ବଲାଙ୍ଗିର: ଲୋଇସିଂହା ବ୍ଲକର ଉପାନ୍ତ ଗାଁ ଭାଲୁପାଲି। ଏହି ଗାଁରେ ୧୫୮ଟି ପରିବାର ରହନ୍ତି। ୬ଟି ନଳକୂଅ ରହିଛି। ୩ଟି ଅଚଳ ହୋଇପଡ଼ିଛି। ଆଉ ୩ଟି ନଳକୂଅର ଅବସ୍ଥା ନକହିଲେ ଭଲ। ପିଇବା ଓ ରନ୍ଧାବଢ଼ା ପାଇଁ ଗାଁ ମହିଳାମାନେ ପ୍ରାୟ ୧ କିଲୋମିଟର ଦୂର ବନ୍ଧକୁ ଯାଉଛନ୍ତି। ବନ୍ଧରୁ ପାଣି ଆଣି ବ୍ୟବହାର କରୁଛନ୍ତି। ପୂର୍ବରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିବା ବେଳେ ଏଥର ପାଣି ବି ମିଳୁନି। ତେଣୁ ବେଶ ହଇରାଣ ହେବାକୁ ପଡୁଥିବା ଗାଁ ମହିଳାମାନେ ଅଭିଯୋଗ କରିଛନ୍ତି।
ଭାଲୁପାଲି ଗାଁରେ ୬ଟି ନଳକୂଆ ରହିଛି। ୩ଟି ନଳକୂଅରେ ଛକି ଚିହ୍ନ ମରାଯାଇଛି। ଏ ପାଣି ପିଅନ୍ତୁ ନାହିଁ ବୋଲି ନାଲି ରଙ୍ଗରେ ଲେଖା ଯାଇଛି। କାରଣ ନଳକୂଅ ପାଣି ଲୌହଯୁକ୍ତ। ଗାଁ ଲୋକେ ଏହି ପାଣି ପିଇ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବାରୁ ପାଣି ପରୀକ୍ଷା କରି ପିଇବା ଉପଯୋଗୀ ନୁହେଁ ବୋଲି ଲେଖି ଦିଆଯାଇଛି। ଅନ୍ୟ ୩ଟି ନଳକୂଅର ଅବସ୍ଥା ମଧ୍ୟ ତଦ୍ରୁପ। ଲୋଇସିଂହାର ୱାର୍ଲ୍ଡ ଭିଜନ୍ ସଂସ୍ଥା ପକ୍ଷରୁ ଏକ ଏକ ପାନୀୟ ଜଳ ପ୍ରକଳ୍ପ କରାଯାଇଥିଲା। ସେଥିରୁ ବି ଲୌହ ଯୁକ୍ତ ପାଣି ବାହାରିଲା। ପିଇବା ଉପଯୋଗୀ ହୋଇ ନଥିବା ପାଣିକୁ ଲୋକେ ଗାଧୋଇବା ପାଇଁ ବ୍ୟବହାର କରୁଛନ୍ତି। ଏହି ଗାଁର ମହିଳା ରୀତାରାଣୀ ପଣ୍ଡା କହିଛନ୍ତି ଯେ, ନଳକୂଅରୁ ଲୌହ ଗୁଣ୍ଡ ମିଶା ପାଣି ବାହାରୁଛି। ଯାହାକି ବ୍ୟବହାର ଅନୁପଯୋଗୀ। ଭାତ, ତରକାରୀ ରାନ୍ଧିଲେ ଖରାପ ଲାଗୁଛି। ଗାଁର ୧୫ରୁ ୨୦ ଜଣ କିଡନୀ ରୋଗରେ ଆକ୍ରାନ୍ତ। କିଛି ଲୋକଙ୍କ ଜୀବନ ବି ଗଲାଣି। ରାଜ୍ୟ ସରକାର ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଆମ ଭଳି ଗାଁ ମହିଳାମାନେ ୧ କିଲୋମିଟର ଦୂର ବନ୍ଧକୁ ଯାଇ ସେଠାରୁ ପାଣି ଆଣୁଛୁ ଶ୍ରୀମତୀ ପଣ୍ଡା କହିଛନ୍ତି। ସୂଚନା ଅନୁସାରେ, ଗାଁ ବନ୍ଧରେ ଗାଈ, ବଳଦକୁ ଗାଧେଇବା ସହ ପୁରୁଷ, ମହିଳାମାନେ ଶୌଚ, ସ୍ନାନ କରନ୍ତି। ସେହି ପାଣିକୁ ଆଣି ରନ୍ଧାରନ୍ଧି କାମରେ ବ୍ୟବହାର କରନ୍ତି। ସେମାନଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ବି ନାହିଁ। ଖରା ଦିନେ ବନ୍ଧ ଶୁଖି ଆସୁଥିବା ବେଳେ ମହିଳାମାନେ ପାଣି ପାଇଁ ହଇରାଣ ହେଉଛନ୍ତି। ବନ୍ଧ ପାଣି ବ୍ୟବହାର ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି।
ଭାଲୁପାଲି ଗାଁ ଲୋକେ ପୂର୍ବ ବର୍ଷ ଟ୍ୟାଙ୍କର ଜରିଆରେ ପାଣି ପାଉଥିଲେ। କିନ୍ତୁ ଏଥର ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀଙ୍କୁ ଜଣାଇଥିଲେ ବି ପାଣି ଟ୍ୟାଙ୍କର ଯୋଗାଇ ଦିଆଯାଇ ନାହିଁ। ସମସ୍ୟାର ସମାଧାନ ହେବ ବୋଲି କହିଥିଲେ ବି କୌଣସି ସୁବିଧା କରାଯାଇ ନଥିବା ଗାଁ ଲୋକେ ଅଭିଯୋଗ ଆଣିଛନ୍ତି। ତେଣୁ ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଗାଁ ମହିଳାମାନେ ଦାବି କରିଛନ୍ତି। ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଏହି ସମସ୍ୟା ପ୍ରତି ଅବଗତ ହୋଇ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି।



