ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିନେବାକୁ ଭର୍ତ୍ତୃହରିଙ୍କ ଚିଠି

0

ଭୁବନେଶ୍ୱର : ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାପତ୍ର ଗ୍ରହଣ କରିନେବାକୁ ଲୋକସଭାରେ ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି।
ଲୋକସଭା ବାଚସ୍ପତିଙ୍କ ନିକଟକୁ ଲେଖିଥିବା ଚିଠିରେ ଶ୍ରୀ ମହତାବ ଦର୍ଶାଇଛନ୍ତି ଯେ ୨୦୧୪ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରୁ ବୈଜୟନ୍ତ ବିଜେଡ଼ି ଟିକଟରେ ନିର୍ବାଚିତ ହୋଇଥିଲେ। ସେ କ୍ରମାଗତ ଭାବେ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବା କାରଣରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏ ବିଷୟରେ ଆପଣଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲା। ବିଜେଡ଼ିରୁ ନିଲମ୍ବନ ପରେ ଶ୍ରୀ ପଣ୍ଡା ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଆପଣଙ୍କ କାର୍ଯ୍ୟାଳୟକୁ ପଠାଇଦେଇଛନ୍ତି। ସେ ସ୍ୱେଚ୍ଛାକୃତ ଭାବେ ବିଜେଡ଼ି ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ବିରୋଧୀ ଦଳବଦଳ ବ୍ୟବସ୍ଥା ଅନୁସାରେ ଭାରତ ସମ୍ବିଧାନର ଦଶମ ଅନୁସୂଚୀ ଆଧାରରେ ସେ ଆଉ ସାଂସଦ ଭାବେ ରହିପାରିବେ ନାହିଁ। ଆଇନ ଅନୁସାରେ ଲୋକସଭା ସାଂସଦ ଭାବେ ସେ ଯୋଗ୍ୟତା ହରାଇବା ସହିତ ନିଜ ପଦରୁ ଇସ୍ତଫା ଦେଇସାରିଥିବା କାରଣରୁ ସମ୍ବିଧାନର ଦଶମ ଅନୁସୂଚୀ ଅନୁସାରେ ତାଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଆମ ଦଳ ତରଫରୁ ପ୍ରୋସିଡ଼ିଂ କରାଯିବାର ଆବଶ୍ୟକତା ନାହିଁ। ତେଣୁ ସମ୍ବିଧାନ ଓ ଆଇନ ଅବ୍ୟବସ୍ଥା ଅନୁସାରେ ସେ ସାଂସଦ ପଦ ହରାଇଥିବାରୁ ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିନେବା ନିମନ୍ତେ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଶ୍ରୀ ମହତାବ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।

ବୈଜୟନ୍ତଙ୍କ ପ୍ରତିକ୍ରିୟା
ଯେହେତୁ ବୈଜୟନ୍ତ ନିଜ ସହମତିରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି, ଦଶମ ଅନୁସୂଚୀ ଅନୁସାରେ ତାଙ୍କର ଅଯୋଗ୍ୟତା ପାଇଁ ଦଳ ଦ୍ୱାରା ପ୍ରକ୍ରିୟା ଆରମ୍ଭ କରାଯିବାର ଆବଶ୍ୟକତା ନାହିଁ ବୋଲି ଭର୍ତ୍ତୃହରି ଲୋକସଭା ବାଚସ୍ପତିଙ୍କୁ ଲେଖିଥିବା ଚିଠି ଉପରେ ବୈଜୟନ୍ତ ପ୍ରତିକ୍ରିୟା ରଖିଛନ୍ତି। ଟୁଇଟ ଜରିଆରେ ବୈଜୟନ୍ତ କହିଛନ୍ତି ଯେ ଆବଶ୍ୟକତା ନାହିଁ ନୁହେଁ, କରିପାରିବେ ନାହିଁ। ‘ମୁଁ ଯେମିତି ନିଜ ସ୍ୱାଭିମାନ ବଜାୟ ରଖିଲି, ସେମାନେ ବି ସେମିତି ସାମାନ୍ୟ ଆତ୍ମସମ୍ମାନ ରଖନ୍ତୁ’ ବୋଲି ସେ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି।

Leave A Reply