ପରମ୍ପରା ଓ ସଂସ୍କୃତିକୁ ବଜାୟ ଦଣ୍ଡଯାତ୍ରା
ବୌଦ୍ଧ : ଚୈତ୍ର ମାସରେ ବୌଦ୍ଧ ଜିଲାରେ ଏକ ମୁଖ୍ୟ ପର୍ବ ହେଲା ଦଣ୍ଡ ପର୍ବ। ଏହି ଦଣ୍ଡ ପର୍ବ ପବିତ୍ର ମହା ବିଷୁବ ସଂକ୍ରାନ୍ତିରେ ସାରା ଜିଲାରେ ଆନନ୍ଦ ଉହ୍ଲାସରେ ସଂପନ୍ନ ହୋଇଛି । ଜିଲାରେ ବିଭିନ୍ନ ପର୍ବପର୍ବାଣୀ ବର୍ଷସାରା ଲାଗିରହିଥିବାବେଳେ ଚୈତ୍ର ମାସରେ ହେଉଥିବା ଦଣ୍ଡ ଯାତ୍ରା ଜିଲାର ଏକ ଅନନ୍ୟ ପରମ୍ପରା । ଏହି ଯାତ୍ରା ବିଶେଷତଃ କୃଷି ଉପରେ ଆଧାରିତ ହୋଇଥିବା ବେଳେ ଜିଲାର ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିଛି । ଦଣ୍ଡ ଯାତ୍ରା ପଣା ସଂକ୍ରାନ୍ତି ବା ମେରୁ ସଂକ୍ରାନ୍ତି ଦିନ ଶେଷ ହୋଇଥାଏ । ଏଣୁ ଦଣ୍ଡ ଯାତ୍ରାକୁ ମେରୁ ଯାତ୍ରା ମଧ୍ୟ କୁହାଯାଏ।
ଚୈତ୍ର ମାସର ଟାଣ ଖରାରେ ପ୍ରତି ବର୍ଷ ବୌଦ୍ଧ ଜିଲାର ବିଭିନ୍ନ ଗ୍ରାମରେ ଦଣ୍ଡ ଉଠିଥାଏ। ଏହି ଦଣ୍ଡଯାତ୍ରା ମିନ ମାସର ୧୭ ଦିନ ଗତେ ଆରମ୍ଭ ହୋଇ ମେଷ ମାସର ବିଷୁବ ସଂକ୍ରାନ୍ତି ଦିନ ଶେଷ ହୋଇଥାଏ। ରବିବାର ଦିନ ବିଷୁବ ସଂକ୍ରାନ୍ତି ବା ଦଣ୍ଡଯାତ୍ରାର ଶେଷଦିନ ହୋଇଥିବାରୁ ବୌଦ୍ଧଜିଲା ପୁରା ଉତ୍ସବ ମୁଖର ହୋଇପଡିଛି। ମେରୁଯାତ୍ରା ସହର ମଧ୍ୟରେ ରାମେଶ୍ୱର ମନ୍ଦିର , ଭୈରବୀ ମନ୍ଦିର ଓ ମାତଙ୍ଗେଶ୍ୱର ମନ୍ଦିରଠାରେ ପାଳିତ ହେଉଥିବାବେଳେ ହରଭଙ୍ଗା ବ୍ଳକର କୁଶଙ୍ଗ, ହରଭଙ୍ଗା , ପଦାମାଳ, ଲୋକାପଡା, ରାଣିଗଞ୍ଜ, ଲଣ୍ଡ୍ରେଜୁର, ପୁରୁଣାକଟକ , ସରଧାପୁର, ସାକୁଶିଙ୍ଗା, ବିରାମଚନ୍ଦ୍ରପୁର, କେଳାକଟା, ବୁରୁବୁଡା, କରଡି, ବୀରନରସିଂହପୁର, ଲଇଗାଁ, ଖଣ୍ଡହତା, ଘୋରଡା ଏବଂ ବୌଦ୍ଧ ବ୍ଳକର ଜଗତି, ସିଦ୍ଧପୁର, ବାଉଁଶୁଣୀ, ଚଣ୍ଡିତଲଠାରେ ଓ କଣ୍ଟାମାଳ ବ୍ଳକରେ ମଧ୍ୟ ବିଭିନ୍ନ ଗ୍ରାମଗୁଡିକରେ ମହାସମାରୋହରେ ପାଳିତ ହେଉଅଛି।
ଏହି ଦିନ ଗ୍ରାମର ଦଣ୍ଡ ଦଳଗୁଡିକ ନିଜ ନିଜ ଗ୍ରାମକୁ ସକାଳୁ ସକାଳୁ ବିରାଟ ପଟୁଆରରେ ବିଭିନ୍ନ ବେଶ ଧାରଣ କରି ନାଚି ନାଚିି ଗ୍ରାମର ଗୁଢି ଘର (ମଣ୍ଡପ) ଠାରେ ରହି ମେରୁ ପର୍ବ ପାଳନ କରିଥାନ୍ତି। ମେରୁ ଯାତ୍ରା ଦିନ ସମସ୍ତ ଦଣ୍ଡ ବ୍ରତ ଧାରି ମାନେ ଉପବାସ ରହି ଥାଆନ୍ତି। ଦଣ୍ଡ ବ୍ରତ ଧାରି ମାନଙ୍କ ବ୍ୟତୀତ ଗ୍ରାମର ମାନସିକଧାରୀ ଶ୍ରଦ୍ଧାଳୁମାନେ ମଧ୍ୟ ଉପବାସ ରହି ମେରୁ ପର୍ବ ପାଳନ କରିଥାଆନ୍ତି। ମେରୁ ଯାତ୍ରା ସରିବା ପରେ ଗ୍ରାମର କାମନା ମନ୍ଦିର ଠାରେ ଦଣ୍ଡ ସ୍ଥାପନ (ଥପା) କରାଯାଇଥାଏ। ଏହିଯାତ୍ରାକୁ କେଉଁ କେଉଁ ଗ୍ରାମରେ ଝାମୁଯାତ୍ରା ମଧ୍ୟ କହିଥାଆନ୍ତି । ଏଥିରେ ଭକ୍ତମାନେ ୧୨ ହାତ ଖୋଳା ନିଆଁରେ ଖାଲି ପାଦରେ ଚାଲିଥାନ୍ତି। ଏହି ମେରୁଯାତ୍ରା ପାଇଁ ଜିଲାର ସମସ୍ତ ଦଣ୍ଡ ହେଉଥିବା ଗାଁ ଗୁଡିକରେ ରାତି ତମାମ ଭକ୍ତଙ୍କ ଗହଳି ଲାଗି ରହିଥିଲା। ମେରୁ ଯାତ୍ରା ପାଇଁ ଗାଁ ଗୁଡିକରେ ନାଚ , ଗୀତର ଆସର ଜମିଥିଲା ।
Comments are closed.