ବୌଦ୍ଧରେ ଟାଟା କମ୍ପାନୀର ମନମାନୀ, ଅଘୋଷିତ ବିଦ୍ୟୁତ କାଟରେ ଅତିଷ୍ଠ ଉପଭୋକ୍ତା

ବୌଦ୍ଧ: ଲଗାଣ ବର୍ଷା ନାହିଁ କି ପବନ ନାହିଁ । ବୌଦ୍ଧ ଜିଲାରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ। କେତେବେଳେ ଗ୍ରିଡ ମରାମତି ଚାଲିଛି ତ ଆଉ କେତେବେଳେ ଗଛକଟା ପୁଣି ଜମ୍ପର ଛିଣ୍ଡି ଗଲାଣି। ବିଦ୍ୟୁତ କାଟର ପ୍ରକୃତ କାରଣ ଜଣାଇବାକୁ ମଧ୍ୟ ବିଦ୍ୟୁତ ବିଭାଗର ଅଧିକାରୀ କର୍ମଚାରୀମାନଙ୍କ ନିକଟରେ ସମୟ ନାହିଁ। ପଚାରିଲେ ସର୍ଭିସ ନମ୍ବର ଅଛି କଲ କରନ୍ତୁ ବୋଲି ସଫେଇ ଦେଉଛନ୍ତି। ନିର୍ଦ୍ଧାରିତ ନମ୍ବରକୁ କଲ କଲେ ସନ୍ତୋଷଜନକ ଉତ୍ତର ମଧ୍ୟ ନାହିଁ। କେବଳ ଯେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଏହି ସମସ୍ୟା ତାହା ନୁହେଁ, ନୂତନ ଲାଇନ ସଂଯୋଗ ହେଉ କି ଭୁଲ ବିଲିଂ ସମାଧାନ, ସବୁଠି ସମାନ ସମସ୍ୟା। ବିଦ୍ୟୁତ ବିଲ ପୂର୍ବରୁ ଯାହା ଆସୁଥିଲା ଏବେ ପ୍ରାୟ ଦୁଇଗୁଣରୁ ଅଧିକ। ଗୁହାରି ଶୁଣିବାକୁ କେହିନାହିଁ। ଏହା ହେଉଛି ବୌଦ୍ଧ ଜିଲାରେ ଟାଟା ପାୱାର କମ୍ପାନୀର ସ୍ମାର୍ଟ ସେବା। ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପକୁ ନେଇ ଜିଲାର ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଲାଣି। ସରକାର ଉତ୍ତମ ସେବା ଯୋଗାଇବା ବାହାନାରେ ବିଦ୍ୟୁତ ବିଭାଗକୁ ଘରୋଇକରଣ କରିବା ସହିତ ଟାଟା ପାୱାର ହାତରେ ସବୁକିଛି ଟେକି ଦେଇଛନ୍ତି। କିନ୍ତୁ ଉତ୍ତମ ସେବାତ ଦୂରର କଥା ସାଧାରଣଲୋକଙ୍କ ପ୍ରତି ବିଦ୍ୟୁତ ବିଭାଗର ଅଧିକାରୀମାନଙ୍କ ବ୍ୟବହାର ଚିନ୍ତାର ବିଷୟ ହୋଇପଡିଛି।

 

କମ୍ପାନୀ ପକ୍ଷରୁ ବିଦ୍ୟୁତ ବିଲ ଆଦାୟ ସମୟରେ ଅଣଓଡ଼ିଆ ଲୋକଙ୍କୁ ପଠାଇ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବାବେଳେ ସେବା ଯୋଗାଇବା ସମୟରେ ଅଧିକାରୀମାନେ ନିଜର ମୋବାଇଲ ବନ୍ଦ କରି ରଖୁଛନ୍ତି। ରବିବାର ଦିନ ସରକାରୀ କର୍ମଚାରୀ ହୁଅନ୍ତୁ ବା ବ୍ୟବସାୟୀ ନିଜ ପରିବାର ସହିତ କିଛି ସମୟ କଟାଇବାର ସୁଯୋଗ ପାଇଥାନ୍ତି। କିନ୍ତୁ ବିଦ୍ୟୁତ ବିଭାଗର ଲୁଚକାଳି ଖେଳ ଯୋଗୁଁ ନା କେହି ଘରେ ରହିପାରୁଛନ୍ତି ନା ବର୍ଷା ପାଇଁ ବାହାରକୁ ଯାଇପାରୁଛନ୍ତି। ଫଳରେ ଘରୋଇକରଣ ନାମରେ ଟାଟା ପାୱାର ପକ୍ଷରୁ ସ୍ମାର୍ଟ ସେବା ବଦଳରେ ଲୋକଙ୍କ ଜୀବନ ଜିବିକା ଅତିଷ୍ଠ ହେବାରେ ଲାଗିଛି। କୁହାଯାଏ କମ୍ପାନୀ ସେବାରେ ଗ୍ରାହାକଙ୍କୁ ନେଣ ଦେଣରେ ସ୍ୱଛତା ରହିଥାଏ। କିନ୍ତୁ ଏଠାରେ ଏହି ସେବା ମଧ୍ୟ ଓଲଟା। ନିର୍ଦ୍ଧାରିତ ଠିକାଦାରଙ୍କ ଜରିଆରେ ସବୁକାମ ନିର୍ଦ୍ଧାରିତ କଣ୍ଟ୍ରାକ୍ଟରଙ୍କ ନିକଟରୁ ପ୍ରମାଣପତ୍ର ନଆଣିରେ ନୂତନ ସଂଯୋଗ ମିଳିବନାହିଁ ଏହିପରି ଅନେକ ସମସ୍ୟା। ଏହାକୁ କିଛି ବିଭାଗୀୟ ଅଧିକାରୀ ବ୍ୟବସାୟ କରିସାରିଥିବାବେଳେ ଠିକାଦାର ଓ କଣ୍ଟ୍ରାକ୍ଟରଙ୍କ ଜରିଆରେ କମ୍ପାନୀକୁ ଚୁନ ଲଗାଇ ମାଲେମାଲ ହେବାରେ ଲାଗିଛନ୍ତି। ବର୍ତ୍ତମାନ ମର୍ଜାକୁଦ ଦ୍ୱୀପକୁ ସେତୁ ନିର୍ମାଣ ପ୍ରାୟ ସଂପୂର୍ଣ୍ଣ ହୋଇ ଉଦଘାଟନ ଅପେକ୍ଷାରେ ଥିବାବେଳେ ସେଠାରେ ଜମିର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି। କମ୍ପାନୀ ପକ୍ଷରୁ ସବୁ ସେବାରେ ଦୁର୍ନୀତି । ତେଣୁ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ସାଧାରଣଲୋକଙ୍କୁ ଉତ୍ତମ ବିଦ୍ୟୁତ ସେବା ଯୋଗାଇବାର ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଉପଭୋକ୍ତାମାନଙ୍କ ଅସନ୍ତୋଷ ଜନ ଆନ୍ଦୋଳନର ରୂପ ନେବାର ଆଶଙ୍କା ଦେଖାଦେଇଛି।

Comments are closed.