କଟକ: ନିର୍ଯାତନାର ବିରୋଧ କରିଛି ବାଳକ ‘ବାନା’; ତା ନୁହେଁ ଯେ, ସେ ହିଂସାର ଜବାବ ହିଂସାରେ ଦେଇଛି। ତା’ ପାଖରେ ପ୍ରତିହିଂସାର ସମ୍ବଳ ଥିଲା କେବଳ ବାଟୁଳି ଖାଡ଼ା। ଏଇଥିରେ ସେ ଶୋଷଣକାରୀ ଟିକାୟତକୁ ଗ୍ରାମ ସଭାରେ ହତ୍ୟା କଲା। ଏକ ଦଳିତ ବାଳିକା ‘ଧୋବେଈ’ ବିରୋଧରେ ମିଥ୍ୟା ଅଭିଯୋଗରେ ନିର୍ଯାତନା ଦିଆଗଲା; ସହ୍ୟ ନ କରି ‘ବାନା’ ଟିକାୟତ ଉପରକୁ ଗୁଳିମାଡ଼ କଲା; ଆଉ ତା’ ପରେ ହୃଦ୍ରୋଗ ବିଶେଷଜ୍ଞ ଡା. ସୋହନ ଭାବେ ନିଜକୁ ଗଢ଼ିତୋଳି ଏକ ଭିନ୍ନ ପରିଚୟ ସୃଷ୍ଟି କଲା; କିନ୍ତୁ ପ୍ରତିକ୍ରିୟାଶୀଳ ଗୋଷ୍ଠୀ ଶେଷରେ ତାକୁ ହତ୍ୟା କରିଛନ୍ତି। ଏଭଳି ମଧ୍ୟଯୁଗୀୟ ସାମନ୍ତବାଦୀ ସଭ୍ୟତାର ମଣିଷ ଉପରେ ମଣିଷର ନିର୍ଯାତନା ଓ ଶୋଷଣ ବିରୋଧୀରୁ ଡା. ସୋହନ କିଭଳି ‘ଅନ୍ଧକାରର ସୂର୍ଯ୍ୟ’ ହୋଇ ସୃଷ୍ଟି ହୋଇଛି ତାହା ପ୍ରତିଫଳିତ ହୋଇଛି ପୁସ୍ତକଟିରେ।
ବାମପନ୍ଥୀ ଲେଖକ, ବରିଷ୍ଠ ସମ୍ପାଦକ ତଥା ସମାଜସେବୀ ନିରଞ୍ଜନ ମହାନ୍ତିଙ୍କ ଉପନ୍ୟାସ ‘ଅନ୍ଧକାରର ସୂର୍ଯ୍ୟ’ ଗୁରୁବାର ଗୋପବନ୍ଧୁ ଭବନ ‘ସମାଜ’ ସଭାଗୃହରେ ଉନ୍ମୋଚିତ ହୋଇଯାଇଛିି। ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ପୁସ୍ତକକୁ ଉନ୍ମୋଚନ କରି କହିଲେ ଜଣେ ଲେଖକକୁ ଚିହ୍ନିବା ଅତୀବ କଷ୍ଟସାଧ୍ୟ। ତାର ଲେଖନୀର ଯାଦୁବିଦ୍ୟାରେ ସେ ସମସ୍ତଙ୍କୁ ଆପଣାଇ ନେଇଥାଏ। ପୁସ୍ତକ ଉନ୍ମୋଚନ ହେଉଛି ଜୀବନ ଉନ୍ମୋଚନ; ଏହା ସମାଜକୁ ସବୁକାଳେ ବାର୍ତ୍ତା ଦେଇଥାଏ। ସମ୍ମାନିତ ଅତିଥି ଭାବେ ‘ସମାଜ’ର ବାର୍ତ୍ତା ସମ୍ପାଦକ ତପନ ମିଶ୍ର କହିଲେ ଜଣେ ଲେଖକ ବହୁ ଶ୍ରମ ଦେଇ ପୁସ୍ତକକୁ ଲେଖିଥାଏ। ଏହାକୁ ପ୍ରକାଶ କରି ପାଠକଙ୍କ ନିକଟରେ ଉପସ୍ଥାପନ କରିଥାଏ; ତେଣୁ ପୁସ୍ତକ ପଠନ କରି ଲେଖକଙ୍କୁ ମତାମତ ଦେଲେ ହିଁ ଲେଖକର ପରିଶ୍ରମ ସଫଳ ହୋଇଥାଏ। ଅନ୍ୟତମ ଅତିଥି ବିଶିଷ୍ଟ ସାହିତ୍ୟିକ ଓ ଅବସରପ୍ରାପ୍ତ ଅଧ୍ୟାପକ ଡ. ବିବେକାନନ୍ଦ ପାଣିଗ୍ରାହୀ କହିଲେ ସମ୍ପ୍ରତି ଉପନ୍ୟାସର ରଚନା ସଙ୍କୁଚିତ ହୋଇଆସୁଛି। ଏଭଳି କ୍ଷେତ୍ରରେ ଲେଖକ ଉପନ୍ୟାସ ଲେଖିବା ସ୍ୱାଗତଯୋଗ୍ୟ ପଦକ୍ଷେପ। ଓଡିଆ ଭାଷା ପ୍ରଥମ ବାମପନ୍ଥୀ ଲେଖକ ଫକିର ମୋହନ ସେନାପତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ; କିନ୍ତୁ ତାଙ୍କୁ ସେଭଳି ବିଚାର କରାଯାଏ ନାହିଁ। କାରଣ ଯେଉଁମାନେ ସମାଜର କଥା କହୁଥିଲେ ସେମାନଙ୍କୁ ବାମପନ୍ଥୀ ଭାବେ ଗ୍ରହଣ କରିବାକୁ ଆମେ ନାରାଜ ଥିଲୁ। ଉପନ୍ୟାସଟିରେ ବାମପନ୍ଥୀ ଆଦର୍ଶର ଝଲକ ରହିଛି। ପୁସ୍ତକ ସମୀକ୍ଷକ ଭାବେ ଯୋଗଦେଇ ଡ. ପ୍ରେମାନନ୍ଦ ମହାପାତ୍ର କହିଲେ ଏହି ଉପନ୍ୟାସଟି ଏକ ଭିନ୍ନ ସ୍ୱାଦର। ଚରିତ୍ରର ବିଭିନ୍ନ ପରିବର୍ତ୍ତନ ଘଟିଛି। ପ୍ରତିବାଦର ସ୍ୱର ଉଠିଛି ଏବଂ ବାସ୍ତବତାକୁ ପ୍ରତିଫଳିତ କରାଯାଇଛି। ଗୋଷ୍ଠୀ ସମାଜର ବାର୍ତ୍ତା ଦିଆଯାଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାବାତ୍ମକ ଆବେଗ ଭରିରହିଛି। ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ତ୍ରିପାଠୀ କହିଲେ ସାମ୍ପ୍ରତିକ ପରିସ୍ଥିତିରେ ବୁଦ୍ଧିଜୀବୀଙ୍କ ଭୂମିକା ହ୍ରାସ ପାଉଛି। ପ୍ରତିମୂର୍ତ୍ତିକୁ ନେଇ କିଛି ଲୋକଙ୍କ ରାଗରୋଷର ଉଦ୍ୟମକୁ ଅସହିଷ୍ଣୁତା ବୋଲି କୁହାଯାଇଛି; ତେଣୁ ଏସବୁ କ୍ଷେତ୍ରରେ ଖୋଲା ଆଲୋଚନା ହେବା ଆବଶ୍ୟକ। ପୁସ୍ତକଟିରେ ଦଳିତ ଓ ନିଷ୍ପେଷିତଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ପୁସ୍ତକର ଲେଖକ ଶ୍ରୀ ମହାନ୍ତି ଉପନ୍ୟାସ ସମ୍ବନ୍ଧରେ ସଂକ୍ଷିପ୍ତରେ ସୂଚନା ପ୍ରଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ ଓ ଲେଖକ ବିଶ୍ୱନାଥ ରାଉତ ଅତିଥି ପରିଚୟ ଦେବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ।
ଶୋଷଣ ବିରୋଧୀ ସଂଗ୍ରାମରୁ ସୃଷ୍ଟି ହୁଏ ବଞ୍ଚିବାର ରାହା
Popular Categories


