ଭୁବନେଶ୍ୱର: ରାଜଧାନୀରେ ଷଣ୍ଢଙ୍କ ଉତ୍ପାତ କମୁ ନାହିଁ। ରାସ୍ତାରେ ଷଣ୍ଢ ଲଢ଼େଇ ଫଳରେ ଅନେକ ଦୁର୍ଘଟଣା ଘଟୁଛି। ଏଥିରେ କାହାର ଜୀବନ ଯାଉଛି ତ ଆଉ କିଏ ଅକର୍ମଣ୍ୟ ହେଉଛନ୍ତି। ଏହି ସମସ୍ୟା ଦୂର ପାଇଁ ଗତବର୍ଷ ବିଏମସି ପକ୍ଷରୁ ଷଣ୍ଢ ମୁକ୍ତ ଅଭିଯାନ ଆରମ୍ଭ ହୋଇଥିଲା। ଏବେ ଏହି ଯୋଜନା ପ୍ରହସନ ପାଲଟିଛି। ପୂର୍ବପରି ସହରରେ ମାଳ ମାଳ ଷଣ୍ଢ ବୁଲୁଛନ୍ତି। ଷଣ୍ଢଙ୍କୁ ରଖିବା ପାଇଁ ଜାମୁକୋଳିରେ ବିଏମ୍ସିର ଏକମାତ୍ର ଆଶ୍ରୟସ୍ଥଳୀ ରହିଛି। ଏଠାରେ ଷଣ୍ଢ ଭର୍ତ୍ତି ହୋଇଥିବାରୁ ରାସ୍ତାରୁ ଷଣ୍ଢ ଧରାଯିବା ନେଇ ସମସ୍ୟା ଉପୁଜିଛି। ଏଥିପାଇଁ ବିଏମ୍ସି ଆଉ ଏକ ଗୋଶାଳା ନିର୍ମାଣ କରିବା ସହିତ ଜାମୁକୋଳି ଗୋଶାଳାର କ୍ଷମତା ବୃଦ୍ଧି ନିମନ୍ତେ ପଦକ୍ଷେପ ନେଇଛି।
ନୂତନ ଗୋଶାଳା ପାଇଁ ପାଇକରାପୁରରେ ଜମି ଚିହ୍ନଟ ହୋଇଛି। ସରକାରଙ୍କ ଅନୁମୋଦନ ପରେ ନିର୍ମାଣ କାର୍ଯ୍ୟ ଆଗେଇବ ବୋଲି ଜଣାପଡ଼ିଛି। ଜାମୁକୋଳିରେ ସେଡ୍ ନିର୍ମାଣ ପାଇଁ ସରକାର ସାଢ଼େ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର କରିଛନ୍ତି। ଏହାର କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଏ ସମ୍ପର୍କରେ ବିଏମସି ଉପାୟୁକ୍ତ ରମେଶ ଚନ୍ଦ୍ର ଜେନା କହିଛନ୍ତି, ବର୍ତ୍ତମାନ ନିୟମିତ ଭାବେ ରାସ୍ତାରୁ ଷଣ୍ଢ ଧରାଯାଇ ଜାମୁକୋଳି ଆଶ୍ରୟସ୍ଥଳୀରେ ରଖା ଯାଉଛି। ବିଏମସି ପକ୍ଷରୁ ବୁଲା ଗୋରୁ, ଗାଈ ଓ ଷଣ୍ଢଧରା ଅଭିଯାନ ଜାରି ରହିଛି। ନୂତନ ଗୋଶାଳା ନିମନ୍ତେ ଜମି ଚିହ୍ନଟ ହୋଇଛି। ଅନୁମୋଦନ ପାଇଁ ସରକାରଙ୍କୁ ପଠାଯାଇଛି। ଜାମୁକୋଳି ଗୋଶାଳା ସମ୍ପ୍ରସାରଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବା ନେଇ ସେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀରେ ୧୫୦୦ରୁ ଊର୍ଦ୍ଧ୍ବ ଷଣ୍ଢ ବୁଲୁଛନ୍ତି। କିଛି ଲୋକ ରାଜଧାନୀ ବାହାରୁ ଷଣ୍ଢ ଆଣି ଛାଡ଼ୁଛନ୍ତି। ଫଳରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ନିମନ୍ତେ ବିଏମ୍ସି ଟ୍ୟାଗିଂ ବ୍ୟବସ୍ଥା କରିବା ସହିତ ଏକାମ୍ର କ୍ଷେତ୍ର ଷଣ୍ଢମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛି। ଏଠାରେ ଷଣ୍ଢ ଛାଡ଼ିଲେ ଜୋରିମାନା ଲାଗୁ ହୋଇଛି। ଉକ୍ତ ଅଞ୍ଚଳରୁ ପ୍ରାୟ ୨୦୦ ଷଣ୍ଢ ଧରାଯାଇ ଜାମୁକୋଳି ଆଶ୍ରୟସ୍ଥଳୀକୁ ନିଆଯାଇଥିବା ବିଏମ୍ସି ସୂତ୍ରରୁ ପ୍ରକାଶ।



