ବିଜେଡିର ଅନୁକମ୍ପା କାର୍ଡ: ୨୨ ଗୁରୁତ୍ବପୂର୍ଣ୍ଣ ଆସନରୁ ପ୍ରାର୍ଥୀ ହେଲେ ନେତାଙ୍କ ଉତ୍ତରାଧିକାରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ଲଗାତାର ପାଞ୍ଚମପାଳିର ଶାସନ ଦାୟିତ୍ବ ତୁଲାଇ ସାରିଥିବାବେଳେ ୨୦୨୪ରେ ଷଷ୍ଠଥର ପାଇଁ କ୍ଷମତା ହାସଲ କରିବାକୁ ସ୍ବତନ୍ତ୍ର ରଣନୀତି ଚଳାଇଛି। ପୂର୍ବରୁ ବିଜେଡି ନିଜର ଭାବମୂର୍ତ୍ତି ଅକ୍ଷୁଣ୍ଣ ରଖିବା ଲାଗି ବହୁ ମନ୍ତ୍ରୀଙ୍କୁ ବିଦା କରିଥିବାବେଳେ ଏବେ ଦଳପ୍ରତି ଥିବା ଆନୁଗତ୍ୟକୁ ଗୁରୁତ୍ବ ଦେଇ ଅନୁକମ୍ପା କାର୍ଡ ଖେଳିଛି। ବିଜେଡି ୧୫ ଲୋକସଭା ଏବଂ ୭୨ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ୨୨ ଗୁରୁତ୍ବପୂର୍ଣ୍ଣ ଆସନ ଲାଗି ପ୍ରାର୍ଥୀ ହୋଇଛନ୍ତି ନେତାଙ୍କ ଉତ୍ତରାଧିକାରୀ। ଏଥିମଧ୍ୟରେ ପ୍ରାୟ ୧୫ ଜଣ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ପୁଅ ରହିଥିବାବେଳେ ଦୁଇଜଣ ଝିଅ ଏବଂ ୫ ଜଣ ପୂର୍ବତନ ସାଂସଦ ଓ ବିଧାୟକଙ୍କ ପତ୍ନୀ ରହିଛନ୍ତି।

ଅନୁକମ୍ପାମୂଳକ ଆସନ ଭିତରେ ଚଳିତଥର ବିଜେଡି ପକ୍ଷରୁ ପୁରୀରେ ଦିବଂଗତ ନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି ବିଧାୟକ ପ୍ରାର୍ଥୀ ହୋଇଥିବାବେଳେ ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଦିଗପହଣ୍ଡି ଆସନରେ ବିଧାୟକ ପ୍ରାର୍ଥୀ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ପାଟକୁରା ବିଧାୟକ ଆସନ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନ, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁପଦ ରାଉତରାୟଙ୍କୁ ବାସୁଦେବପୁର ବିଧାନସଭା ଆସନ, ପୂର୍ବତନ ମନ୍ତ୍ରୀ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ସାଂସଦ ପ୍ରାର୍ଥୀ, ପୂର୍ବତନ ମନ୍ତ୍ରୀ କାଳନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ରସାରଥି ବେହେରାଙ୍କୁ କଟକ ସଦର, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପିପିଲି, ପୂର୍ବତନ ବିଧାୟକ ଚନ୍ଦ୍ରଭାନୁ ସିଂହଦେଓଙ୍କ ପୁଅ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଧର୍ମଗଡ଼ ବିଧାୟକ ଆସନ, ପୂର୍ବତନ ମନ୍ତ୍ରୀ ଶରତ ଦେବଙ୍କ ପୁଅ ପ୍ରତାପ ଦେବଙ୍କୁ ଆଳି ଆସନ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ପୁଅ ସୌଭିକ ବିଶ୍ବାଳଙ୍କୁ କଟକ ଚୌଦ୍ବାର ଏବଂ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀଙ୍କୁ ବାଙ୍କୀ ବିଧାୟକ ପ୍ରାର୍ଥୀ ଭାବେ ଦଳ ଘୋଷଣା କରିଛି।

ସେହିପରି ମନ୍ତ୍ରୀ ଉଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବଙ୍କୁ ଚିକିଟି ଆସନରୁ ବିଧାୟକ ପ୍ରାର୍ଥୀ କରାଯାଇଥିବାବେଳେ ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା ପ୍ରଧାନଙ୍କୁ କବିସୂର୍ଯ୍ୟନଗର ବିଧାନସଭା ଆସନ, ହରିହର ସାହୁଙ୍କ ଝିଅ ରଞ୍ଜିତା ସାହୁ ଆସିକା ଲୋକସଭା ଆସନ ଲାଗି ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନାଙ୍କୁ ବସ୍ତାରୁ ପ୍ରାର୍ଥୀ କରାଯାଇଥିବାବେଳେ ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ ନବରଙ୍ଗପୁର ବିଧାନସଭା, ପୂର୍ବତନ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ ତଥା ମନ୍ତ୍ରୀ ରୀତା ସାହୁଙ୍କୁ ବିଜେପୁର ଆସନ, ପୂର୍ବତନ ସାଂସଦ ଝିନ ହିକ୍‌କାଙ୍କ ପତ୍ନୀ କୌଶଲ୍ୟା ହିକ୍‌କାଙ୍କୁ କୋରାପୁଟ ଲୋକସଭା ଆସନ, ପୂର୍ବତନ ବିଜେଡି ନେତା ଅଭିମନ୍ୟୁ ସାହୁଙ୍କ ପତ୍ନୀ ତଥା ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ଼ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।

ଅନ୍ୟପକ୍ଷରେ ବିଜେଡି ଏଥର ବିରୋଧୀ ଦଳର ଟାଣୁଆ ନେତା ତଥା କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ବର ସାଂସଦ ଆସନରେ ଛିଡ଼ା କରାଇ ଦଳ ପାଇଁ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିଛି। ତେବେ ୧୫ ଲୋକସଭା ଏବଂ ୭୨ ବିଧାନସଭା ଆସନ ମଧ୍ୟରୁ ୨୨ଜଣ ଉତ୍ତରାଧିକାରୀଙ୍କୁ ସୁଯୋଗ ମିଳିଥିବାବେଳେ ଅବଶି‌ଷ୍ଟ ତାଲିକାରେ ଆଉ କେତେକଙ୍କୁ ସାମିଲ କରାଯାଉଛି ତାହା ଦେଖିବାକୁ ରହିଛି। ମହିଳା ଓ ଯୁବବର୍ଗଙ୍କ ପାଇଁ ବିଭିନ୍ନ ପ୍ରକାର ନୂତନ ଯୋଜନା ଘୋଷଣା କରି ଆଞ୍ଚଳିକ ଦଳ ଭାବେ ବିଜେଡି ସାରା ଦେଶରେ ନିଜର ସ୍ବତନ୍ତ୍ରତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବାବେଳେ ଏଥର ନିର୍ବାଚନରେ ବିଜେଡିକୁ କି ପ୍ରକାର ସଫଳତା ମିଳୁଛି ତାହା ଆଗକୁ ସ୍ପଷ୍ଟ ହେବ।

Comments are closed.