ପାଟଣା: ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀର ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ଅଛି। ଓଡ଼ିଶାରେ ୬୪ ହଜାରରୁ ଅଧିକ ବିଦ୍ୟାଳୟ ଅଛି ଏବଂ ପ୍ରାୟ ୮୨ ହଜାର ବିଶେଷ ଆବଶ୍ୟକ ରଖୁଥିବା ପିଲା ଏହି ବିଦ୍ୟାଳୟଗୁଡିକରେ ନାମ ଲେଖାଇଛନ୍ତି କିନ୍ତୁ ସେମାନଙ୍କୁ ପଢ଼ାଇବା ପାଇଁ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କ ଆବଶ୍ୟକତା ରହିଛି ଯାହାର କି ସମ୍ପୂର୍ଣ ଅଭାବ ରହିଛି ଏବଂ ଆଜି ପର୍ଯ୍ୟନ୍ତ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଇ ନାହିଁ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଉଚ୍ଚତମ ନ୍ୟାୟାଳୟ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ଏହାର ଏକ ବର୍ଷ ପରେ ମଧ୍ୟ ସରକାରଙ୍କ ଦ୍ଵାରା ଏ ପର୍ଯ୍ୟନ୍ତ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ହୋଇପାରିଲା ନାହିଁ। ତେଣୁ ଓଡ଼ିଶା ସ୍ଵତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକ ସଂଘ (ଦିବ୍ୟାଙ୍ଗ) କେନ୍ଦୁଝର ଶାଖା ପକ୍ଷରୁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ଲୋକସଭା ସାଂସଦ ଚନ୍ଦ୍ରାଣି ମୂର୍ମୁଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ସଂଘ ଆଲୋଚନା କରିଛି। ସାଂସଦ ଏହି ନିୟମକୁ କାର୍ଯକାରୀ କରିବା ପାଇଁ ସରକାରଙ୍କୁ ଚିଠି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।



