ବଲାଙ୍ଗିର: ବଲାଙ୍ଗିର ଜିଲା ଲୋଇସିଂହା ଥାନା ବ୍ଲକ ଛକରେ ଶନିବାର ରାତିରେ କିଛି ଯୁବକ ଅନ୍ୟ ଜଣେ ଯୁବକ ଓ ତାର ବନ୍ଧୁଙ୍କୁ ଫିଲ୍ମ ଷ୍ଟାଇଲେ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ରୂପକ ହନୁମାନ ଓ ଗୁରୁତର ହୋଇଛନ୍ତି ବନ୍ଧୁ ସରୋଜ ବିଶି। ଶନିବାର ବିଳମ୍ବିତ ରାତିରେ କିଛି ଯୁବକ ରୂପକ ଓ ସରୋଜକୁ ବ୍ଲକ ଛକକୁ ଡାକିଥିଲେ। ସେ ଦୁଇଜଣ ଆସିବା ପରେ ୨ ପକ୍ଷ ମଧ୍ୟରେ କଥାବାର୍ତା ବଚସାରେ ପରିଣତ ହୋଇଥିଲା। ତା’ପରେ ଯୁବକମାନେ ପୂର୍ବ ଯୋଜନା ମୁତାବକ ମାରଣାସ୍ତ୍ର ଧରି ରୂପକ ଓ ସରୋଜକୁ ଗୋଡାଇ ଆକ୍ରମଣ କରିଥିଲେ। ରୂପକ ଓ ସରୋଜ ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ। ପୁଲିସ ଖବର ପାଇ ୨ ଜଣଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଆଣିଥିଲା। ରୂପକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ଗୁରୁତର ସରୋଜକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଲୋଇସିଂହା ପୁଲିସ ମାମଲାର ଛାନବିନ ଚଳାଇଛି। ପ୍ରାଥମିକ ସୂଚନା ଅନୁସାରେ ଏହି ମାମଲାରେ ସଂପୃକ୍ତ ଜଣଙ୍କୁ ପୁଲିସ ଅଟକ ରଖି ଜେରା କରୁଛି। ଆକ୍ରମଣରେ ଲୋଇସିଂହାର ୩ଜଣ ଓ ଫାସଡ ଗାଁର ୨ ଜଣ ସାମିଲ ଥିବି ଜଣାପଡିଛି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ କୁହାଯାଉଥିଲେ ହେଁ ନିର୍ଦିଷ୍ଟ ଭାବେ କ’ଣ ଘଟିଥିଲା ଓ କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡକୁ ଅଭିଯୁକ୍ତମାନ ରୂପରେଖ ଦେଲେ ତାହା ସ୍ପଷ୍ଟ ହୋଇନି। ମୃତ ରୂପକଙ୍କ ଶବ ଭୀମ ଭୋଇ ଡାକ୍ତରଖାନାରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଓ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢଉ ଆରମ୍ଭ କରିଛି।



