବା ନିମନ୍ତେ ଏବଂ ତାଙ୍କର ସ୍ୱାସ୍ଥ୍ୟ ପରିକ୍ଷା ନିମନ୍ତେ ମେଡିକାଲ୍ ଟିମକୁ ନିମନ୍ତ୍ରଣ କରାଯାଇଥିଲା । ମେଡିକାଲ୍ ଟିମ୍ ରୁ ଡ. ମନୋଜ ମିର୍ଦ୍ଧା, ମନୋବିଜ୍ଞାନୀ ଆକାଂକ୍ଷା ସ୍ୱାଇଁ ଏବଂ ଶୈଳବାଳା ସ୍ୱାଇଁ, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ପ୍ରକଳ୍ପ କାର୍ଯ୍ୟକ୍ରମର ସୁପରଭାଇଜର୍ ଉପସ୍ଥିତ ରହି ମହିଳାମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ଉପରେ ପରାମର୍ଶ ଦେବା ସହ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ମାଗଣାରେ ଔଷଧ ବିତରଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଅଫିସ୍ ଦ୍ୱାରା ମହିଳାମାନଙ୍କୁ ଫଳ ଓ ଖାଦ୍ୟପଦାର୍ଥ ବିତରଣ କରାଯାଇଥିଲା ।



