ରାହୁଲଙ୍କ ମନ୍ତବ୍ୟକୁ ନେଇ ଉଭୟ ଗୃହ ମୁଲତବୀ
ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ
ନୂଆଦିଲ୍ଲୀ : ସୋମବାର ଠାରୁ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ ଉଭୟ ଗୃହରେ ବିଶୃଙ୍ଖଳା ଦେଖାଯାଇଛି। ବିଶୃଙ୍ଖଳା ଯୋଗୁଁ ଉଭୟ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା। ଆଜିର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଶାସକ ଦଳ ବିଜେପି ରାହୁଲ ଗାନ୍ଧୀଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲା। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗତ ସପ୍ତାହରେ ଲଣ୍ଡନର କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଦେଇଥିବା ମନ୍ତବ୍ୟ ପାଇଁ ବିଜେପି କ୍ଷମା ପ୍ରାର୍ଥନା ଦାବି କରିଥିଲା। ଲୋକସଭାର ଉପନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ଲଣ୍ଡନରେ ରାହୁଲ ଭାରତକୁ ନିନ୍ଦିତ କରିବାକୁ ଚେଷ୍ଟା କରିଛନ୍ତି। ଭାରତର ଗଣତନ୍ତ୍ର ଏବେ ବିପଦରେ ପଡିଥିବା ନେଇ ରାହୁଲ ଲଣ୍ଡନରେ କହିବା ଦ୍ବାରା ଦେଶ ନିନ୍ଦିତ ହୋଇଛି। ତେଣୁ ଗୃହ ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହିତ ତାଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରୁଛି। ରାଜନାଥ ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ବାହ୍ୟ ରାଷ୍ଟ୍ରର ହସ୍ତକ୍ଷେପ ଲୋଡିଛନ୍ତି। ରାଜନାଥଙ୍କ ମନ୍ତବ୍ୟକୁ ବିଜେପି ସମେତ ସହଯୋଗୀ ଦଳଗୁଡିକ ସମର୍ଥନ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଥିଲେ ଯେ ୧୯୭୫ ଜରୁରୀକାଳୀନ ସମୟରେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧ୍ବଂସ କରିଦିଆଯାଇଥିଲା। ନାଗରିକଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଥିଲା।
ରାଜ୍ୟସଭାରେ ଗୃହର ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ରାହୁଲଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ଗୋୟଲ କହିଥିଲେ ଯେ ଭାରତ ହେଉଛି ଗଣତନ୍ତ୍ରର ଜନକ; ମାତ୍ର ବିରୋଧୀ ଦଳର ଜଣେ ପ୍ରମୁଖ ନେତା ରାହୁଲ ଗାନ୍ଧୀ ବିଦେଶ ମାଟିରେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନିନ୍ଦା କରିଛନ୍ତି। ରାହୁଲ ଭାରତର ନାଗରିକ ଓ ଭାରତର ସଂସଦକୁ ଅପମାନିତ କରିଛନ୍ତି। ଏପରି ଅପମାନ ପାଇଁ ରାହୁଲ ଗୃହରେ କ୍ଷମା ମାଗିବା ଦରକାର। ଅନ୍ୟପଟେ ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ ନରେନ୍ଦ୍ର ମୋଦୀଙ୍କ ସରକାରରେ ଗଣତନ୍ତ୍ରର ଶାସନ ନାହିଁ। ସରକାର ଏକଛତ୍ରବାଦୀ ଢଙ୍ଗରେ ଦେଶ ଶାସନ କରୁଛନ୍ତି। ଆଦାନି ପ୍ରସଙ୍ଗର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରାଯିବା ସମୟରେ ବିରୋଧୀଙ୍କ ମାଇକ୍ରୋ ଫୋନକୁ ବନ୍ଦ କରିଦିଆଯାଉଛି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଥିଲେ ଯେ ସରକାରଙ୍କ ଉଦ୍ଦେଶ୍ୟ ସଂସଦ ଅଚଳ ରଖିବା। ବିରୋଧୀଙ୍କ ଜେପିସି ତଦନ୍ତ ଦାବିରୁ ଦୃଷ୍ଟି ହଟାଇବା ଲାଗି ସରକାର ରଣନୀତି କରିଛନ୍ତି। ସରକାରଙ୍କ ଦାବିକୁ ବିରୋଧ କରି କଂଗ୍ରେସ ନେତୃତ୍ବରେ ସମସ୍ତ ବିରୋଧୀ ଦଳ ଉଭୟ ଗୃହରେ ହୋହଲ୍ଲା କରିଥିଲେ।
Comments are closed.