ବିଷୁବ ମିଳନର ପର୍ବ ଓଡ଼ିଆ ନବବର୍ଷ
ଡ. ଲକ୍ଷ୍ମଣ ସାହୁ
ଓଡିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଛି। ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମ ଋତୁ ଆରମ୍ଭ ହୁଏ। ସେହି ଦିନକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଉଛି। ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କୁ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଏ। ଏହି ସମୟରେ ସୂର୍ଯ୍ୟଙ୍କ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ହୁଏ। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି।
ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ।
ପଣାସଂକ୍ରାନ୍ତିରୁ ରାସ୍ତାକଡ଼ରେ ଅସହ୍ୟ ଗ୍ରୀଷ୍ମ ତାତିରୁ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ। ଆମ ସମାଜରେ ବୃକ୍ଷମୂଳରେ ଜଳଦାନର ପ୍ରଥା ପ୍ରଚଳିତ ଅଛି। ସେଥିପାଇଁ ହିନ୍ଦୁ ପରିବାରରେ ଚଉରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ି ବା ଠେକିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ। ଟୋପା ଟୋପା ଜଳ ତୁଳସୀ ବୃକ୍ଷ ମୂଳରେ ପଡ଼ି ଥାଏ। ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ। ତୁଳସୀ ବୃକ୍ଷରେ ସୂର୍ଯ୍ୟକିରଣ ନପଡ଼ିବା ପାଇଁ ଛାମୁଣ୍ଡିଆ ମଧ୍ୟ କରିଥାନ୍ତି। ଏହି ସଂକ୍ରାନ୍ତି ଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି। ଏହି ସଂକ୍ରାନ୍ତି ପରେ ପରେ ବାୟୁର ଗତି ମଧ୍ୟ ପ୍ରଖର ହୁଏ। ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ହନୁମାନ ଜୟନ୍ତୀ ମଧ୍ୟ ପାଳନ କରାଯାଏ। ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍ଯାପନ କରାଯାଏ। ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ। ବ୍ରତ ଉଦ୍ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି। ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ, ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି। ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି।
କେତେକ ସ୍ଥାନରେ ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ। ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ। ଚଣ୍ଡୀ, ଶାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁଯାତ୍ରା ପାଳନ କରାଯାଏ। ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି। ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତିମ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ। ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି। ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରିଥାନ୍ତି। ଏହି ଦିନ ପାଟୁଆମାନେ ନିଷ୍ଠାର ସହିତ ଦେବୀ ପୀଠରେ ସେମାନଙ୍କ ଭକ୍ତି ଭାବ ଅର୍ପଣ କରନ୍ତି।
ପାଟୁଆ ଯାତ୍ରାର ଧାର୍ମିକ ଭିତ୍ତିଭୂମି ସମ୍ପର୍କରେ ଭିନ୍ନ ଭିନ୍ନ ମତ ଥିଲେ ମଧ୍ୟ ଏଥିରେ ତନ୍ତ୍ରର ବିଶେଷ ପ୍ରଭାବ ପଡିଥିବା ଗ୍ରହଣ କରାଯାଏ। ଓଡ଼ିଶାରେ ବାମମାର୍ଗ ତନ୍ତ୍ରର ଉତ୍ପତ୍ତି ଖ୍ରୀଷ୍ଟୀୟ ୬ଷ୍ଠ/୭ମ ଶତାବ୍ଦୀରୁ ଆରମ୍ଭ ହୋଇଥିବା- ଅନୁମାନ କରାଯାଇଛି। ଯୋଗାଚାର ପନ୍ଥୀମାନେ ଜପ, ଯଜ୍ଞ ପ୍ରକ୍ରିୟାରେ ମହାମାୟାଙ୍କୁ ସନ୍ତୁଷ୍ଟ କରିବାରେ ବିଶ୍ୱାସ କରୁଥିଲାବେଳେ ବାମମାର୍ଗୀମାନେ ହଠଯୋଗ ପ୍ରକ୍ରିୟାରେ ଦେବୀଙ୍କୁ ଆରାଧନା କରିବାରେ ମନ ବଳାଇଥିଲେ। ବିଶେଷତଃ ଖ୍ରୀଷ୍ଟୀୟ ୮ମ, ୯ମ ଶତାବ୍ଦୀରେ ବାମପନ୍ଥୀ ତାନ୍ତ୍ରିକମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇଥିଲା। ସେେତବେଳକୁ ତାନ୍ତ୍ରିକ ମତରେ ଶ୍ରୀ ବିମଳାଙ୍କୁ ଭୈରବୀ ଓ ଶ୍ରୀ ଜଗନ୍ନାଥଙ୍କୁ ତନ୍ତ୍ରର ଅଧିଷ୍ଠାତା ଭୈରବ ରୂପେ ସ୍ୱୀକାର କରି ଓଡ଼ିଶାକୁ ଉଡ୍ରପୀଠ ରୂପେ ତନ୍ତ୍ର ସ୍ୱୀକୃତି ମିଳିଲା। ବୌଦ୍ଧ ଧର୍ମର ଜାତିଭେଦ ବିରୋଧୀ ସ୍ୱର ଓ ତାନ୍ତ୍ରିକଧାରା ଯୋଗୁଁ ଏହା ଜନସାଧାରଣଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା। ସ୍ୱାଭାବିକ ପ୍ରତିକ୍ରିୟା ଭାବେ ହିନ୍ଦୁଧର୍ମର ଶୈବ ଓ ଶାକ୍ତ ଗୋଷ୍ଠୀ ଏଥିରେ ପ୍ରଭାବିତ ହେଲା। ଯାହା ଫଳରେ ସମଗ୍ର ଓଡ଼ିଶାରେ ହଠଯୋଗ ମାଧ୍ୟମରେ ଶିବ ଓ ଶକ୍ତିଙ୍କର ଆରାଧନା କରାଗଲା। ଏହି ଆରାଧନା କୁଳୀନ ବ୍ରାହ୍ମଣମାନଙ୍କ ମଧ୍ୟରେ କେବଳ ସୀମିତ ରହି ନଥିଲା। ବରଂ ସମାଜର ନିମ୍ନ ଜାତିର ଲୋକମାନଙ୍କୁ ମଧ୍ୟ ଆକୃଷ୍ଟ କରାଗଲା। ହଠଯୋଗ ଓ କାୟାକ୍ଲେଶ ସାଧନା ଫଳରେ ଶିବ ଓ ଶକ୍ତିଙ୍କୁ ଆରାଧନା କରିବା ନିମନ୍ତେ ଏ ଯେଉଁ ପ୍ରଚେଷ୍ଟା ଆରମ୍ଭ ହେଲା, ତାହାର ଫଳଶ୍ରୁତି ହେଲା ‘ପାଟୁଆଯାତ୍ରା’।
ଶିବ ହେଉଛନ୍ତି ପାଟୁଆଯାତ୍ରାର ମୁଖ୍ୟ ଦେବତା। ଏହି ଯାତ୍ରାରେ ଭାଗ ନେଉଥୁବା ଭକ୍ତମାନଙ୍କୁ ଭକ୍ତା ବୋଲି କୁହାଯାଇଥାଏ। ଏହି ଭକ୍ତାମାନେ ନିଜକୁ ଶିବପ୍ରିୟା ପାର୍ବତୀ ଭାବେ ନିଜକୁ ମନେକରି କଠିନ କାୟକ୍ଲେଶ ସାଧନ ପୂର୍ବକ ଶିବକୃପା ଲାଭ କରିବାର ପ୍ରଚେଷ୍ଟା କରନ୍ତି। ସେଥିପାଇଁ ଭକ୍ତା ନିଜକୁ ନାରୀ ଭାବେ ସଜାଇ ଏହି ଯାତ୍ରାରେ ଅଂଶଗ୍ରହଣ କରିଥାଏ। ବାସ୍ତବରେ କୌଣସି ପ୍ରକୃତ ନାରୀ ଏଥିରେ ଅଂଶ ନେଇପାରନ୍ତି ନାହିଁ। ଉତ୍ତର ଓଡ଼ିଶାର ବିଭିନ୍ନ ଶୈବ କ୍ଷେତ୍ରରେ ପାଟୁଆ ଯାତ୍ରା ହେବାର ଲକ୍ଷ୍ୟ କରାଯାଏ। ବହୁ ସ୍ଥାନରେ ଶିବଙ୍କ ସହିତ ଶକ୍ତିକୁ ମଧ୍ୟ ଆରାଧନା କରାଯାଇଥାଏ। ମୁଖ୍ୟତଃ ଶିବ କୃପା ଲାଭ ନିମନ୍ତେ ଶକ୍ତିଙ୍କୁ ମାଧ୍ୟମ ରୂପେ ଗ୍ରହଣ କରି ନିଜ ମଧ୍ୟରେ ଶକ୍ତିଙ୍କର ସମାବେଶ ଘଟାଇବା ନିମନ୍ତେ ଭକ୍ତ ତାଙ୍କର ଶରଣ ପଶିଥାଏ। ଓଡ଼ିଶାର ବାଲେଶ୍ୱର ଜିଲାର ଚରମ୍ପା ‘ପାଟୁଆଯାତ୍ରା’, ମୟୂରଭଞ୍ଜର ‘ରରୁଆଁ’ ଓ ‘ଠାକୁରମୁଣ୍ଡା’ ପୁରୀଜିଲ୍ଲାର ‘କାକଟପୁର’,କେନ୍ଦ୍ରାପଡ଼ା ଜିଲାର ରାମଚଣ୍ଡୀଙ୍କ ପ୍ରସିଦ୍ଧ ଝାମୁଯାତ୍ରା କଟକ ଜିଲାର ‘ବାଙ୍କୀ’, ‘ଝଙ୍କଡ଼’ ପ୍ରଭୃତି ସ୍ଥାନରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ପାଟୁଆ ଯାତ୍ରାମାନଙ୍କରେ ଆରାଧ୍ୟା ହେଉଛନ୍ତି ‘ଶକ୍ତି’।
ଦେଖିବାକୁ ଗଲେ ଓଡ଼ିଶାର ସାମାଜିକ ଜୀବନରେ ପାଟୁଆଯାତ୍ରାର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜାତି ବର୍ଣ୍ଣ ନିର୍ବିଶେଷରେ ଲୋକେ ଏହି ଯାତ୍ରାରେ ସାମିଲ ହୁଅନ୍ତି। ଶିବ ଓ ଶକ୍ତିଙ୍କ ଭୟରେ କେହି ଏହି ଯାତ୍ରାରେ ସାମିଲ ହୋଇଥିବା ଯୋଗୁଁ କାହାରିକୁ ଜାତି ପାଟକରୁ ଅଲଗା କରିପାରି ନଥାନ୍ତି। ପାଟୁଆମାନେ ଫିଙ୍ଗୁଥିବା ମିଷ୍ଟାନ୍ନ ସକଳକୁ ସମସ୍ତେ ଆଗ୍ରହର ସହ ଗ୍ରହଣ କରିଥାନ୍ତି। ଅଦ୍ୟାବଧି ଓଡ଼ିଶାର ତନ୍ତ୍ର ସଂସ୍କୃତିର କ୍ଷୀଣଧାରାକୁ ପାଟୁଆଯାତ୍ରା ବଞ୍ଚାଇ ରଖିଛି। ପାଟୁଆ ଯାତ୍ରାରେ ଭକ୍ତମାନେ ଅନେକ ଗୀତ ଗାଇଥାନ୍ତି। ପାଟୁଆଯାତ୍ରାର ସାହିତ୍ୟ ହେଉଛି ଲୋକସାହିତ୍ୟ।
ବାସ୍ତବରେ କହିବାକୁ ଗଲେ ପାଟୁଆ ଯାତ୍ରା ଓଡ଼ିଶାର ଏକ ପ୍ରମୁଖ ଲୋକନୃତ୍ୟ। ଓଡ଼ିଶା ବାହାରେ ମଧ୍ୟ ଏହା ବିଭିନ୍ନ ନାମରେ ପାଳିତ ହୋଇଥାଏ। ଏହାକୁ ଗଣ୍ଡ ଜାତିର ଲୋକମାନେ ‘ମେଘନାଦ’, ବିହାରର ଛୋଟନାଗପୁର ଅଞ୍ଚଳର ଲୋକମାନେ ‘ମାଣ୍ଡା’, ତାମିଲନାଡୁରେ ‘ଚେଡ଼ତୁଲ’, ଦାକ୍ଷିଣାତ୍ୟର ଅନ୍ୟ କେତେକ ଅଞ୍ଚଳରେ ‘ବାଗଡ଼’, ବଙ୍ଗଳାରେ ‘ଚଡକ ପୂଜା’ ପ୍ରଭୃତି ନାମରେ ନାମିତ ହୋଇଛି। ଉତ୍ତର ଓଡ଼ିଶାରେ ଏହାକୁ ‘ପାଟୁଆ ଯାତ୍ରା’ କୁହାଯାଇଥିଲା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଏହାକୁ ଦଣ୍ଡନାଟ ଓ ଝାମୁ ଯାତ୍ରା ବୋଲି କୁହାଯାଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦଣ୍ଡପୂଜା ହୋଇ ଆସୁଛି। କଟକ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼ ଆଦି ଦଣ୍ଡ ପୂଜା ବହୁ ପୁରୁଷ ଧରି ଚାଲିଛି। ଦଣ୍ଡନାଚର ପାଳନରେ ଭିନ୍ନତା ପରିଲକ୍ଷିତ ହୋଇଥାଏ। ଶୈବ ଧର୍ମରୁ ଏହାର ଉତ୍ପତ୍ତି। ମାନସିକ ପୂରଣ ପାଇଁ ସାଧାରଣତଃ ଏହା କରାଯାଏ। ଚୈତ୍ର ବୈଶାଖ ମାସ ଶିବଶକ୍ତି ଉପାସନା ପାଇଁ ଉପଯୁକ୍ତ ସମୟ। ତେଣୁ ଉତ୍ତର ଓଡ଼ିଶାରେ ଏହାକୁ ‘ପାଟୁଆ ଯାତ୍ରା’ କୁହାଯାଇଥିବା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଏହାକୁ ଦଣ୍ଡନାଟ ଓ ଝାମୁ ଯାତ୍ରା କୁହାଯାଏ। ଓଡ଼ିଶାରେ ଏହାକୁ ଓଡ଼ିଆ ନବବର୍ଷ ଭାବେ ମାନିଥାନ୍ତି।
Comments are closed.