ବୌଦ୍ଧ: ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ଭବନ ନିର୍ମାଣ ଓ ପାଠାଗାର ପରିଚାଳନା ନେଇ ସମୀକ୍ଷା କରାଯାଇଥିଲା। ଗତ ୨୪ ତାରିଖ ଦିନ ଜିଲାପାଳ ଶ୍ରୀସାହୁ ଅନ୍ୟ ପଦାଧିକାରୀଙ୍କ ସହିତ ପାଠଗାର ବୁଲି ଦେଖିବା ପରେ ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ନିଷ୍ପତି ଗ୍ରହଣ କରିଥିଲେ। ଆଜିର ବୈଠକରେ ସର୍ବପ୍ରଥମେ ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବିବରଣୀ ପାଠ କରିଥିଲେ। ଜିଲା ସଂସ୍କୃତି ଭବନର ରକ୍ଷଣା ବେକ୍ଷଣ ଏବଂ ପାଠାଗାରର ସୁପରିଚାଳନା ନିମନ୍ତେ କମିଟି ଗଠନ କରାଯାଇ ବିଜ୍ଞାପିତ ଅଞ୍ଚଳ ପରିଷଦ ମାଧ୍ୟମରେ ନୂତନ ସଂସ୍କୃତି ଭବନ ନିର୍ମାଣ ପାଇଁ ପ୍ରସ୍ତାବିତ ସ୍ଥାନର ଖାଲ ଯାଗାରେ ମାଟି ପକାଯିବା ସହିତ ସଂସ୍କୃତି ଭବନର ପୁନରୁଦ୍ଧାର କାର୍ଯ୍ୟ ସକାଶେ ବୈଠକରେ ଆଲୋଚନା କରାଯାଇଥିଲା। ଏଥିସହିତ ଉକ୍ତ କୋଠାକୁ ସଂଲଗ୍ନ କରାଯାଇ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ କରାଯିବା ସକାଶେ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଜିଲା ପାଠାଗାରର ପାଠକ ପାଠିକା ସଂଖ୍ୟା ବୃଦ୍ଧି କରାଯିବା ଉପରେ ଜିଲାପାଳ ଗୁରୁତ୍ୱ ପ୍ରକାଶ କରିବା ସହିତ ଇ-ଲାଇବ୍ରେରୀ କର୍ଣ୍ଣର, ବରିଷ୍ଠ ନାଗରିକ ଲାଇବ୍ରେରୀ କର୍ଣ୍ଣର ଓ ଛୋଟ ପିଲାମାନଙ୍କ ଲାଇବ୍ରେରୀ କର୍ଣ୍ଣର କରାଯିବା ସକାଶେ ବୈଠକରେ ନିଷ୍ପତି ଗ୍ରହଣ କରାଯାଇ ପାଠାଗାରର ଆଜୀବନ ସଦସ୍ୟ ରହିବା ପାଇଁ ଶହେ ଟଙ୍କାର ଏକ ରସିଦ କାଟି ଅଧିକରୁ ଅଧିକ ସଦସ୍ୟ କିପରି ଏଥିରେ ସଦସ୍ୟଭୁକ୍ତ ହୋଇପାରିବେ ସେଥିପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀସ୍ୱାଇଁ ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଓଡ଼ିଶା ସରକାରଙ୍କ ରାଜ୍ୟ ସଂସ୍କୃତି ବିଭାଗକୁ ନୂତନ ସଂସ୍କୃତି ଭବନ ନିର୍ମାଣ ପାଇଁ ପ୍ଲାନ, ଏଷ୍ଟିମେଟ ଓ ଡିଜାଇନ ଖୁବ ଶିଘ୍ର ଅନୁମୋଦନ ପାଇଁ ପଠାଯିବ ଏବଂ ଲାଇବ୍ରେରୀର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଲାଇବ୍ରେରୀର ନଷ୍ଟ ହେବାକୁବସିଥିବା ପୁସ୍ତକ ଗୁଡିକର ସଂରକ୍ଷଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ଅତିରିକ୍ତ ଜିଲାପାଳ ବିବିତାରାଣୀ ଦଳବେହେରା, ନିର୍ବାହୀ ଅଧିକାରୀ ଏନଏସି ମନୋରଞ୍ଜନ ପଣ୍ଡା ,ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଓ ଲାଇବ୍ରେରିଆନ ଯୁଧିଷ୍ଠିର ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Popular Categories



