ମହାନଦୀରେ ପ୍ରଥମ ବନ୍ୟାଜଳ, ଉଦଘାଟନ ଅପେକ୍ଷାରେ ମର୍ଜାକୁଦ ଓ ଧଳପୁର ସେତୁ

ବୌଦ୍ଧ : ହୀରାକୁଦ ଡ୍ୟାମରୁ ୫ଗୋଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିବାବେଳେ ନଦୀଖଣ୍ଡି ଓ ତଳି ଅଞ୍ଚଳରେ ଥିବା ଲୋକମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତିନିଦିନର ବର୍ଷା ପରେ ଯଦିଓ ଆଜି ପାଗ ଶୁଖିଲା ରହିଛି, କିନ୍ତୁ ଲଘୁଚାପ ଯୋଗୁଁ ବର୍ଷା ବୃଦ୍ଧି ପାଇବା ନେଇ ସୂଚନା ଦିଆଯାଇଛି। ତେଣୁ ଯଦି ଲଘୁଚାପ ପ୍ରଭାବରେ ଲଗାଣବର୍ଷା ଜାରି ରହେ ତେବେ ମହାନଦୀରେ ବନ୍ୟାଜଳ ନିଷ୍କାସନ ଯୋଗୁଁ ତଳି ଅଞ୍ଚଳ ପ୍ରତି ଏହା ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପୂର୍ବରୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହେବା ସହିତ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ ରଖାଯାଇଛି। ଏହାବ୍ୟତୀତ ବ୍ଲକ ଓ ଜିଲାସ୍ତରରେ କଣ୍ଟ୍ରୋଲ ରୁମ ଖୋଲାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଛି। ପ୍ରତ୍ୟେକ ବନ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ପାନୀୟଜଳ ରନ୍ଧା ଓ ଶୁଖିଲା ଖାଦ୍ୟ,ଔଷଧ,ପଶୁମାନଙ୍କ ପାଇଁ ଖାଦ୍ୟ ଆଦି ମହଜୁଦ ରଖିବାକୁ ଆଗୁଆ ନିର୍ଦ୍ଦେଶ ଦିଆସରିଛି।

 

prayash

ସେହିପରି ଅଗ୍ନିଶମ ବିଭାଗ ସହିତ ଓଡ୍ରାଫ ଟିମ୍ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଆବଶ୍ୟକହେଲେ ବିଭିନ୍ନ ସ୍ୱେଛାସେବୀ ସଂଗଠନର ସହଯୋଗ ମଧ୍ୟ ନିଆଯିବାକୁ ପ୍ରସ୍ତୁତି କରାଯାଇଛି। ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ମହାନଦୀ ଗର୍ଭ ପ୍ରାୟ ଖାଲି ରହିଛି, ତେଣୁ ବର୍ତ୍ତମାନ ପାଇଁ ଯଦି ଲଗାଣ ବର୍ଷା ନହୁଏ ତ ବିପଦର କୌଣସି ଆଶଙ୍କା ନଥିବା କୁହାଯାଉଅଛି। ଏଥର ବନ୍ୟାରେ କିନ୍ତୁ ସବୁଠାରୁ ଖୁସି ଆଣିଦେଇଛି ମହାନଦୀ ଗର୍ଭରେ ରହୁଥିବା ମର୍ଜାକୁଦ ଦ୍ୱୀପଗ୍ରାମବାସୀଙ୍କ ପାଇଁ। ଯଦିଓ ମର୍ଜାକୁଦ ସେତୁ ଉଦଘାଟନ ହୋଇନାହିଁ କିନ୍ତୁ ବନ୍ୟାରେ ଆଉ ମର୍ଜାକୁଦବାସୀଙ୍କୁ ଡଙ୍ଗାରେ ନଦୀପାର ହେବାକୁ ପଡୁନାହିଁ। ମର୍ଜାକୁଦ ସେତୁ ଉପରେ ଗାଡିମୋଟର ଛଡାଯାଇନଥିଲେ ମଧ୍ୟ ନଦୀ ପାର ହେବାରେ ସୁରକ୍ଷା ଦୃଷ୍ଟିରୁ ଚାଲିକି ଓ ସାଇକେଲ ଯୋଗେ ନଦୀ ପାରି ହେବାକୁ ଲୋକଙ୍କୁ ଅନୁମତି ପ୍ରଦାନ କରାଯାଇଛି। ସେହିପରି ମହାନଦୀ ଉପରେ ନିର୍ମାଣ କାର୍ଯ୍ୟ ସରିଥିବା ଧଳପୁର ଆଠମଲ୍ଲିକ ସେତୁ ମଧ୍ୟ ଉଦଘାଟନ ଅପେକ୍ଷାରେ ରହିଥିବାବେଳେ ଏହି ସେତୁ ଉପରେ ଚାରିଚକିଆ ଯାନ ପର୍ଯ୍ୟନ୍ତ ପାରିହେବାକୁ ଅନୁମତି ପ୍ରଦାନ କରାଯାଇଛି। ତେଣୁ ନଦୀ ପାରି ହେବା ସମୟରେ ଲାଗି ରହିଥିବା ଡଙ୍ଗାବୁଡି ଭଳି ଘଟଣାର ଆଶଙ୍କା ଟଳିଯାଇଛି। କିନ୍ତୁ ଜଗନ୍ନାଥ ସଡକରେ ଅନେକ ସ୍ଥାନରେ ରାସ୍ତା ଉପରେ ନଦୀଜଳ ପ୍ରବାହିତ ହେବାର ଆଶଙ୍କା ରହିଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ସେହିପରି ହରଭଙ୍ଗା ଅଞ୍ଚଳରେ ମହାନଦୀ ପ୍ରତିବର୍ଷ କୁଳ ଳଂଘି ବହୁ ଦୂର ପର୍ଯ୍ୟନ୍ତ ଆସୁଥିବାରୁ ନଦୀଖଣ୍ଡିରେ ରହୁଥିବା ଗ୍ରାମବାସୀମାନଙ୍କୁ ସତର୍କ କରାଇ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜିଲାରେ ସ୍ଥିତି ସଂପୁର୍ଣ୍ଣ ନିୟନ୍ତ୍ରଣାଧିନ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

kalyan agarbati

Comments are closed.