ହରଭଙ୍ଗା: ହରଭଙ୍ଗା ବ୍ଳକ ପୁରୁଣାକଟକ ପଞ୍ଚାୟତରେ ରବିବାର ବିଭିନ୍ନ ସାମାଜିକ ସଂଗଠନ ଯଥା କିଡ୍ନୀ ପ୍ରପୀଡ଼ିତ ନାଗରିକ କମିଟି, ମା’ ମାହେଶ୍ୱରୀ ସେବା ସଂଗଠନ, ଗର୍ଜନ ସେନା, ୟୁଥ ରେଡକ୍ରସ ପୁରୁଣାକଟ ଏବଂ ସରପଞ୍ଚ ପୁରୁଣାକଟକଙ୍କ ମିଳିତ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। କିଡ୍ନୀ ମଞ୍ଚ ଆବାହକ ସମାଜସେବୀ ଇଂ ବିକାଶ ମହାକୁଳ, ସରପଞ୍ଚ ଅଶୋକ ସେଠୀ, ସମାଜସେବୀ ପ୍ରିୟବ୍ରତ ନାୟକ, ବାଲ୍ମୀକି ମହାକୁଡ଼, ଯୋଶୀ ବାବୁ ପ୍ରମୁଖ ପ୍ରତ୍ୟକ୍ଷ ଭାବେ ରହି ଆୟୋଜନକୁ ସଫଳ କରିଥିଲେ।
ପ୍ରକାଶ ଥାଉକି, ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ଦୀର୍ଘଦିନ ଧରି ରକ୍ତ ଅଭାବ ଯୋଗୁଁ ବହୁତ ରୋଗୀ ନାହିଁ ନଥିବା ଅସୁବିଧା ଭୋଗି ଆସୁଥିଲେ। ତେଣୁ ସମାଜସେବୀ ବନ୍ଧୁମାନେ ଜିଲ୍ଲାର ଗରିବ ନିରୀହ ରୋଗୀମାନଙ୍କ ପାଇଁ କିଛି କରିବାକୁ ଏକ ଅଭିନଵ ଯୋଜନା ଯୁଦ୍ଧ କାଳୀନ ଭିତିରେ ଚାଲେଞ୍ଜ ଭାବରେ ଗ୍ରହଣ କରି ୫୩ ୟୁନିଟ ରକ୍ତ ସଂଗ୍ରହ କରି ଜିଲ୍ଲାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହିପରି ଭାବରେ ପ୍ରତ୍ୟେକ ଚାରିମାସରେ ଥରେ ପୁରୁଣାକଟକରେ ରକ୍ତଦାନ ଶିବିର ଅନୁଷ୍ଠିତ କରିବାକୁ ଏକ ନିଷ୍ପତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ରକ୍ତ ଗ୍ରହଣ କରିବା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଏବଂ ଲାବ ଟେକ୍ନିସିଆନମାନେ ସହଯୋଗ କରିଥିବାରୁ କିଡ୍ନୀ ପ୍ରପୀଡ଼ିତ ନାଗରିକ କମିଟିର ଆବାହକ ଇଂ ବିକାଶ ମହାକୁଳ ଏବଂ ପୁରୁଣାକଟକ ସରପଞ୍ଚ ଅଶୋକ ସେଠୀ ଧନ୍ୟବଦ ପ୍ରଦାନ କରିଥିଲେ।



