www.samajalive.in
Sunday, December 7, 2025
26.1 C
Bhubaneswar

ଖୋର୍ଦ୍ଧା ବଲାଙ୍ଗୀର ରେଳପ୍ରକଳ୍ପ ପାଇଁ ଜଙ୍ଗଲ ଜମି ଅନୁମତି ପ୍ରଦାନ କରିଥିବାରୁ ନାଗରିକ କମିଟି ପକ୍ଷରୁ କୃତଜ୍ଞତା 

ବୌଦ୍ଧ : ଖୋର୍ଦ୍ଧା ବଲାଙ୍ଗୀର ରେଳପ୍ରକଳ୍ପ ନିର୍ମାଣରେ କ୍ଷତିଗ୍ରସ୍ତ ବୌଦ୍ଧ ଜିଲାର ଜଙ୍ଗଲ ଜମି ଅନୁମତି ନେଇ ଦୀର୍ଘଦିନ ହେଲା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ଲୁଚକାଳି ଖେଳ ଚାଲିଥିବାବେଳେ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ତଥା ଅନଶ୍ଚିତତା ଦେଖାଦେଇଥିଲା। ଗତ ଦୁଇଦିନ ତଳେ କେନ୍ଦ୍ର ରେଳମନ୍ତ୍ରୀ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ ଆସୁଥିବା ୬୮ କିଲୋମିଟିର ଜଙ୍ଗଲ ଜମିରେ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିବା ସୂଚନା ଦେବାପରେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବା ସ୍ପଷ୍ଟ ହୋଇପାରିଛି। ଏହି ଅନୁମତି ପାଇଁ ଦୀର୍ଘଦିନ ହେଲା ବୌଦ୍ଧର ବିଭିନ୍ନ ସଂଗଠନ ତଥା ନାଗରିକ କମିଟି ପକ୍ଷରୁ ଆନ୍ଦୋଳନ ଓ ଦାବିପତ୍ର ପ୍ରଦାନ କରାଯାଇଥିଲା। ବୌଦ୍ଧର ବିଧାୟକ ରାଜ୍ୟ କ୍ୟାବିନେଟ୍‌‌ରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପଦବୀ ପାଇବା ପରେ ଜିଲାବାସୀଙ୍କ ଏହି ଦାବିକୁ ଗୁରୁତ୍ୱ ପ୍ରଦାନ କରି ନିଜର ବିଭାଗୀୟ ଅଧିକାରୀମାନଙ୍କ ବୈଠକ ଡାକି ତୁରନ୍ତ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ମଧ୍ୟରେ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ପଡ଼ି ରହିଥିବା ଅନୁମତି ପ୍ରକ୍ରିୟାର ସମୀକ୍ଷା କରାଯାଇ ତୁରନ୍ତ ଏହାକୁ ଅନୁମୋଦନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରେରଣ କରାଯାଇଥିଲା। ବର୍ତମାନ କେନ୍ଦ୍ର ସରକାର ଅନୁମତି ନେଇ ସ୍ପଷ୍ଟ କରିବାପରେ ଏହି ପ୍ରତୀକ୍ଷିତ ରେଳ ପ୍ରକଳ୍ପ ପାଇଁ ସମସ୍ତ ସରକାରୀ ଓ ଜଙ୍ଗଲ ଜମି ଅଧିଗ୍ରହଣ ପ୍ରକ୍ରିୟା ଖୁବଶିଘ୍ର ଶେଷ ହେବାର ସମ୍ଭାବନା ରହିଛି। ରେଳପଥ ନିର୍ମାଣ ପାଇଁ ଜଙ୍ଗଲ ଅନୁମତି ମିଳିବାପରେ ବୌଦ୍ଧ ନାଗରିକ କମିଟିର ଏକ ଜରୁରୀ ବୈଠକ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରଠାରେ ସଂପାଦକ ବିଶ୍ୱେଶ୍ୱର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ରାଜ୍ୟସରକାର, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ପ୍ରତି ଜନସାଧାରଣଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏଥିସହ ଜନସାଧାରଣଙ୍କ ମିଳିତ ସହଯୋଗରେ ନାଗରିକ କମିଟିର ଆନ୍ଦୋଳନ ସଫଳ ହୋଇଥିବାରୁ ସମସ୍ତଙ୍କୁ ଏଥିପାଇଁ ନାଗରିକ କମିଟି ପକ୍ଷରୁ ମଧ୍ୟ କୃତଜ୍ଞତା ଜ୍ଞାପନ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ କେବଳ ବୌଦ୍ଧଜିଲାରେ ୧୦୭ କିଲୋମିଟର ରେଳପଥ ନିର୍ମାଣ ହେବାକୁଥିବାବେଳେ ଜଙ୍ଗଲ ଜମିକୁ ଛାଡିଦେଲେ ଅନ୍ୟ ସବୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇ ମାଟିପକା କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି।

ବୌଦ୍ଧ ଜିଲାରେ ଜଙ୍ଗଲ ଜମିରେ ନିର୍ମାଣ ହେବାକୁ ଥିବା ରେଳପଥ ହରଭଙ୍ଗା ବ୍ଲକର ପଦ୍ମତୋଳା ଅଭୟାରଣ୍ୟ ନିକଟ ଦେଇ ଯାଉଥିବାବେଳେ ଏହାରି ମଧ୍ୟରେ ଅନେକ ସ୍ଥାନରେ ହାତୀ ଚଲାପଥ ମଧ୍ୟ ରହିଛି। ତେଣୁ ଜିଲା ବନ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ ପୂର୍ବରୁ ଏହିସବୁ ଦିଗକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟାରେ ପ୍ରାକୃତିକ ଜଙ୍ଗଲ ନଷ୍ଟ ନକରିବାକୁ ଯୋଜନା କରାଯାଇଥିଲା। ସୂଚନା ମୁତାବକ ଜିଲାର ଜଙ୍ଗଲ ସଂପଦ ରକ୍ଷା କରିବା ପାଇଁ ରେଳପଥ ନିର୍ମାଣ ସମୟରେ ବୌଦ୍ଧଜିଲାରେ ୫ ଗୋଟି ଛୋଟବଡ ଟନେଲ ନିର୍ମାଣ ହେବାକୁଥିବାବେଳେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ହାଇଲେବେଲ ବ୍ରିଜ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ତେବେ ଅଧିକ ସଂଖ୍ୟରେ ଟନେଲ ନିର୍ମାଣ ଦ୍ୱାରା ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ବଡ ବଡ ଗଛ ସହିତ ଲକ୍ଷ ଲକ୍ଷ ସଂଖ୍ୟାରେ ଛୋଟ ଗଛକୁ ରକ୍ଷା କରାଯାଇପାରିଥିବା ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ସୂଚନା ପ୍ରଦାନ କରିଛନ୍ତି। ତେବେ ଜଙ୍ଗଲ ଜମି ଅନୁମତି ମିଳିବାପରେ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହିତ ଶୀଘ୍ର ରେଳ ଗଡ଼ିବାର ସ୍ୱପ୍ନ ପୂରଣ ହେବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories