ବିର୍ସା ମୁଣ୍ଡା ହୋ ସମାଜ ମାର୍ଶାଲ ଅକାଲା ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
କେନ୍ଦୁଝରଗଡ଼ : ‘ହୋ’ ହେଉଛି ଭାରତର ସର୍ବପୁରାତନ ଭାଷା। ଯାହାର ନିଜସ୍ୱ ଲିପି ୱରାଂଚିତି, ସମୃଦ୍ଧ ମୌଖିକ ଓ ଲିଖିତ ସାହିତ୍ୟ ରହିଆସିଛି । ଭାରତର ଓଡିଶା , ଝାରଖଣ୍ଡ, ପଶ୍ଚିମବଙ୍ଗ, ଆସାମ ଓ ଛତିଶଗଡ଼ ଆଦି ରାଜ୍ୟରେ ପ୍ରାୟ ୩୫ ଲକ୍ଷରୁ ଅଧିକ ଲୋକ ଏହି ଭାଷାକୁ ବ୍ୟବହାର କରିଥାନ୍ତି । ଓଡିଶାର ମୟୁରଭଞ୍ଜ , କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ, ଯାଜପୁର, କଟକ, ଅନୁଗୁଳ ଆଦି ଜିଲାରେ ୧୫ଲକ୍ଷରୁ ଉର୍ଦ୍ଧ୍ଵ ହୋ’ ସମ୍ପ୍ରଦାୟ ଏହି ଭାଷା ବ୍ୟବହାର କରିଥାନ୍ତି । ବହୁଭାଷୀ ଶିକ୍ଷା ଯୋଜନା ଅନ୍ତର୍ଗତ ଓଡ଼ିଶାରେ ପ୍ରାଥମିକସ୍ତରରେ ୩୦୦ ବିଦ୍ୟାଳୟରେ ସରକାରଙ୍କ ପକ୍ଷରୁ ବହୁ ପୁସ୍ତକ ହୋ ଭାଷାରେ ପ୍ରକାଶିତ ହାଇ ବହୁଭାଷୀ ଶିକ୍ଷକ ନିଯୁକ୍ତି ଦେଇ ହୋ’ ଭାଷାରେ ଶିକ୍ଷାଦାନ ହୋଇଆସୁଛି । ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଠାରେ ୨୦୧୧ ମସିହାରେ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ସୁପାରିଶ ମଧ୍ୟ କରାଯାଇଛି । ଝାଡଖଣ୍ଡ ସରକାର ମଧ୍ୟ ହୋ ଭାଷାର ଗୁରୁତ୍ୱ ଉପଲବ୍ଧି କରି ଏହାକୁ ସମ୍ବିଧାନର ଅଷ୍ଟମସୂଚୀରେ ସାମିଲ କରିବା ପାଇଁ କେନ୍ଦ୍ରସରକାରଙ୍କୁ ସୁପାରିଶ କରିବା ସାଙ୍ଗକୁ ରାଜ୍ୟରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ମଧ୍ୟ ପ୍ରଦାନ କରିଛନ୍ତି । ଆଜି ହୋ ସମ୍ପ୍ରଦାୟର ଲୋକେ ନିଜ ମାତୃ ଭାଷାରେ ଶିକ୍ଷା ଲାଭ କରିବା ସାଙ୍ଗକୁ ଝାଡଖଣ୍ଡ ଲୋକସେବା ଆୟାଗ ଏବଂ ରିଜର୍ଭ ବ୍ୟାଙ୍କ ଭଳି କେନ୍ଦ୍ରୀୟ ପ୍ରତିଷ୍ଠାନ ଗୁଡିକ ପରିଚାଳନା କରୁଥିବା ବିଭିନ୍ନ ପରୀକ୍ଷା ମଧ୍ୟ ନିଜ ମାତୃ ଭାଷାରେ ଦେଇ ବହୁଳ ଭାବେ ଉପକୃତ ହେଉଅଛନ୍ତି । ହୋ’ ଭାଷାର ସାମଗ୍ରିକ ବିକାଶ ପାଇଁ ଏବଂ ହୋ ଭାଷାଭାଷୀ ପିଲାଙ୍କ ଶିକ୍ଷାକୁ ଅଧିକ ବ୍ୟାପକ ଏବଂ ଉପଯୋଗୀ କରିବାପାଇଁ ଆହୁରି ଅନେକ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି ବୋଲି ବିର୍ସା ମୁଣ୍ଡା ହୋ’ ସମାଜ ମାର୍ଶାଲ ଅକାଲା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନ ସଭାରେ ଉପସ୍ଥିତ ନେତାଗଣ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଛନ୍ତି।
ବିର୍ସା ମୁଣ୍ଡା ହୋ ସମାଜ ମାର୍ଶାଲ ଅକାଲାର ସର୍ବଭାରତୀୟ ସଭାପତି ରାମରାଇ ମୁନ୍ଦୁୟାଙ୍କ ନେତୃତ୍ୱରେ ସହସ୍ରାଧିକ ହୋ ଭାଷା ଭାଷୀ ସ୍ଥାନୀୟ କାଳୀପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା, ଓଡ଼ିଶାରେ ହୋ’ ଭାଷାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ପ୍ରଦାନ କରିବା, ହୋ’ ଭାଷାରେ ଅଙ୍ଗନୱାଡି ମାନଙ୍କରେ “ନୂଆ ଅରୁଣିମା’ ମାର୍ଗବର୍ଶିକା ପୁସ୍ତକ ପ୍ରଚଳନ, ପ୍ରାଥମିକ ବିଦ୍ୟାଳୟ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ହୋ ଭାଷାରେ ପାଠ୍ୟକ୍ରମ ପ୍ରଚଳନ । ୮୦ ପ୍ରତିଶତରୁ ଅଧିକ ହୋ’ ଜନଜାତିର ଛାତ୍ରଛାତ୍ରୀ ଥିବା ପ୍ରାୟ ୫୦୦ରୁ ଅଧିକ ପ୍ରାଥମିକ ବିଦ୍ୟାଳୟରେ ବହୁଭାଷୀ ଶିକ୍ଷା ଯୋଜନା ଲାଗୁ କରାଯାଇ ଆବଶ୍ୟକ ହୋ’ ଭାଷା ଶିକ୍ଷକ ନିଯୁକ୍ତି କରାଯିବାକୁ ଦାବି କରିଥିଲେ । ଏହି ମର୍ମରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।
Comments are closed.