ବଲାଙ୍ଗିର : ଏକ ଶିଶୁପୁତ୍ର ଜନ୍ମ ହେବା ପରେ ଜଣେ ବିଧବା ଲୋକଲଜ୍ଜା ଭୟରେ ୨୦ ହଜାର ଟଙ୍କାରେ ଅନ୍ୟଜଣଙ୍କୁ ଶିଶୁପୁତ୍ରକୁ ଟେକି ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ କଥା ପ୍ରଘଟ ହୋଇଯିବା ପରେ ଜିଲା ଶିଶୁ ମଙ୍ଗଳ ସମିତି ସଦସ୍ୟା, ଜିଲା ପ୍ରଶାସନ ଏହି ସ୍ପର୍ଶକାତର ପ୍ରସଙ୍ଗକୁ ନେଇ ତନାଘନା ଆରମ୍ଭ କରିଛନ୍ତି। ବିଧବାଙ୍କୁ ପଚରାଉଚୁରା ସହ ଶିଶୁକୁ ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବଲାଙ୍ଗିର ସହର ମାଲପଡ଼ା ମେଟାକାନି ଛକ ଅଞ୍ଚଳର ଜଣେ ବିଧବା ଗତ ୬ ତାରିଖରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ବିଧବା ହୋଇଥିବା ସତ୍ତ୍ବେ ଶିଶୁପୁତ୍ର ଜନ୍ମ ଦେଇଥିବାରୁ ଲୋକଙ୍କ ଟାହିଟାପରା ଭୟରେ ଶିଶୁଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନା ସ୍ଥିତ ମାତୃ ଓ ଶିଶୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶିଶୁର ଲାଳନପାଳନ ନେଇ ସଂପୃକ୍ତ ବିଧବା ଅସହାୟତା ପ୍ରକାଶ ସହ ଅନ୍ୟଜଣଙ୍କୁ ଟେକିଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଯୋଗାଯୋଗ ମାଧ୍ୟମରେ ଟିଟିଲାଗଡ଼ ହାଇସ୍କୁଲ ପଡ଼ାର କୁନି ପଶାୟତ ଫୋନ୍ରେ ତାଙ୍କ ସହ କଥା ହୋଇଥିଲେ। କୁନିଙ୍କ ସଂପର୍କୀୟ ଭଉଣୀର ୨ ଝିଅ ରହିଥିବାବେଳେ ସେମାନେ ଏହି ଶିଶୁପୁତ୍ରକୁ ନେବା ପାଇଁ ମହିଳାଙ୍କ ସହ ଆଲୋଚନା କରିଥିଲେ। ଛୁଆ ବାବଦରେ ବିଧବାଙ୍କୁ କୁନି ୨୦ ହଜାର ଟଙ୍କା ଦେବାକୁ ମୁଲଚାଲ କରିଥିଲେ। ତେଣୁ କଥା ମୁତାବକ ମଙ୍ଗଳବାର ଶିଶୁପୁତ୍ରକୁ ଏକ ଅଟୋରେ ନେଇ କୁନି ଟିଟିଲାଗଡ଼ ଚାଲି ଯାଇଥିଲେ। ଶିଶୁ ମଙ୍ଗଳ ସମିତିର ସଦସ୍ୟା ଏସ୍.ଲତାଶ୍ରୀ ଘଟଣା ସଂପର୍କରେ ଜାଣିବା ପରେ ଆଜି ପ୍ରଶାସନକୁ ଅବଗତ କରିଥିଲେ। ମାତୃ ଓ ଶିଶୁ ଚିକିତ୍ସାଳୟରେ ଯାଞ୍ଚ ପରେ ଅତିରିକ୍ତ ଜିଲାପାଳ(ରାଜସ୍ବ) ପବିତ୍ର ବେହେରା, ବିଭାଗୀୟ ଅଧିକାରୀମାନେ ବିଧବା ମହିଳାଙ୍କ ଘରେ ପହଞ୍ଚିଥିଲେ। ମହିଳାଙ୍କ ସହ ଆଲୋଚନା ବେଳେ ସେ ଶିଶୁଟିକୁ କୁନିଙ୍କୁ ଦେଇଥିବା ସ୍ବୀକାର କରିଥିଲେ। କୁନି ୨୦ ହଜାର ଟଙ୍କାରୁ ୫ ହଜାର ଟଙ୍କା ଜଣେ ଦୋକାନୀଙ୍କୁ ପଠାଇଥିବା ତଦନ୍ତରୁ ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ସଂପୃକ୍ତ ବିଧବା ମହିଳାଙ୍କୁ ସଖୀ କେନ୍ଦ୍ରରେ ରଖାଯିବା ସହ ଶିଶୁପୁତ୍ରକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି।
Popular Categories



