www.samajalive.in
Saturday, December 6, 2025
16.1 C
Bhubaneswar

ବଦଳିବ କି ବୁଣାକାରଙ୍କ ଭାଗ୍ୟ

ସମ୍ବଲପୁର: ସମ୍ବଲପୁରୀ ବସ୍ତ୍ରର ଚାହିଦା ଅ‌ାଜି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଖୁବ୍ ଅଧିକ। ବିଭିନ୍ନ ପ୍ଲାଟଫର୍ମରେ ଭିନ୍ନ ଭିନ୍ନ ସମ୍ବଲପୁରୀ ଶାଢ଼ି ବିକ୍ରି କରି ବେପାରୀମାନେ ମୋଟା ଅଙ୍କର ଲାଭ ପାଉଛନ୍ତି। ହେଲେ ବୁଣାକାରଙ୍କ ଭାଗ୍ୟ ବଦଳୁ ନାହିଁ। ଆଜି ବି ବୁଣାକାର ପରିବାର ପୂରା ମାସ କଠିନ ପରିଶ୍ରମ କରିବା ପ‌େ‌ର ବି ୧୦ହଜାର ଟଙ୍କା ରୋଜଗାର କରି ପାରନ୍ତି ନାହିଁ। ଦେଶ ବିଦେଶର ଗ୍ରାହକମାନଙ୍କର ସମ୍ବଲପୁରୀ ଶାଢ଼ି ପ୍ରତି ବେଶ୍ ଆଦର ଥିବା ହେତୁ ୫ ହଜାର ଟଙ୍କାର ଶାଢ଼ିକୁ ୧୫ ହଜାର ଟଙ୍କାରେ କିଣିବା ପାଇଁ ମଧ୍ୟ ଆଗ୍ରହୀ ହେଉଛନ୍ତି। ହେଲେ ସମ୍ବଲପୁରୀ ଶାଢ଼ିର ଚାହିଦା ବୃଦ୍ଧି ପାଇଥିଲେ ମଧ୍ୟ ବୁଣାକାର ତାହାର ଲାଭ ପାଇପାରୁନାହାନ୍ତି। ମଧ୍ୟସ୍ଥି ଅଥବା ବେପାରୀ ତାହାର ଲାଭ ନେଇ କୋଟିପତି ହେଉଛନ୍ତି। ସମ୍ବଲପୁରୀ ଶାଢ଼ି ପ୍ରତ୍ୟକ୍ଷ ବିକ୍ରୟ ପାଇଁ ପଲ୍ଲୀଶ୍ରୀ ମେଳା ଅଥବା ହସ୍ତତନ୍ତ ବଜା‌ର‌େ‌ର ସୁଯୋଗ ମିଳୁଥିଲେ ହେଁ ତାହା ଯଥେଷ୍ଟ ନ ଥିଲା। ଏବେ ନୂତନ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର।

ଭାରତୀୟ ଜନତା ପାର୍ଟି(ବିଜେପି) ନିଜ ସଂକଳ୍ପପତ୍ରରେ ସମ୍ବଲପୁର ଠାରେ ହସ୍ତତନ୍ତ ରପ୍ତାନୀ ଉଦ୍ୟାନ ବା ହେଣ୍ଡଲୁମ୍ ଏକ୍ସପୋର୍ଟ ପାର୍କ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ ଏହା କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଏହାର ସୁଫଳ ମିଳିବ ବୋଲି ବୁଣାକାରମାନେ ଆଶାବ୍ୟକ୍ତ କରିଛନ୍ତି। ପଶ୍ଚିମ ଓଡ଼ିଶାରେ ସମ୍ବଲପୁର ସମେତ ଅଧିକାଂଶ ଜିଲାରେ ଏବେ ବି ହସ୍ତତନ୍ତ ଦ୍ବିତୀୟ ସର୍ବାଧିକ ନିର୍ଭରଶୀଳ କୌଳିକ ବୃତ୍ତି। ତେବେ ବୁଣାକାର ପରିବାର ମାନେ ପିଢ଼ି ପରେ ପିିଢ଼ି ଏହି ବୃତ୍ତିକୁ ଆପଣାଇ ଥିଲେ ହେଁ ପରିବାର ସମ୍ପନ୍ନ ହୋଇପାରିନାହିଁଁ।

- Advertisement -

ଆଜି ବି ବୁଣାକାର ପରିବାରର ପ୍ରତ୍ୟେକ ସଦସ୍ୟ ଭୋର ୪ଟାରୁ ରାତି ୧୦ଟା ଯାଏ କାମ କଲେ ବି ଦିନକୁ ୫୦୦ ଟଙ୍କାର ହିସାବରେ ରୋଜଗାର ହୋଇପାରୁନାହିଁ। ଏହି କାରଣରୁ ସମ୍ବଲପୁର ଜିଲା‌ର ଅନେକ ଗାଁରେ ବୁଣାକାର ପରିବାରମାନେ ଅନ୍ୟ ବ୍ୟବସାୟ ଆପଣାଇ ନେଲେଣି। ସମ୍ବଲପୁର ବଡ଼ବଜାର କୁଷ୍ଟାପଡ଼ାରେ ପୂର୍ବରୁ ଅଧିକାଂଶ ପରିବାର ଶାଢ଼ି ବୁଣୁଥିବା ବେଳେ ଏବେ ପ୍ରାୟ ବନ୍ଦ ହୋଇଗଲାଣି। ଧନକଉଡ଼ା ବ୍ଲକର କର୍ଡୋଲା ଭଳି କିଛି ଗାଁରେ ହସ୍ତତନ୍ତ ବଞ୍ଚି ରହିଛି। ତେବେ ପଡ଼ୋଶୀ ସୋନପୁର, ବରଗଡ଼ ଆଦି ଜିଲାରେ ଏବେ ମଧ୍ୟ ହସ୍ତତନ୍ତ ବଞ୍ଚିଛି। ବୁଣାକାରମାନଙ୍କ ସହ ଆଲୋଚନା ବେଳେ ସେମାନେ କହିଛନ୍ତି ଶାଢ଼ି ବୁଣା ଯଥେଷ୍ଟ କଷ୍ଟକର ଓ ସମୟ ସାଧ୍ୟ କାର୍ଯ୍ୟ। ଏଣୁ ଯେତେ ପରିଶ୍ରମ କଲେ ମଧ୍ୟ ମାସକୁ ୫ରୁ ୬ଟି ଶାଢ଼ି ବୁଣିବା ହିଁ ସମ୍ଭବ ହୁଏ। ଶାଢ଼ି ବୁଣିବା ପାଇଁ ପ୍ରଥମେ ସୂତା କିଣି ଆଣିବା ପରେ ତାହାକୁ ପ୍ରଥମେ ସୂତା ଖୋଲିବାକୁ ପଡ଼େ। ତା ପରେ ଗ୍ରାଫରେ ଡିଜାଇନ ତିଆରି କରିବାକୁ ପଡ଼େ। ଆବଶ୍ୟକତା ଅନୁସାରେ ସୂତା ମାପ କରି ବାନ୍ଧପୁରା ଯନ୍ତ୍ରରେ ପୂରାଇବାକୁ ପଡ଼େ। ଖାଞ୍ଚରେ ଲଗାଯାଇ ବାନ୍ଧ କରାଯାଏ ଓ ରଙ୍ଗ କରାଯାଏ। ଅରଟରେ ଗୋଟି ଗୋଟି ସୂତା ଅଲଗା କରାଯାଏ। ଏହା ପରେ ହସ୍ତତନ୍ତ ଯନ୍ତ୍ରରେ ବୁଣା ଯାଏ। ତେବେ ଏହି ସମଗ୍ର ପ୍ରକ୍ରିୟାରେ ସାମାନ୍ୟତମ ତୃଟି ହେଲେ ସମଗ୍ର ଡିଜାଇନ ନ‌ଷ୍ଟ ହେବା ସହ ଶାଢ଼ିର ମାନ ହ୍ରାସ ହୋଇଯାଏ। ଏତେ ସବୁ କାମ ଜଣେ ବ୍ୟକ୍ତି ଦ୍ବାରା କରିବା ସମ୍ଭବ ନୁହେଁ। ଏଣୁ ବୁଣାକାର ପରିବାରର ପିଲାରୁ ବୟସ୍କ ସମସ୍ତେ ଏହି କାମରେ ନିୟୋଜିତ ରୁହନ୍ତି। ୩ ହଜାର ଟଙ୍କାର ଶାଢ଼ି ହେଉ କି ୧୦ହଜାର ଟଙ୍କାର ଶାଢ଼ି ବୁଣାକାର ପରିବାରକୁ ମାସେ କାଳ ଲାଗିଥାଏ। ତେବେ ବୁଣାକାରମାନେ ୨୦ବର୍ଷ ପୂର୍ବରୁ ମଧ୍ୟ ପରିଶ୍ରମର ସଠିକ୍ ମୂଲ୍ୟ ପାଉ ନ ଥିବା ବେଳେ ଆଜି ମଧ୍ୟ ସେଭଳି ସ୍ଥିତି।

ଏହା ମଧ୍ୟରେ ମିଶନ ଶକ୍ତି ଜରିଆରେ ଋଣ ମିଳୁଛି, ଉତ୍ପାଦକ ଗୋଷ୍ଠୀ (ପିଜି) ଗଠନ ହୋଇଛି, ହସ୍ତତନ୍ତ ମେଳାରେ ଭାଗ ନେବାର ସୁଯୋଗ ମିଳିଛି। ହେଲେ ଏ ସବୁ ବୁଣାକାରଙ୍କ ଆର୍ଥିକ ସ୍ଥିତିରେ ସମାଧାନ କରିବାରେ ସହାୟକ ହୋଇନାହିଁ। ବିଜେପି ନିର୍ବାଚନ ପୂର୍ବରୁ ନିଜ ସଂକଳ୍ପପତ୍ରରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ସମ୍ବଲପୁରରେ ରପ୍ତାନୀ କେନ୍ଦ୍ର ସ୍ଥାପନ ସହିତ ବଲାଙ୍ଗୀର, ସୋନପୁର ଓ କଳାହାଣ୍ଡିରେ ସମନ୍ବିତ ହସ୍ତତନ୍ତ ପାର୍କ ଖୋଲିବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହି ପ୍ରତିଶ୍ରୁତି କେତେଦୂର ପାଳନ ହେଉଛି ଓ ବୁଣାକାରମାନେ କେତେ ଲାଭ ପାଇବେ ଦେଖିବା ବାକି ରହିଲା।

 

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories