ବିଜେପିରେ ମିଶିଲେ ଶଙ୍କର ସିଂହ ଭାଘେଲାଙ୍କ ପୁଅ

0

ଗାନ୍ଧିନଗର : ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଗୁଜରାଟ ବିଜେପି ନିଜକୁ ମଜଭୁତ କରିବାରେ ଲାଗିଛି। ଏ କ୍ରମରେ ଜୁଲାଇ ୩ରେ ଗୁଜରାଟ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା (ପଛୁଆ ବର୍ଗ) କୁଅଁରଜୀ ବଭାଲିଆ ଦଳତ୍ୟାଗ କରି ବିଜେପିରେ ଯୋଗଦେଇଥିଲେ। ଶନିବାର କଂଗ୍ରେସର ବିଦ୍ରୋହୀ ନେତା ତଥା ର୍ପୂବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ଭାଘେଲାଙ୍କ ପୁଅ ମହେନ୍ଦ୍ର ସିଂହ ଭାଘେଲା ବିଜେପିରେ ଯୋଗ ଦେଇଛନ୍ତି। ମହେନ୍ଦ୍ର ସିଂ କଂଗ୍ରେସ ଟିକେଟରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଗତ ବର୍ଷ ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ତ୍ୟାଗ କରିଥିଲେ। ସେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିନଥିଲେ କି କୌଣସି ଦଳରେ ଯୋଗ ଦେଇନଥିଲେ। ଏବେ ସେ ବିଜେପିରେ ଯୋଗ ଦେଇଛନ୍ତି। ଗୁଜରାଟରେ ଦଳୀୟ ନେତୃତ୍ୱର କାର୍ଯ୍ୟକାରିତା ଉପରେ ଅସନ୍ତୋଷ ଯୋଗୁ ସେ କଂଗ୍ରେସ ଛାଡିବାକୁ ବାଧ୍ୟ ହୋଇଥିଲେ ଓ ସେହି ଦଳକୁ ଫେରିବାର ନାହିଁ ବୋଲି ମହେନ୍ଦ୍ର କହିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗୁଜରାଟ ଗସ୍ତରେ ଥିବାବେଳେ ମହେନ୍ଦ୍ରଙ୍କ ବିଜେପିରେ ଯୋଗଦାନକୁ ସୁଚିନ୍ତିତ କୁହାଯାଉଛି।

Leave A Reply