ଫି’ ହ୍ରାସ ଦାବି:ଶ୍ରେଣୀକକ୍ଷରେ ତାଲା ପକାଇଲେ ଛାତ୍ରଛାତ୍ରୀ, ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ବୌଦ୍ଧ: ବୌଦ୍ଧର ସର୍ବପୂରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ବୌଦ୍ଧ ପଞ୍ଚାୟତ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି। କିଛିଦିନ ଧରି ଛାତ୍ରଛାତ୍ରୀମାନେ କଲେଜର ବାର୍ଷିକ ଫି’ ହ୍ରାସ ଦାବି କରିଆସୁଥିବାବେଳେ ସୋମବାର ଛାତ୍ର ଅଶାନ୍ତି ଉଗ୍ର ରୂପ ଧାରଣ କରିଥିଲା। ଛାତ୍ରଛାତ୍ରୀମାନେ କଲେଜକୁ ପାଠ ପଢିବାକୁ ନଯାଇ କଲେଜ ଭିତରେ ତାଲା ପକାଇ ଫାଟକ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ। କଲେଜ କର୍ତ୍ତୃପକ୍ଷ ବାରମ୍ବାର ଛାତ୍ରଛାତ୍ରୀଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହି ବିକ୍ଷୋଭ ଆରମ୍ଭ କରିଥିଲେ। ବୌଦ୍ଧଥାନା ଅଧିକାରୀ ମାଧବାନନ୍ଦ ନାଏକ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ବୁଝାଶୁଝା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଫଳ କିଛି ହୋଇନଥିଲା। ଛାତ୍ରଛାତ୍ରୀମାନେ ଫିଜ କମାଇବାକୁ ଘୋଷଣା କିମ୍ବା ଲିଖିତ ପ୍ରତିଶୃତି ନପାଇବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ନିଜ ଜିଦ୍ ରେ ଅଟଳ ରହିଥିଲେ। ଶେଷରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ବ୍ଲକକୁ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେବାକୁ ଯାଉଥିବାବେଳେ କଲେଜ ଫାଟକରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିବା ଦେଖି ଗାଡି ଅଟକାଇ ସେମାନଙ୍କ ସହିତ ଆଲୋଚନା କରିଥିଲେ।
କଲେଜର ବର୍ଦ୍ଧିତ ଫି’ ଗରିବ ଛାତ୍ରଛାତ୍ରୀମାନେ ପଇଠ କରିବା କଷ୍ଟକର ବୋଲି ଛାତ୍ରଛାତ୍ରୀମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଏ ସଂପର୍କରେ ବିଚାର କରାଯିବ କହି ଧାରଣାରୁ ଓହରିବାକୁ ଛାତ୍ରଛାତ୍ରୀମାନଙ୍କୁ କହିବା ସତ୍ୱେ ମଧ୍ୟ ସେମାନେ ଲିଖିତ ପ୍ରତିଶୃତି କିମ୍ବା ତୁରନ୍ତ ଫି’ ପ୍ରତ୍ୟାହାର ଘୋଷଣା ନକଲେ ଧାରଣାରୁ ଓହରିବୁ ନାହିଁ ବୋଲି ଜଣାଇଥିଲେ। ଶେଷରେ କଲେଜ ପରିଚାଳନା କମିଟି ସଭାପତି ଓ ଛାତ୍ର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଆଲୋଚନା କରି ବୃଦ୍ଧି କରାଯାଇଥିବା କଲେଜ ଫି’ ପ୍ରତ୍ୟାହାର ନେଇ ନିଷ୍ପତି ନେବାକୁ ଜିଲାପାଳ ଶ୍ରୀମିଶ୍ର ଫୋନ ଯୋଗେ କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ନିର୍ଦ୍ଦେଶ ଦେବାପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିଲେ। ସନ୍ଧ୍ୟାରେ କଲେଜ ପରିଚାଳନା ସଭାପତି ତଥା ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହରାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କଲେଜ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ୪ ଜଣିଆ ପ୍ରତିନିଧିମଣ୍ଡଳୀ ସହିତ ଆଲୋଚନା ହୋଇଥିଲା। ସବୁ ଛାତ୍ରଛାତ୍ରୀ କଲେଜର ବାର୍ଷିକ ଉତ୍ସବ, ଖେଳ ଓ ସେମିନାର ଭଳି କାର୍ଯ୍ୟକ୍ରମରେ ସାମିଲ ହେଉନଥିବାରୁ ସେମାନଙ୍କୁ ଏହି ବାବଦକୁ କଲେଜ ନେଉଥିବା ଫି’ ଛାଡ କରାଯିବାକୁ ଦାବି କରିଥିଲେ। କିନ୍ତୁ ପ୍ରତି କଲେଜରେ ଶତପ୍ରତିଶତ ଛାତ୍ରଛାତ୍ରୀ ଏହି ଫି’ ପ୍ରଦାନ କରିଥାନ୍ତି।
ତେଣୁ ଛାତ୍ରଛାତ୍ରୀଙ୍କ ଦାବି ମୁତାବକ ଫି’ ଛାଡ ସମ୍ଭବ ନଥିବା ସତ୍ୱେ ସ୍ୱଳ୍ପ କିଛି ଫି’ ପ୍ରତ୍ୟାହର କରିବାକୁ ଆଲୋଚନାରେ ସହମତି ପ୍ରକାଶ ପାଇଥିଲା। କିନ୍ତୁ ଛାତ୍ର ପ୍ରତିନିଧିମାନେ ଏ ସଂପର୍କରେ କଲେଜର ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ଜଣାଇବୁ ବୋଲି ବୈଠକରେ ପ୍ରକାଶ କରିଥିଲେ। ଏ ସଂପର୍କରେ କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ହେଉଥିବା ଫି’ ରୁ ଠିକାଭିତ୍ତିକ ନିଯୁକ୍ତି ପାଉଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଦରମା ଠାରୁ ଆରମ୍ଭ କରି ଅନେକ ଖର୍ଚ୍ଚ ତୁଲାଯାଇଥାଏ। ଛାତ୍ରଛାତ୍ରୀଙ୍କ ଦାବି ମୁତାବକ ଫି’ ପ୍ରତ୍ୟାହର କଲେ କଲେଜ ପରିଚାଳନା ସମ୍ଭବ ହୋଇପାରିବନାହିଁ। ଏହାବ୍ୟତୀତ ଜିଲାରେ ଥିବା ଅନ୍ୟ ସମସ୍ତ କଲେଜ ଓ ପାଖ ପଡ଼ୋଶୀ ଜିଲାର କଲେଜ ଗୁଡିକଠାରୁ ବୌଦ୍ଧ ପଞ୍ଚାୟତ କଲେଜରେ ଛାତ୍ରଛାତ୍ରୀଙ୍କଠାରୁ ଅଳ୍ପ ଫି’ ନିଆଯାଇଥାଏ। ଏହା ସତ୍ୱେ କିଛି ଛାତ୍ରଛାତ୍ରୀମାନେ ପାଠପଢା ବର୍ଜନ କରି କଲେଜ ଶ୍ରେଣୀକକ୍ଷରେ ତାଲା ପକାଇ ଫାଟକରେ ବିକ୍ଷୋଭ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ। ଏଥିପ୍ରତି ଛାତ୍ରଛାତ୍ରୀଙ୍କ ସହିତ ସେମାନଙ୍କ ଅଭିଭାବକମାନେ ମଧ୍ୟ ସଚେତନ ହେବା ଆବଶ୍ୟକ। ଅନେକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବି ଶିକ୍ଷାଦାନ ପାଇଁ ପଶ୍ଚିମ ଓଡ଼ିଶାରେ ବୌଦ୍ଧ କଲେଜର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ତେଣୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କଲେଜ ମଧ୍ୟକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା ସହିତ ଉତ୍ତମ ଶିକ୍ଷା ପରିବେଶ ରକ୍ଷା କରିବା ପାଇଁ ଛାତ୍ରଛାତ୍ରୀ,ଅଭିଭାବକ ଓ ସହରର ବୁଦ୍ଧଜିବୀମାନଙ୍କର ମଧ୍ୟ ଦାୟିତ୍ୱ ବୋଲି ଶ୍ରୀବେହେରା ପ୍ରକାଶ କରିବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
Comments are closed.