ପୋଖରୀ ପୁନରୁଦ୍ଧାର କାହା ସ୍ୱାର୍ଥରେ ?

ଭବାନୀପାଟଣା: ଗତ ଜାନୁଆରୀ ମାସରୁ ସ୍ଥାନୀୟ ପୁରୁଣାପଡ଼ା ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। କାମ ପାଖରେ ସୂଚନା ଫଳକ ନ ଥିବାରୁ ଏହି କାମ ସଂକ୍ରାନ୍ତରେ ସଠିକ୍ ସୂଚନା ମିଳୁନାହିଁ। ଅନ୍ୟପକ୍ଷରେ କାମର ମନ୍ଥର ଗତି ଏବଂ ପୋଖରୀକୁ ସଂକୁଚିତ କରାଯାଉଥିବାରୁ ଲୋକଙ୍କ ମଧ୍ୟରେ ସଂଶୟ ଲାଗି ରହୁଛି।

ସହରର ପ୍ରମୁଖ ସ୍ଥାନରେ ଥିବା ପୁରୁଣାପଡ଼ା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଗତ ପ୍ରାୟ ଜାନୁଆରୀ ମାସରୁ ଆରମ୍ଭ ହୋଇଛି। ପ୍ରଥମେ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ପୁନରୁଦ୍ଧାର କାର୍ଯ୍ୟ ହେବ ବୋଲି ନଗରପାଳିକା ପକ୍ଷରୁ କୁହାଯାଉଥିଲା। ହେଲେ ପରବର୍ତ୍ତୀ ସମୟରେ ଏହାର ବ୍ୟୟ ଅଟକଳ ୬୭ ଲକ୍ଷ ଟଙ୍କାକୁ ଓହ୍ଲାଇ ଆସିଲା। ସମ୍ପୂର୍ଣ୍ଣ ପାଣି ନିଷ୍କାସନ ପରେ କଛପ ଗତିରେ ପଙ୍କୋଦ୍ଧାର ଚାଲିଲା। ଏନେଇ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ କାମରେ କିଛିଟା ଅଗ୍ରଗତି ହେଲା। ଅଥଚ ଏବେ ଏକ ବିଚିତ୍ର ପ୍ରକାରରେ କାମ ଚାଲିଛି। ପଙ୍କ ଖୋଲାଯାଇ ପୋଖରୀ ବାହାରକୁ ନିଆ ଯାଉନାହିଁ। ବରଂ ପୋଖରୀ ଚାରି କଡ଼ରେ ତାହା ଫିଙ୍ଗା ଯାଉଛି। ଫଳରେ ପୋଖରୀଟି ସଙ୍କୁଚିତ ହେବାରେ ଲାଗିଛି। ଯଦି ପୋଖରୀ ଚାରିକଡେ ଚଲାପଥ ନିର୍ମାଣ କରିବା ଯୋଜନା ରହିଛି ତେବେ ପଙ୍କ ପରିବର୍ତ୍ତେ ଭଲ ମାଟି ପକାଯାଇ କମ୍‌ ଚଉଡାରେ ରାସ୍ତା କରାଯାଇ ପଥର ପ୍ୟାଚିଂ କରାଯାଇ ପାରନ୍ତା। କିନ୍ତୁ ସାମ୍ପ୍ରତିକ କାର୍ଯ୍ୟଶୈଳୀରେ ପୋଖରୀ ସଙ୍କୁଚିତ ହେଉଥିବାରୁ ପୋଖରୀ ପୁନରୁଦ୍ଧାରର ଉଦ୍ଦେଶ୍ୟକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।

prayash

ଉଲ୍ଲେଖଯୋଗ୍ୟ ଯେ, କିଛି ସ୍ବୟଂ ସହାୟକଙ୍କୁ କାମ ଦେବା ଆଳରେ ଠିକାଦାରଙ୍କ ଦ୍ଵାରା ପୋଖରୀ କାମ କରାଯାଉଛି। ତେବେ କାମର ରୂପରେଖ, ମାନ କିମ୍ବା ବ୍ୟୟ ଅଟକଳ ସଂକ୍ରାନ୍ତରେ ସୂଚନା ଫଳକଟିଏ ନାହିଁ। ବର୍ଷା ଆସିବାକୁ ଆଉ ମାସଟିଏ ବି ସମୟ ନାହିଁ । ଅଥଚ ପୋଖରୀ ଚାରିକଡେ ପଥର ପ୍ୟାଚିଂ ମଧ୍ୟ କରାଯାଉନାହିଁ। ଫଳରେ ଚାରିକଡେ ସମ୍ଭବତଃ ରାସ୍ତା ପାଇଁ ପଙ୍କ ଗଦା କରାଗଲେ ତାହା ଧୋଇ ନେବାର ଆଶଙ୍କା ରହିଛି।

ପୋଖରୀ ଦୁଇ କଡ଼ରେ ବହୁ ମନ୍ଦିର ଏବଂ ଗୋଟାଏ କଡ଼ରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରହିଛି। ପାଖାପାଖି ଅଞ୍ଚଳରେ ଜିଲ୍ଲାପାଳ ଏବଂ ଏସପିଙ୍କ କାର୍ଯ୍ୟାଳୟ ରହିଛି। ପୁରୁଣାପଡ଼ା ସମେତ ପରଦେଶୀ ପଡ଼ା, ଶମ୍ଭୁ ନଗର ପଡ଼ା, ଦେଵାନ୍ ସାହେବ୍ ପଡ଼ା, ହିଲ ଟାଉନ ଆଦି ଅନେକ ଅଞ୍ଚଳ ରହିଛି। ମୁଖ୍ୟତଃ ସହରର ପ୍ରମୁଖ ସ୍ଥାନରେ ପୋଖରୀଟି ଥିବାରୁ ଏହାର ସୌନ୍ଦର୍ଯ୍ୟକରଣ କରାଯାଇ ପାରନ୍ତା। ଶିଶୁ ଉଦ୍ୟାନ ସାଙ୍ଗକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯାଇ ପାରନ୍ତା। ଅଥଚ ପଙ୍କୋଦ୍ଧାର ଯେତେବେଳେ ଉପଯୁକ୍ତ ଭାବେ ହେଇ ପାରୁନାହିଁ, ସୌନ୍ଦର୍ଯ୍ୟକରଣକୁ କିଏ ପଚାରେ। ତେବେ କାମର ବିଭିନ୍ନ ଦିଗ ସଂକ୍ରାନ୍ତରେ ଜାଣିବାକୁ ନଗରପାଳିକା ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ କୌଣସି ସୂଚନା ମିଳିପାରିଲା ନାହିଁ। ତେବେ ପୁନରୁଦ୍ଧାର ଆଳରେ ପୋଖରୀ ସଙ୍କୁଚିତ ହେଉଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।

Comments are closed.