ବୌଦ୍ଧରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପୋଲିସ-ବିଏସଏଫର ମିଳିତ ଫ୍ଲାଗ ମାର୍ଚ୍ଚ

ବୌଦ୍ଧ : ଓଡ଼ିଶାରେ ଏକାସଙ୍ଗେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ । ତାରିଖ ପାଖେଇ ଆସୁଥିବା ବେଳେ ବୌଦ୍ଧ ଜିଲାରେ ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ପୁଲିସ ପ୍ରଶାସନ ତତ୍ପର ରହିଛି । ଏହାରି ମଧ୍ୟରେ ଜିଲାର ବିଭିନ୍ନ ସ୍ଥାନରେ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏମିତିକି ଗୁରୁବାର ପୁଣିଥରେ ଉପାନ୍ତ ଅଞ୍ଚଳରେ ମାଓ ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି। ତେଣୁ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲାର ବିଭିନ୍ନ ଅଞ୍ଚଳରେ ଆଜି ବିଏସଏଫ୍ ଓ ପୋଲିସ ପକ୍ଷରୁ ମିଳିତ ଫ୍ଲାଗ ମାର୍ଚ୍ଚ କରାଯାଇଛି। ବୌଦ୍ଧ ଜିଲା ପୋଲିସ ବିଏସଏଫ୍ ସହାୟତାରେ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛି ।

ବୌଦ୍ଧ ଏସଡିପିଓ, ଥାନା ଅଧିକାରୀ ଓ ବିଏସଏଫ ଟ୍ରୁପ ଲିଡରଙ୍କ ନେତୃତ୍ବରେ ସଦର ମହକୁମା ଅନ୍ତର୍ଗତ ସମସ୍ତ ବସ୍ତିରେ ଏହି ଫ୍ଲାଗ ମାର୍ଚ୍ଚ ହୋଇଛି। ସେପଟେ ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି। ଜିଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସରଗରମ ହେବାରେ ଲାଗିଛି ରାଜନୀତି। ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନ ଜୋରଦାର କରିଥିବା ବେଳେ ଜିଲା ନିର୍ବାଚନ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି।

Comments are closed.