ମାର୍ଚ୍ଚ ସୁଦ୍ଧା ୩୦୦ ବିଜୁ ସେତୁ ହେବ

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ନିର୍ମାଣ ହେବ ୩୦୦ ବିଜୁ ସେତୁ । ଏହି ଲକ୍ଷ୍ୟ ହାସଲ ନିମନ୍ତେ ମଙ୍ଗଳବାର ଗ୍ରାମ୍ୟ ନିର୍ମାଣ ଭବନରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ସମୀକ୍ଷା ବୈଠକ କରିଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ବିଜୁ ସେତୁ ଯୋଜନାର ପରିକଳ୍ପନା କରିଥିଲେ। ଏହି ଯୋଜନାରେ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ୧୧୩୯ଟି ବିଜୁ ସେତୁ ନିର୍ମାଣ ହୋଇଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଆଉ ୩ ଶହ ସେତୁ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ଘଡ଼ାଇ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି। ସେତୁର ଗୁଣବତ୍ତା ବଜାୟ ରଖିବା ସହ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ରହିଥିବା ସମସ୍ୟାର ତ୍ୱରିତ ସମାଧାନ କରିବାକୁ ନିର୍ଦେଶ ଦେଇଛନ୍ତି। ସେତୁ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା ନେଇ ପ୍ରତ୍ୟେକ ମାସରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ କହିଛନ୍ତି ଯେ ସେତୁ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ କରିବାରେ ଉଭୟ ବିଭାଗୀୟ ଅଧିକାରୀ ଏବଂ ଏଜେନ୍ସିଙ୍କର ସମାନ ଦାୟିତ୍ୱ ରହିଛି। ସମସ୍ତ ଯନ୍ତ୍ରୀଙ୍କୁ କ୍ଷେତ୍ର ଗସ୍ତ ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଥିବା ସମସ୍ୟାର ସମାଧାନ କରି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦେଶ ଦେଇଛନ୍ତି।

Comments are closed.